ମାଓ ଅଧ୍ୟୁଷିତ ଅଞ୍ଚଳରେ ମତଦାନ : ଉତ୍ସାହ ଦେଖାଇଲେ ଭୋଟର୍‌, ସ୍ବାଭାବିକ ହେଲା ଭୋଟ ଗ୍ରହଣ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନମଣ୍ଡଳୀ ମାଓପ୍ରବଣ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଗତ ୧୦ ତାରିଖରେ ମାଓବାଦୀମାନଙ୍କ ପକ୍ଷରୁ ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପରିସରରେ ମାଓ ପୋଷ୍ଟର ‌ଓ ବେନରରେ ଭୋଟ ବର୍ଜନ ପାଇଁ ଆହ୍ବାନ ଦିଆ ଯାଇଥିଲା। ଗୁରୁବାର ୧୮ ତାରିଖ ମାଓପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେ ଗୁଡିକରେ ମତଦାନ କରିବା ପାଇଁ ଅଞ୍ଚଳବାସୀ ଅତି ଉତ୍ସାହରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’ ଟିମ ପହଞ୍ଚିଥିଲା।

ଏହି ନିର୍ବାଚନମଣ୍ଡଳୀର ସମୁଦାୟ ୩୪୨ଟି ବୁଥ ମଧ୍ୟରୁ ୪୭ଟି ସମ୍ବେଦନଶୀଳ ବୁଥ ଥିଲା। ମାଓପ୍ରବଣ ଅଞ୍ଚଳରେ ଗତ ୧୫ ତାରିଖରୁ କମ୍ବିଂ ଜୋରଦାର କରା ଯାଇଥିଲା। ଏହା ୧୯ ତାରିଖ ପର୍ଯ୍ୟନ୍ତ କରାଯିବ। ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ପାଣ୍ଡେସରା, ବାଘମୁଣ୍ଡ, ଗୁଞ୍ଚାଡିହି, ଡାଙ୍ଗବାହାଲ, ଦମକିପାଲି, ଚନ୍ଦନଜୁରୀ ଆଦି ମାଓପ୍ରବଣ ଅଞ୍ଚଳର ଅତି ସମ୍ବେଦନଶୀଳ ବୁଥମାନଙ୍କରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଥିଲା। ଏ ଅଞ୍ଚଳରେ ମାଜିଷ୍ଟ୍ରେଟ ଦାୟିତ୍ବରେ ପାଟଣାଗଡ଼ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ ଓ ଏସଡିପିଓ ସୁରେଶ ନାଏକ ପ୍ରମୁଖ ବୁଲୁଥିଲେ। ‌ସେହିପରି ଖପ୍ରାଖୋଲ ବ୍ଲକର ଅତି ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫ ଯବାନ ଓ ପୁଲିସ ମୁତୟନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ବିଡିଓ ତରଣୀ ସୁନା ଓ ଥାନାଧିକାରୀ ଜ୍ୟୋତି ରଞ୍ଜନ ପତି ବୁଲୁଥିଲେ। ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ବୁଥରେ ଇଭିଏମ ତ୍ରୁଟି ରହିଥିଲା। ମାଟିଆଭଟାରେ ଦୁଇଟି ମେସିନ ସହିତ ରେଙ୍ଗାଲି ପଞ୍ଚାୟତର ଆମବାହାଲି, ମହରାପଦର ପଞ୍ଚାୟତର ବାଗଝରନ୍, ତେଲେନପାଲି ପଞ୍ଚାୟତର ଘୁଚାପାଲି, ଟଙ୍କପାଣି ପଞ୍ଚାୟତର ବୁଢାଛାପର ଆଦି ବୁଥରେ ଇଭିଏମରେ ତ୍ରୁଟି ହେବାରୁ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଖପ୍ରାଖୋଲ ବ୍ଲକ ମାଓପ୍ରବଣ ଅଞ୍ଚଳର ରେଙ୍ଗାଲି, ତେଲେନପାଲି, ଯମୁନାପାଲି, ବେନ୍ଦେର, ବାଗଝରନ୍, ସାପମୁଣ୍ଡ, ଖୁରିପାନି ଆଦି ବୁଥରେ ‘ସମ୍ବାଦ’ ଟିମ ପହଞ୍ଚିଥିଲା। ସେ ଅଞ୍ଚଳରେ ସିଆରପିଏଫ ଯବାନମାନଙ୍କ ଛାଉଣି ରହିଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ଭୋଟରମାନେ ନିଜ ମନରୁ ଭୟ ଦୂର କରି ଉତ୍ସାହର ସହିତ ବୁଥଗୁଡ଼ିକରେ ପହଞ୍ଚି ମତଦାନ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର