ପ୍ରଥମ ଓଡ଼ିଆ ମହିଳାଙ୍କ ‘ଗୃହ’ପ୍ରବେଶ!

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

0

୧୯୮୧ ମସିହା ଅଗଷ୍ଟ ୧୭ ତାରିଖ, ଲୋକସଭା ସଦନ, ନୂଆଦିଲ୍ଲୀ। ସେଦିନ ନୂଆକରି ନିର୍ବାଚିତ ହୋଇ ଆସିଥିବା କିଛି ସଦସ୍ୟ ଶପଥ ନେବାର କାର୍ଯ୍ୟକ୍ରମ ଥାଏ। ପାଖାପାଖ ବସିଥାନ୍ତି ଜଣେ ଓଡ଼ିଆ ମହିଳା ଓ ଅନ୍ୟ ଜଣେ ସୌମ୍ୟଦର୍ଶନ ଯୁବକ।

‘‘ଡୁ ୟୁ ନୋ ହ୍ବାଟ୍‌ ୱିଲ୍‌ ହାପନ୍‌ ହିଅର୍‌ ଟୁଡେ (ଆଜି ଏଠି କ’ଣ ଘଟିବ ଜାଣନ୍ତି କି)?’’ ପଚାରିଲେ କୌତୂହଳୀ ମହିଳା ଜଣକ। ପାଖରେ ବସିଥିବା ଯୁବକ ଜଣକ ହସହସ ମୁହଁରେ ଉତ୍ତର ଦେଲେ। ‘‘ଆଇ ଅଲ୍‌ସୋ ଡୁ ନଟ୍‌ ନୋ ଏନିଥିଙ୍ଗ୍‌ (ମୁଁ ବି କିଛି ଜାଣେନା)।’’

ଜୟନ୍ତୀ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ଶୀତଳ ବହ୍ନି’ରେ ବର୍ଣ୍ଣିିତ ଏହି କଥୋପକଥନଟି ଥିଲା, ଶପଥ ନେବା ପାଇଁ ଅପେକ୍ଷା କରିଥିବା ଲୋକସଭାରେ ଓଡ଼ିଶାର ପ୍ରଥମ ମହିଳା ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଏବଂ ଉତ୍ତରପ୍ରଦେଶର ଆମେଥିରୁ ନିର୍ବାଚନ ଜିଣି ପ୍ରଥମ କରି ଲୋକସଭାକୁ ଆସିଥିବା ରାଜୀବ ଗାନ୍ଧୀଙ୍କ ଭିତରେ। ସାନଭାଇ ସଂଜୟ ଗାନ୍ଧୀଙ୍କ ମୃତ୍ୟୁପରେ ଆମେଥି ଆସନରୁ ଉପନିର୍ବାଚନ ଜିଣି ଲୋକସଭାକୁ ଆସିଥିଲେ ରାଜୀବ ଗାନ୍ଧୀ। ସେହିପରି ଓଡ଼ିଶାର କଟକ ଆସନରୁ ଲୋକସଭା ଉପନିର୍ବାଚନ ଜିଣି ସଦନକୁ ଆସିଥାନ୍ତି ଜୟନ୍ତୀ।

ରାଜ୍ୟ ବିଧାନସଭା ଓ ରାଜ୍ୟସଭାରେ ଓଡ଼ିଆ ମହିଳାମାନେ ଆସନ ଜମାଇ ସାରିଥିଲେ ବହୁତ ଦିନ ତଳୁ। ୧୯୭୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିଥିବା ଶ୍ରୀମତୀ ନନ୍ଦିନୀ ଶତପଥୀ ଥିଲେ ଦେଶର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ। ମାତ୍ର ଲୋକସଭାକୁ ଓଡ଼ିଶାରୁ ଜଣେ ହେଲେ ମହିଳା ଯେ ୧୯୮୧ ପର୍ଯ୍ୟନ୍ତ ନିର୍ବାଚିତା ହୋଇ ଆସିପାରିନଥିଲେ, ଏହା ବିଶ୍ୱାସ କରିହେଉନଥିଲେ ବି ସତ।

