ଭୋଟବେଳେ ସମ୍ବଲପୁରରେ ଉତ୍ତେଜନା : ପୋଲିଂ ଏଜେଣ୍ଟଙ୍କୁ ମାଡ଼, ଜୟନାରାୟଣ ଅଟକ

ସମ୍ବଲପୁର : ତୃତୀୟ ପର୍ଯ୍ୟାନ ନିର୍ବାଚନ ପାଇଁ ମତଦାନ ହେଉଥିବାବେଳେ ଆଜି ସମ୍ବଲପୁରଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ସମ୍ବଲପୁର ସହର ଟାଉନ ହାଇସ୍କୁଲ ବୁଥ୍‌ରେ ବିଜେଡିର ପୋଲିଂ ଏଜେଣ୍ଟଙ୍କୁ ପୂର୍ବତନ ନଗରପାଳଙ୍କ ପୁଅ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ସେହିଭଳି, ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ସର୍ଲା ଯାଇଥିବାବେଳେ ବିଜେଡି ସମର୍ଥକ ତାଙ୍କୁ ଅଟକ କରିଥିବା ମଧ୍ୟ ଜଣାପଡ଼ିଛି।

ମାଡ଼ ଖାଇଥିବା ପୋଲିଂ ଏଜେଣ୍ଟ ହେଲେ ହରିଶଙ୍କର କରନ। ହରିଶଙ୍କରଙ୍କ ଅଭିଯୋଗ ଅନୁଯାୟୀ, ସେ ବୁଥ୍‌ ମଧ୍ୟରେ ଥିଲେ। ପୂର୍ବାହ୍ନ ୧୨ଟାରେ କିଛି ସମୟ ପାଇଁ ଗେଟ ପାଖରେ ଛିଡ଼ା ହୋଇଥିଲେ। ଅଚାନକ ବିଜେପିର କିଛି ସମର୍ଥକ ତାଙ୍କ ପାଖକୁ ଆସି ଭୋଟର୍‌ଙ୍କୁ କାହିଁକି ପ୍ରଭାବିତ କରୁଛ ବୋଲି ପଚାରିଥିଲେ। ଏହି ସମୟରେ ଜଣେ ପୂର୍ବତନ ନଗରପାଳଙ୍କ ପୁଅ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ, ପୂର୍ବତନ ନଗରପାଳ ମାଡ଼ପିଟକୁ ଅସ୍ବୀକାର କରିଛନ୍ତି।

ସେହିଭଳି, ସର୍ଲାରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ସ୍ଥାନୀୟ ଲୋକମାନେ ଅଟକାଇ ରଖିଥିଲେ। ବିଜେପି ସମର୍ଥକଙ୍କ ଅଭିଯୋଗ ଅନୁଯାୟୀ, ବିଜେପିର ସରୋଜ ଘଡ଼େଇଙ୍କୁ ୨ ଜଣ ବିଜେଡି ସମର୍ଥକ ମାଡ଼ ଦେଇଥିଲେ। ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ପୁଲିସ ଶୁଣିନଥିଲା। ଫଳରେ, ଶ୍ରୀ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିସମୟରେ ବିଜେଡି ସମର୍ଥକମାନେ ତାଙ୍କୁ ଅଟକ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ଉଦ୍ଧାର କରାଯାଇ ଥିଲା। ଅନ୍ୟପକ୍ଷରେ, ବିଜେଡି ପକ୍ଷରୁ କୁହାଯାଇଛି ଯେ, ସର୍ଲାରେ ଟଙ୍କା ବଣ୍ଟନ ଉଦ୍ୟମକୁ ସେମାନେ ବିରୋଧ କରିଥିଲେ।

ଅନ୍ୟପକ୍ଷରେ, ବୁର୍ଲାର ମହତାବ ନଗରରେ ରାଗିଂଗ ଅଭିଯୋଗ ନେଇ ବିଜେଡି ଏବଂ କଂଗ୍ରେସ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ସିଆରପିଏଫ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲା।

ସମ୍ବନ୍ଧିତ ଖବର