ଡର୍ କୋ ଭଗାଓ ଭାଗେ

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

ଆଇଏଏସ୍ ଭଳି ସୁରକ୍ଷିତ ଚାକିରି ଓ ସମ୍ମାନଜନକ ପଦପଦବୀ ଛାଡ଼ି ନିର୍ବାଚନ ରାଜନୀତିକୁ ଲମ୍ଫ ଦେବା ପାଇଁ ସାହସ କରିପାରୁ ନଥିଲେ ସେ। ମନରେ ଅନେକ ଆଶଙ୍କା, ଅନେକ ଭୟ। ନିଜର ପ୍ରିୟ ନେତା ବିଜୁବାବୁଙ୍କ ପଦେ କଥା କିନ୍ତୁ ତାଙ୍କର ସବୁ ଦ୍ବିଧାର ଅନ୍ତ ଘଟାଇଥିଲା। ବିଜୁବାବୁ ତାଙ୍କ ସ୍ବଭାବସୁଲଭ ଭଙ୍ଗୀରେ ତତ୍କାଳୀନ ଆଇଏଏସ୍ ଅଫିସର ଭାଗେ ଗୋବର୍ଦ୍ଧନଙ୍କୁ କହିଥିଲେ, ନିଜ ଭାଗ୍ୟ ନିଜ ହାତରେ ଗଢ଼ିବାକୁ। ଡର୍ କୋ ଭଗାଓ ଭାଗେ…। ବାସ୍, ଭାଗେ ଗୋବର୍ଦ୍ଧନ ତା’ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି।

୧୯୩୪ ଅକ୍ଟୋବର ୩୧ ତାରିଖରେ ଜନ୍ମ ନେଇଥିବା ଲକ୍ଷ୍ମଣ ଭାଗେଙ୍କ ପୁତ୍ର ଗୋବର୍ଦ୍ଧନ ଭାଗେ ୧୯୬୩ ମସିହାରେ ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରାଶାସନିକ ସେବା(ଓଡ଼ିଶା କ୍ୟାଡର୍)ରେ ଯୋଗଦେଇଥିଲେ। ଦୀର୍ଘ ୨୦ ବର୍ଷ କାଳ ଓଡ଼ିଶା ସରକାରଙ୍କର ବିଭିନ୍ନ ଉଚ୍ଚପଦବୀରେ ସଫଳତାର ସହ କାର୍ଯ୍ୟ କରିଥିବା ଗୋବର୍ଦ୍ଧନ ହଠାତ୍ ଦିନେ ନିଷ୍ପତ୍ତି ନେଲେ ଆଇଏଏସ୍ ଛାଡ଼ି ରାଜନୀତିରେ ଯୋଗଦେବା ପାଇଁ। ୧୯୮୪ ମସିହା ନଭେମ୍ବର ୧ ତାରିଖରେ ସେ ଚାକିରିୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁବାବୁଙ୍କ ନେତୃତ୍ବରେ ଜନତା ଦଳରେ ଯୋଗଦେଲେ।

ଏହା ଥିଲା ଭାରତୀୟ ରାଜନୀତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତ। ସେ ଚାକିରି ଛାଡ଼ିବାର ପୂର୍ବଦିନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଆତତାୟୀର ଗୁଳିରେ ମୃତ୍ୟୁବରଣ କରିଥା’ନ୍ତି। ଏଣୁ ୧୯୮୪ ଡିସେମ୍ବର ଲୋକସଭା ନିର୍ବାଚନ ବେଳକୁ ସାରା ଦେଶରେ କଂଗ୍ରେସ ସପକ୍ଷରେ ସହାନୁଭୂତିର ହାୱା ବହୁଥାଏ। ଏହି ସମୟରେ ସେ ଜନତା ଦଳର ଟିକେଟରେ ମୟୂରଭଂଜ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି କଂଗ୍ରେସ ପ୍ରାର୍ଥୀ ସିଦ୍ଧଲାଲ ମୁର୍ମୁଙ୍କ ଠାରୁ ପ୍ରାୟ ୭୦ ହଜାର ଭୋଟରେ ପରାଜିତ ହେଲେ।