୧୯୫୧ରୁ ୧୯୮୦ ମଧ୍ୟରେ ସାତଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେମଧ୍ୟରୁ କେତୋଟିରେ ଓଡ଼ିଶାର କେହି ଜଣେ ବି ମହିଳା ପ୍ରାର୍ଥୀ ହୋଇ ନଥିଲେ। ୧୯୮୦ ମସିହାରେ ମାତ୍ର ଦୁଇଜଣ ମହିଳା ଲୋକସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଜନତା ଦଳ ଟିକେଟରେ ଆସ୍କାରୁ ଶାନ୍ତି କୁମାରୀ ଦେବୀ ଓ ବାଲେଶ୍ୱର ଆସନରୁ ସ୍ୱାଧୀନ ପ୍ରାର୍ଥୀ କମଳିନୀ ପାତ୍ର। ମାତ୍ର ଏମାନଙ୍କ ମଧ୍ୟରୁ କେହି ନିର୍ବାଚନ ଜିଣିପାରିନଥିଲେ। ଏହି ବର୍ଷ କଟକ ଲୋକସଭା ଆସନରୁ ଜିଣିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ମାତ୍ର ସେ ରାଜ୍ୟର ନବଗଠିତ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାରୁ ତାଙ୍କୁ ଆଠଗଡ଼ ବିଧାନସଭା ଆସନରୁ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିବାକୁ ପଡ଼ିଲା ଏବଂ ସେ ତାଙ୍କ ଲୋକସଭା ଆସନରୁ ଇସ୍ତଫା ଦେଲେ। ଫଳରେ ୧୯୮୧ ମସିହା ଜୁନ୍‌ ମାସରେ କଟକ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେଲା। ଏହି ଆସନରୁ କଂଗ୍ରେସଦଳର ପ୍ରାର୍ଥୀରୂପେ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ରବି ରାୟଙ୍କୁ ପାଖାପାଖି ୫୦ ହଜାର ଭୋଟ୍‌ରେ ପରାସ୍ତ କରି ନିର୍ବାଚିତା ହେଲେ।

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ କନ୍ୟା ଜୟନ୍ତୀ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଦର୍ଶନ ଓ ସଂସ୍କୃତରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜୟନ୍ତୀ ବମ୍ବେସ୍ଥିତ ‘ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍‌ସେସ୍‌’ରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଜାନକୀବାବୁଙ୍କ ଦ୍ବାରା ୧୯୬୭ରେ ପ୍ରତିଷ୍ଠିତ ‘ପୌରୁଷ’ ପତ୍ରିକାରେ ଧାରାବାହିକ ଭାବେ କେ.ଏମ୍‌. ମୁନ୍‌ସିଙ୍କର ‘କୃଷ୍ଣାବତାର’ର ଅନୁବାଦ କରି ସେ ଓଡ଼ିଶାର ଘରେ ଘରେ ପରିଚିତା। ସେ କିଛିକାଳ ‘ପୌରୁଷ’ର ସମ୍ପାଦିକା ମଧ୍ୟ ଥିଲେ। ୧୯୮୧ରେ ଲୋକସଭାକୁ ନିର୍ବାଚିତା ହେବାପରେ ସେ ପୁଣିଥିରେ ୧୯୮୪ରେ ସେହି କଟକ ଆସନରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତା ହୋଇଛନ୍ତି। ଏହାଛଡ଼ା ୧୯୯୬ରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତା ହୋଇଥିଲେ।

ପ୍ରଥମଥର ଲୋକସଭାକୁ ଗଲାବେଳେ ସେ ସ୍ୱାମୀଙ୍କ ସହ ଏକାଠି ଯାଇଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିବା ପାଇଁ। ତାଙ୍କ ମନରେ ଅନେକ ପ୍ରଶ୍ନ। ଶ୍ରୀମତୀ ଗାନ୍ଧୀ ତାଙ୍କୁ କ’ଣ ପଚାରିବେ ଓ ସେ କ’ଣ ଉତ୍ତର ଦେବେ ଇତ୍ୟାଦି। କିନ୍ତୁ ସେ ଯେତେବେଳେ ସଂସଦ ଭବନସ୍ଥିତ ପ୍ରଧାନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରବେଶ କଲେ, ଶ୍ରୀମତୀ ଗାନ୍ଧୀ ନିଜେ ଦୁଆର ପାଖକୁ ଉଠିଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ। ସତେ ଯେମିତି ସେ ନିଜର ଜଣେ ଅତି ପରିଚିତା ସହକର୍ମୀଙ୍କୁ ଅପେକ୍ଷା କରି ବସିରହିଥିଲେ ଭେଟିବା ପାଇଁ। ଜୟନ୍ତୀଙ୍କ ଜୀବନୀ ପୁସ୍ତକ ‘ଶୀତଳ ବହ୍ନି’ରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ସୂଚାଇ ଦିଏ ଇନ୍ଦିରା ଗାନ୍ଧୀଙ୍କ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ବ ଏବଂ ଲୋକସଭା ସଦନରେ ପ୍ରଥମ ଓଡ଼ିଆ ମହିଳାଙ୍କ ଗୃହପ୍ରବେଶ କାଳରେ ପ୍ରଥମ ସଙ୍ଖୋଳାର ଅନୁଭୂତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.