ବିଧାନସଭାରେ ବୈଜ୍ଞାନିକ!

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

0

ଏପ୍ରିଲ ପହିଲା, ଉଭୟଙ୍କର ଜନ୍ମଦିନ। ଓଡ଼ିଶା ପ୍ରଦେଶର ଓ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କର। ଭଲଲୋକମାନେ ରାଜନୀତିକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୁଏ। କିନ୍ତୁ ଓଡ଼ିଶା ବିଧାନସଭାକୁ ବହୁ ବିଦ୍ବାନ, ସମାଜସେବୀ, ଶିକ୍ଷାବିତ୍‌ ଏପରିକି ବୈଜ୍ଞାନିକମାନେ ମଧ୍ୟ ଆସିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପ୍ରବୀଣ ଶିକ୍ଷାବିତ୍‌ ଓ ବୈଜ୍ଞାନିକ ଡ.ପ୍ରାଣକୃଷ୍ଣ ପରିଜା। ସେ କୌଣସି ମନୋନୀତ ସଭ୍ୟ ନଥିଲେ ବା କୌଣସି ରାଜନୈତିକ ଦଳର ପୃଷ୍ଠପୋଷକତାରେ ଦଳୀୟ ଟିକେଟ ନେଇ ନିର୍ବାଚନ ଲଢ଼ି ନଥିଲେ। ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ନିର୍ବାଚନରେ ସେ ନିର୍ଦ୍ଦଳୀୟ ସଦସ୍ୟ ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ ବାଲିକୁଦା ନିର୍ବାଚନମଣ୍ଡଳୀରୁ।

ପ୍ରାଣକୃଷ୍ଣ ପରିଜାଙ୍କର ଜନ୍ମ ୧ ଏପ୍ରିଲ୍‌ ୧୮୯୧ ମସିହାରେ ତତ୍କାଳୀନ କଟକ ଜିଲ୍ଲାର ବାଲିକୁଦା ନିକଟସ୍ଥ ଇଚ୍ଛାପୁର ଗ୍ରାମରେ ହୋଇଥିଲା। ରେଭେନ୍‌ସା କଲେଜିଏଟ୍‌ ସ୍କୁଲ, ରେଭେନ୍‌ସା କଲେଜ୍‌ ଓ କଲିକତା ବିଶ୍ୱବିଦ୍ୟାଳୟରୁ ପଢ଼ା ଶେଷ କରି ସେ ଛାତ୍ରବୃତ୍ତି ପାଇ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ଇଂଲଣ୍ଡ। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଫେରିବା ପରେ ସେ ରେଭେନ୍‌ସା କଲେଜ୍‌ରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏହି ପ୍ରଖ୍ୟାତ ବୈଜ୍ଞାନିକ ୧୯୪୩ ମସିହାରେ ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପଦ ମଧ୍ୟ ମଣ୍ଡନ କରିଥିଲେ।

ସ୍ୱାଧୀନତା ପରର ପ୍ରଥମ ବିଧାନସଭା ନିର୍ବାଚନ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ୧୯୫୨ ଜାନୁଆରି ୨୪ ତାରିଖରେ ଶେଷ ହୋଇଥିଲା। ଏହା ଥିଲା ଦେଶର ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସୋସାଲିଷ୍ଟ ପାର୍ଟି, ଗଣତନ୍ତ୍ର ପରିଷଦ ଓ ଫରୱାର୍ଡ ବ୍ଲକ୍‌ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ଅନେକ ସ୍ୱାଧୀନଚେତା, ରାଜନେତା ଏ ଭିତରୁ କୌଣସି ଦଳର ଟିକେଟ ନନେଇ ନିର୍ଦ୍ଦଳୀୟ ଭାବରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପସନ୍ଦ କରିଥିଲେ। ସେମାନଙ୍କ ଭିତରୁ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଥିଲେ ଅନ୍ୟତମ।

ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୧୯୫୨ରେ ଏକ ତ୍ରିମୁଖୀ ପ୍ରତିଯୋଗିତା ହେଉଥାଏ। ପ୍ରାଣକୃଷ୍ଣ ପରିଜାଙ୍କ ବିପକ୍ଷରେ ଥାଆନ୍ତି କଂଗ୍ରେସର ଟାଣୁଆ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସାଧାରଣ ସଂପାଦକ ଭାଗୀରଥି ମହାପାତ୍ର। ତାଙ୍କର ପତ୍ନୀ ସରଳା ଦେବୀ ୧୯୩୭ ବିଧାନସଭା ନିର୍ବାଚନରେ କଟକ ସହର ନିର୍ବାଚନମଣ୍ଡଳୀରୁ ମହିଳା ସଭ୍ୟ ହିସାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବାଲିକୁଦା ନିର୍ବାଚନମଣ୍ଡଳୀରେ ଉଭୟଙ୍କର ପ୍ରଭାବ ବେଶ୍‌ ଭଲ ଥିଲା। ତା’ଛଡ଼ା ତୃତୀୟ ପ୍ରାର୍ଥୀ ସୋସାଲିଷ୍ଟ ପାର୍ଟିର ବସନ୍ତ କୁମାର ସାହୁ ମଧ୍ୟ କଡ଼ା ଟକ୍ଟର ଦେଉଥାନ୍ତି। ତଥାପି ନିର୍ବାଚନ ଶେଷ ବେଳକୁ ପ୍ରାଣକୃଷ୍ଣ ପରିଜା ୩୫୫ ଖଣ୍ଡ ଭୋଟ ବ୍ୟବଧାନରେ ଭାଗୀରଥିଙ୍କୁ ପରାସ୍ତ କରି ନିର୍ବାଚନ ଜିଣିଲେ। ବସନ୍ତ ସାହୁ ୫୪୭୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଲେ।

୧୯୫୨ ନିର୍ବାଚନରେ ବିଧାନସଭାର ୧୪୦ଟି ଆସନ ମଧ୍ୟରୁ କଂଗ୍ରେସ ୬୭ଟି ଆସନ ଜିଣିଥିଲା ବେଳେ ଗଣତନ୍ତ୍ର ପରିଷଦ ଜିଣିଥିଲା ୩୧ଟି ଆସନ। ତେବେ ଅନ୍ୟ ରାଜନୈତିକ ଦଳମାନଙ୍କୁ ପଛରେ ପକାଇ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୨୪ଟି ଆସନ ଜିଣିଥିଲେ। ସେମାନଙ୍କ ଭିତରୁ ୭ଜଣଙ୍କର ସମର୍ଥନ ନେଇ କଂଗ୍ରେସ ଦଳ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ବରେ ସରକାର ଗଠନ କଲା।

ଉଦ୍ଭିଦମାନଙ୍କର ଶ୍ୱାସକ୍ରିୟା ସଂପର୍କରେ ଗବେଷଣା କରି ଖ୍ୟାତି ଅର୍ଜନ କରିଥିବା ବୈଜ୍ଞାନିକ ପରିଜା ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସର ପ୍ରତିଷ୍ଠାତା ସଦସ୍ୟ। ବିଜ୍ଞାନ ଶିକ୍ଷା ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ସେ ଅନେକ କିଛି କରିଯାଇଛନ୍ତି। ୧୯୫୫ରେ ସେ ଭାରତ ସରକାରଙ୍କ ଦ୍ବାରା ପଦ୍ମଭୂଷଣ ଉପାଧିରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଶିକ୍ଷା ଓ ବୈଜ୍ଞାନିକ ଗବେଷଣା ପ୍ରତି ସମର୍ପିତ ଏଭଳି ଜଣେ ବ୍ୟକ୍ତିତ୍ବ ଯେ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ତାହା ହିଁ ବଡ଼କଥା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.