ଏକ ପକ୍ଷରେ ଆଇଏଏସ୍ ଚାକିରିରୁ ଇସ୍ତଫା ଏବଂ ଅନ୍ୟପକ୍ଷରେ ଜୀବନର ପ୍ରଥମ ନିର୍ବାଚନୀ ପରାଜୟ ଗୋବର୍ଦ୍ଧନଙ୍କ ପାଇଁ ଏକ ମସ୍ତବଡ଼ ଧକ୍କା ଥିଲା। ମାତ୍ର ଜୀବନସାରା ବିଭିନ୍ନ ଦୁସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ଆଗକୁ ବଢ଼ିଥିବା ଗୋବର୍ଦ୍ଧନ ଧୈର୍ଯ୍ୟ ହରାଇ ନଥିଲେ। ଏହାର ମାତ୍ର ୩ ମାସ ପରେ ୧୯୮୫ ବିଧାନସଭା ନିର୍ବାଚନରେ ସେ ବହଳଦା ସଂରକ୍ଷିତ ଆସନରୁ ଜନତା ଦଳ ଟିକେଟରେ ଲଢ଼ିଲେ ଏବଂ କଂଗ୍ରେସର ଶ୍ରୀ ଲକ୍ଷ୍ମଣ ମାଝିଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହେଲେ। ଏହି ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳ ସଂଖ୍ୟାଧିକ ଆସନ ଜିଣି ସରକାର ଗଠନ କରିଥିଲା। ଏଣୁ ଗୋବର୍ଦ୍ଧନଙ୍କୁ ବିରୋଧୀ ଦଳରେ ବସିବାକୁ ପଡ଼ିଲା।

ତେବେ ୧୯୮୯ ଲୋକସଭା ନିର୍ବାଚନ ସେ ମୟୂରଭଞ୍ଜରୁ ପୁଣି ଲଢ଼ିଲେ ଜନତା ଦଳର ଟିକେଟରେ। ଏଥର ସେ କଂଗ୍ରେସ ଦଳର ସରସ୍ୱତୀ ହେମ୍ବ୍ରମଙ୍କୁ ୨୨ ହଜାରରୁ ଅଧିକ ଭୋଟରେ ପରାଜିତ କରି ନିର୍ବାଚିତ ହେଲେ ଏବଂ ୧୯୯୦ ଏପ୍ରିଲରେ କେନ୍ଦ୍ରରେ ଭି.ପି. ସିଂହଙ୍କ ମନ୍ତ୍ରିମଣ୍ଡଳରେ ଯୋଜନା ଓ ସମନ୍ବୟ ବିଭାଗ ଓ ପରେ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ମାନବସମ୍ବଳ ବିଭାଗର ରାଷ୍ଟ୍ରମନ୍ତ୍ରୀ ହେଲେ। ୧୯୯୧ ଏପ୍ରିଲରେ ସେ କଂଗ୍ରେସ ଦଳରେ ଯୋଗଦେଇ ସେହି ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପୁଣିଥରେ ମୟୂରଭଂଜ ଲୋକସଭା ଆସନ ଜିତିଲେ ଏବଂ ଏହି ସଦସ୍ୟକାଳ ଭିତରେ ୩୧ ଜୁଲାଇ ୧୯୯୩ ମସିହାରେ ମୃତ୍ୟୁବରଣ କଲେ।

ମୃତ୍ୟୁ ପର୍ଯ୍ୟନ୍ତ ମୟୂରଭଂଜ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ଆଦିବାସୀ ପରିବାରରେ ଜନ୍ମିତ ଏହି ପ୍ରାକ୍ତନ ଆଇଏଏସ୍ ଅଫିସର ଭାଗେ ଗୋବର୍ଦ୍ଧନ । ପ୍ରାଶାସନିକ ଅଫିସର ହିସାବରେ ୨୦ ବର୍ଷର କାର୍ଯ୍ୟକାଳ ଭିତରେ ସେ ଯେତିକି ସଫଳତା ହାସଲ କରିଥିଲେ ମାତ୍ର ୧୦ ବର୍ଷର ରାଜନୈତିକ ଜୀବନରେ ସେ ତା’ଠାରୁ ଅଧିକ ସଫଳତା ପାଇଥିଲେ।
ନିଜ ଭାଗ୍ୟ ନିଜ ହାତରେ ଗଢ଼ିଥିଲେ ସେ।

ସମ୍ବନ୍ଧିତ ଖବର