ଅତୀତର ଆଇନାରୁ : ନବରଙ୍ଗପୁରରୁ ଲଗାତାର ୯ ଥର ନିର୍ବାଚନ ଜିଣିଛନ୍ତି ସେ! 

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

ନିର୍ବାଚନ ଲଢ଼ି ବିଧାନସଭା ଆସନଟିଏ ଜିତିବା କେତେ ଯେ କଷ୍ଟସାଧ୍ୟ ତାହା କେବଳ ଅନୁଭବୀ ଜାଣେ। ସେହିପରି ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଲୋକସଭା ଆସନଟିଏ ଜିତିବା କାହିଁ କେତେ ଅଧିକ କଷ୍ଟସାଧ୍ୟ। ଏଭଳି ଅବସ୍ଥାରେ ଯଦି କେହି ରାଜନେତା ଲୋକସଭା ଆସନଟିଏ ଜିତୁଛନ୍ତି ଥରେ କି ଦୁଇଥର ନୁହେଁ, ଲଗାତାର ନଅ ଥର, ତେବେ କଥାଟି ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ।

ଏଭଳି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ନବରଙ୍ଗପୁର ଲୋକସଭା ଆସନରୁ ଲଗାତାର ନଅ ଥର ନିର୍ବାଚନ ଜିଣିଥିବା ରାଜନେତା ଖଗପତି ପ୍ରଧାନି। ଅବଶ୍ୟ ଓଡ଼ିଶାର ଅନ୍ୟତମ ବରିଷ୍ଠ ରାଜନେତା ଗିରିଧର ଗମାଙ୍ଗ ମଧ୍ୟ କୋରାପୁଟ ଲୋକସଭା ଆସନରୁ ନଅ ଥର ଜିତିଛନ୍ତି। ମାତ୍ର ଶ୍ରୀ ଗମାଙ୍ଗ ୧୯୭୧ରୁ ୧୯୯୮ ଆଠ ଥର ଲଗାତାର ଜିଣିବା ପରେ ତାଙ୍କ ଆସନକୁ ପତ୍ନୀ ହେମା ଗମାଙ୍ଗଙ୍କୁ ଛାଡ଼ିଦେଇଥିଲେ। ଏବଂ ପରବର୍ତ୍ତୀ ୨୦୦୪ ନିର୍ବାଚନରେ ନବମ ଥର ପାଇଁ ସେ ଏହି ଆସନ ଜିଣିଥିଲେ। ତେଣୁ ଲଗାତାର ନଅ ଥର ଜିତିବା କଥା ଆସିଲେ କେବଳ ଖଗପତି ପ୍ରଧାନିଙ୍କ ନାଁ ହିଁ ଆସେ।

ଖଗପତି ପ୍ରଧାନିଙ୍କର ଜନ୍ମ ୧୯୨୨ ଜୁଲାଇ ୧୫ ତାରିଖରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ଟଙ୍କଧର ପ୍ରଧାନି। ଆଇ.ଏ. ପଢ଼ା ଶେଷକରି ଖଗପତି ପୋଲିସ ଚାକିରି କରୁଥିଲେ। ରାଜନୀତିରେ ତାଙ୍କର ପ୍ରଥମ ପ୍ରବେଶ ହେଲା ୧୯୬୩ ମସିହାରେ। ସେତେବେଳେ ସେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଚେୟାରମ୍ୟାନ ହୋଇଥିଲେ। ତା’ପରେ ୧୯୬୭ ମସିହାରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହିସାବରେ ନବରଙ୍ଗପୁର ଆସନରୁ ଜିଣି ପ୍ରଥମଥର ପାଇଁ ଲୋକସଭାକୁ ଗଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

୧୯୬୭ ପରେ ୧୯୭୧, ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬ ଓ ୧୯୯୮ରେ ଏହିପରି ଲଗାତାର ନଅ ଥର ନବରଙ୍ଗପୁର ଆସନରୁ ସେ କଂଗ୍ରେସ ଦଳର ଟିକେଟରେ ନିର୍ବାଚିତ ହୋଇଥିଲେ। ୧୯୯୮ର ମାତ୍ର ବର୍ଷକ ପରେ ପୁଣି ୧୯୯୯ରେ ଲୋକସଭା ନିର୍ବାଚନ ହେଲା। କଂଗ୍ରେସ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ କାରଣ ଦେଖାଇ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ।

