ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଲା ମତାମତ ବାକ୍ସ, ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିଲା ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ – ପାଳନ କରନ୍ତି ନବୀନ’। ଏହି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୮୬ ଲକ୍ଷ ପରିବାରଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଜନସାଧାରଣଙ୍କ ମତାମତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀରୁ ଆସିଥିବା ଏହି ପ୍ରଥମ ମତାମତ ବାକ୍ସକୁ ଦଳର ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ମିନତି ବେହେରା ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀ ସାହୁ କହିଥିଲେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗାଁକୁ ପଠାଯାଇଥିଲା ଏବଂ ମତାମତ ଗ୍ରହଣ କରିବା ପାଇଁ ମାର୍ଚ୍ଚ ୨୦ ତାରିଖକୁ ସ୍ଥିର କରାଯାଇଥିଲା। ଆସିଥିବା ଜନସାଧାରଣଙ୍କ ମତାମତକୁ ଇସ୍ତ‌ାହାର କମିଟି ତର୍ଜମା କରିବ ଏବଂ ପରେ ସଭାପତିଙ୍କ ଅନୁମୋଦନକ୍ରମେ ଇସ୍ତହାର ପ୍ରକାଶ ପାଇବ। ଆଜିର କାର୍ଯ୍ୟକ୍ରମରେ ମହିଳା ବିଜେଡିର ସ୍ନିଗ୍ଧା ପାଣିଗ୍ରାହୀ, ଆରତୀ ଦେବୀ, ସଂଯୁକ୍ତା ମହାନ୍ତି, ସନ୍ଧ୍ୟା ବିଶ୍ବାଳ, ସରୋଜିନୀ ନନ୍ଦ, ଲୋରା ମହାପାତ୍ର, ଦିବ୍ୟା ଶାଶ୍ବତୀ ଓ ମିନାକ୍ଷୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର