ଧୈର୍ଯ୍ୟ ଓ ସାହସର ପରିଚୟ ଦେଲେ ୩୬ ପୋଲିଂ କର୍ମଚାରୀ : ବଣ୍ଡାଘାଟିରେ ଗଣତନ୍ତ୍ରର ଜିତ୍‌

ବାସ୍ତବ ରୂପ ନେଲା ‘ନିଉଟନ୍‌’ ଫିଲ୍ମ ଦୃଶ୍ୟ, ୧୫ କିମି ଚାଲିଚାଲି ଫେରିଲେ, ପାହାଡ଼ରେ ବିତାଇଲେ ପୂରା ରାତି

ମାଲକାନଗିରି :କିଏ ଜିତିବେ, କିଏ ହାରିବେ- ତାହା ଭିନ୍ନ କଥା! ମାଲକାନଗିରିର ବଣ୍ଡାଘାଟିରେ କିନ୍ତୁ ବିଜୟ ଲାଭ କରିଛି ଗଣତନ୍ତ୍ର। ଯେଉଁଠି ନକ୍ସଲର ଭୟ ଥିଲା, ସେଠି ଲୋକମାନଙ୍କ ମଧ୍ୟରୁ ଅନେକ ସ୍ବତଃପ୍ରବୃତ୍ତ ଭାବେ ମତଦାନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି, ଧୈର୍ଯ୍ୟ ଓ ସାହସର ପ୍ରଦର୍ଶନ କରି ପୋଲିଂ କର୍ମଚାରୀମାନେ ମତଦାନ କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦାନ କରିଛନ୍ତି। ୧୫ କିମି ବାଟ ଚାଲିଚାଲି, ବର୍ଷାମାଡ଼ ଖାଇ ଏବଂ ପାହାଡ଼ ଉପରେ ରାତିରେ ଶୋଇ ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁରକ୍ଷା କର୍ମୀମାନେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ ନକ୍ସଲଙ୍କ ସମ୍ଭାବ୍ୟ ଆକ୍ରମଣକୁ ଏଡ଼ାଇ ଦେଇଛନ୍ତି। ଫଳରେ, ଏକ ବଡ଼ଧରଣର ବିପଦ ଟଳିଯାଇଛି। ଏହି ଦୃଶ୍ୟ ଦୁଇବର୍ଷ ତଳେ ମୁକ୍ତିଲାଭ କରିଥିବା ବହୁଚର୍ଚ୍ଚିତ ବଲିଉଡ୍‌ ଚଳଚ୍ଚିତ୍ର ‘ନିଉଟନ୍‌’ର କାହାଣୀକୁ ମନେ ପକାଇଦେଇଛି।

ବଣ୍ଡାଘାଟିରେ ହୋଇଥିବା ୬ଟି ବୁଥ୍‌କୁ ମାଲକାନଗିରିରୁ ୩୬ଜଣ ପୋଲିଂ କର୍ମଚାରୀ ଯାଇଥିଲେ। ସଡ଼କ ପଥରେ କଡ଼ା ସୁରକ୍ଷାଘେରାରେ ଏହି କର୍ମଚାରୀମାନେ ବଣ୍ଡାଘାଟିରେ ପହଞ୍ଚିଥିଲେ। ମତଦାନର ଦୁଇ ଦିନ ପୂର୍ବରୁ ନିଜ ନିଜ ବୁଥ୍‌ଗୁଡ଼ିକରେ ପୋଲିଂ କର୍ମଚାରୀ ଯାଇଥିଲେ। ନିର୍ଧାରିତ ସମୟରେ ବଣ୍ଡାଘାଟିରେ ମତଦାନ ଆରମ୍ଭ ହେଇଥିଲା। ‌େସୗହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ମତଦାନ ପ୍ରକ୍ରିୟା ଚାଲିଥିଲା। ତେବେ ଭୋଟ ଦେବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇନଥିଲା।

ତଥାପି ସମସ୍ତ ବୁଥ୍‌ ଗୁଡ଼ିକରେ ମତଦାନ ହୋଇଥିଲା। କେବଳ ପାତ୍ରପୁଟରେ ହିଁ ୪୮୫ ଭୋଟରଙ୍କ ମଧ୍ୟରୁ ସର୍ବନିମ୍ନ ୪୨ଜଣ ହିଁ ମତଦାନ କରିଥିଲେ। ମାଓବାଦୀଙ୍କ ଭୟ ଯୋଗୁଁ ଆଉ ଲୋକେ ଭୋଟ ଦେବାକୁ ଆସିନଥିବା ଜଣାପଡିଥିଲା।

ଅପରାହ୍ନ ୪ଟାରେ ମତଦାନ ପ୍ରକ୍ରିୟାକୁ ବନ୍ଦ କରି ପୋଲିଂ କର୍ମଚାରୀ ଇଭିଏମ୍‌ଗୁଡ଼ିକୁ ସିଲ୍ କରିଥିଲେ। ମାଲକାନଗିରି ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏତିକିବେଳେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା ଯେ ନକ୍ସଲ ହମ୍‌ଲା ହୋଇପାରେ। ବହୁ ସଂଖ୍ୟାରେ ନକ୍ସଲ ବଣ୍ଡାଘାଟିରେ ପହଞ୍ଚି ଲୁଚି ରହିଛନ୍ତି। ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା। ଏମିତି ସ୍ଥିତିରେ ସଡ଼କ ପଥରେ ପୋଲିଂ କର୍ମଚାରୀଙ୍କୁ ନେବା ଆଦୌ ସୁରକ୍ଷିତ ନଥିଲା। ତେଣୁ ଶେଷ ମୁହୂର୍ତରେ ଯାତ୍ରା ପଥ ପରିବର୍ତନ କରିବାକୁ ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଯବାନ ନିଷ୍ପତ୍ତି ନେଇଥିଲେ। ସମସ୍ତ ୬ଟି ଯାକ ବୁଥର ପୋଲିଂ କର୍ମଚାରୀଙ୍କୁ ଏକାଠି ସୁରକ୍ଷାଘେରା ମଧ୍ୟରେ ନେବାକୁ ଯୋଜନା କରି ଆଗକୁ ବଢ଼ିଥିଲେ। ପାହାଡ଼ିଆ ରାସ୍ତାରେ ଜଙ୍ଗଲ ଭିତରେ ପଶି ଚାଲି ଚାଲି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ଅଳ୍ପ ବାଟ ଅଛି କହି ସୁରକ୍ଷା କର୍ମୀ ପୋଲିଂ କର୍ମଚାରୀଙ୍କୁ ଉତ୍ସାହିତ କରି ଅଧା ରାସ୍ତା ଆଣିଥିଲେ। ତେବେ ଦିନତମାମ ପରିଶ୍ରମ ପରେ ଥକି ଯାଇଥିବା କର୍ମଚାରୀଙ୍କୁ ଗୋଟିଏ ପାହାଡ଼ ଉପରେ ବିଶ୍ରାମ ନେବା ପାଇଁ ସମୟ ଦିଆଯାଇଥିଲା।

ମନରେ ଭୟ ରହିଥିବା ବେଳେ ଜଙ୍ଗଲରେ ରାତି ବିତାଇବା ପୋଲିଂ କର୍ମଚାରୀଙ୍କ ପାଇଁ ଅତି କଷ୍ଟକର ଥିଲା। କ୍ଳାନ୍ତ ଅନୁଭବ କରୁଥିଲେ ହେଁ ଭୋକ ଲାଗୁ ନଥିଲା। ତଥାପି ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଯବାନ ଧରିଥିବା ବିସ୍କୁଟ୍, ପାଉଁରୋଟି ଭଳି ଶୁଖିଲା ଖାଦ୍ୟ ଖାଇବାକୁ ଦେଇଥିଲେ। ପାଣି ପାଖରେ ନଥିବାରୁ ନିକଟସ୍ଥ ନାଳ ପାଣିରେ ଶୋଷ ମେଣ୍ଟାଇଥିଲେ। ତେବେ ଏତିକିରେ ସମସ୍ୟା ସରିନଥିଲା। ରାତି ଅଧରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା। ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଧରିଥିବା ତାର୍‌ପଲିନକୁ ଘୋଡ଼ାଇ ଶୋଇ ପଡ଼ିଥିଲେ ପୋଲିଂ କର୍ମଚାରୀ। ପୂରା ରାତି ଶୀତରେ ରହିବା ପରେ ୧୫ କିଲୋମିଟର ବାଟ ଚାଲିଚାଲି ଆଜି ସକାଳେ ପାହାଡ଼ ଓହ୍ଲାଇ ଖଇରପୁଟରେ ପହଞ୍ଚିଥିଲେ। ଏଠାରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ମାଲକାନଗିରିକୁ ଅଣାଯାଇଥିଲା। ଆଜି ସମସ୍ତେ ନିଜ ଘରେ ସୁରକ୍ଷିତ ପହଞ୍ଚିବା ପରେ ଆଶ୍ବସ୍ତି ଲାଭ କରିଛନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆଦୌ ଧୈର୍ଯ୍ୟହରା ହୋଇ ନଥିଲେ ସୁରକ୍ଷା କର୍ମୀ। ଅଦମ୍ୟ ସାହସ ଦେଖାଇବା ସହ ପୋଲିଂ କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିଥିଲେ। ପ୍ରଥମ ଥର ପାଇଁ ନିର୍ବାଚନ ଦାୟିତ୍ବରେ ଥିବା ଯୁବ ପୋଲିଂ କର୍ମଚାରୀଙ୍କୁ ଏହି ଘଟଣା ନୂଆ ଅଭିଜ୍ଞତା ଦେଇଛି।

ପ୍ରକାଶଥାଉକି, ୨୦୧୭ ମସିହାରେ ରାଜକୁମାର ରାଓଙ୍କ ଅଭିନୀତ ଭିନ୍ନସ୍ବାଦର ବଲିଉଡ୍‌ ଚଳଚ୍ଚିତ୍ର ‘ନିଉଟନ୍‌’ର କାହାଣୀ ବଣ୍ଡାଘାଟିରେ ବାସ୍ତବ ରୂପ ନେଇଥିବା ଆଲୋଚନା ହୋଇଛି। ଏହି ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଥିଲା।

ସମ୍ବନ୍ଧିତ ଖବର