ସେ ଲଢ଼ୁଥିବା ପର୍ଯ୍ୟନ୍ତ ନବରଙ୍ଗପୁର ଥିଲା କଂଗ୍ରେସ ଦଳର ଗଡ଼। କିନ୍ତୁ ସେ ରାଜନୀତିରୁ ଅବସର ନେବା ପରେ ୧୯୯୯ରେ ଏହି ଆସନ ବିଜେପିର ପର୍ଶୁରାମ ମାଝିଙ୍କର ହାତକୁ ଗଲା, ଯେ କି ୨୦୦୪ରେ ମଧ୍ୟ ଏହି ଆସନରୁ ଜିଣିଲେ। ୨୦୦୯ରେ କଂଗ୍ରେସର ପ୍ରଦୀପ ମାଝି ଏହି ଆସନ ଜିତିଥିଲେ ମଧ୍ୟ ୨୦୧୪ରେ ଏହା ପୁଣି ବିଜେଡି  ହାତକୁ ଚାଲିଯାଇଥିଲା।

ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଏଗାର ଥର ଲୋକସଭା ନିର୍ବାଚନ ଜିତିବାର ରେକର୍ଡ଼ ସିପିଆଇ ଦଳର ଇନ୍ଦ୍ରଜିତ ଗୁପ୍ତାଙ୍କ ନାମରେ ରହିଛି। ତାଙ୍କ ପରେ ପି.ଏମ୍‌. ସୟିଦ୍‌, ସୋମନାଥ ଚାଟାର୍ଜି ଓ ଅଟଳ ବିହାରୀ ବାଜପେୟୀ ୧୦ଥର ଲେଖାଏଁ ଲୋକସଭା ନିର୍ବାଚନ ଜିଣିଛନ୍ତି। ତେବେ ଖଗପତି ପ୍ରଧାନି ସକ୍ରିୟ ରାଜନୀତିରୁ ଅବସର ନେବାବେଳକୁ କେବଳ ପି.ଏମ୍‌. ସୟିଦ୍‌ ଏବଂ ଇନ୍ଦ୍ରଜିତ ଗୁପ୍ତା ନଅ ଥର ଲେଖାଏଁ ନିର୍ବାଚନ ଜିଣି ତାଙ୍କର ସମକକ୍ଷ ଥିଲେ। ଶେଷଥର ୧୯୯୮ରେ ସେ ଲୋକସଭାର ସଦସ୍ୟ ଥିଲାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଠ ଥର ଲୋକସଭା ନିର୍ବାଚନ ଜିଣି ତାଙ୍କ ପଛରେ ଥିଲେ।

ପ୍ରଧାନି ରାଜନୀତିରୁ ଅବସର ନେବାର ଏବେ ୨୦ ବର୍ଷ ହେଲାଣି। ଏଥି ମଧ୍ୟରେ ଆହୁରି କିଛି ରାଜନେତା ପ୍ରଧାନିଙ୍କର ଲଗାତାର ଜିଣିବା ରେକର୍ଡ଼ର ସମକକ୍ଷ ମଧ୍ୟ ହେଲେଣି। କିନ୍ତୁ ନଅ ଥର ନିରବଚ୍ଛିନ୍ନ ନିର୍ବାଚନ ଜିତିବା ପରେ ସେ ଯେ ଅନ୍ୟ କୌଣସି ରେକର୍ଡ଼ ପାଇଁ ମନବଳାଇ ନାହାନ୍ତି ଏବଂ ଦୀର୍ଘ ୩୨ ବର୍ଷ କାଳ ଲୋକସଭାର ସଦସ୍ୟ ହିସାବରେ ଦିଲ୍ଲୀରେ ରହିବା ପରେ ନିଜ ଗାଁକୁ ଫେରିଆସି ୨୦୧୦ରେ ମୃତ୍ୟୁ ପର୍ଯ୍ୟନ୍ତ କେବଳ କୌଳିକ ଚାଷକାର୍ଯ୍ୟରେ ମନୋନିବେଶ କରି ଜୀବନ ବିତାଇଛନ୍ତି, ତାହା ହିଁ ତାଙ୍କ ଜୀବନାଦର୍ଶର ସରଳ ସାରକଥା।

ସମ୍ବନ୍ଧିତ ଖବର