ବ୍ୟାସକବି ଫକୀରମୋହନ ଜୟନ୍ତୀ ସମାରୋହର ଦ୍ବିତୀୟ ଦିବସ : ପ୍ରତିମୂର୍ତ୍ତିରେ ଫକୀରମୋହନ ଏବେ ବି ଜୀବନ୍ତ ଲାଗନ୍ତି

ଶାନ୍ତନୁ କୁମାର ଆଚାର୍ଯ୍ୟ ପାଇଲେ ‘ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର’

ବାଲେଶ୍ବର : ବ୍ୟାସକବି ଫକୀରମୋହନଙ୍କ ଜନ୍ମକୁ ୧୭୭ ବର୍ଷ ବିତିଗଲାଣି। ଏ ଭିତରେ ଏତେ ବର୍ଷ ବିତିଗଲାଣି। ଏବେ ସେ ଆମ ଗହଣରେ ନାହାଁନ୍ତି। କିନ୍ତୁ ଲାଗୁଛି ସେ ଏଇଠି କେଉଁଠି ଅଛନ୍ତି। ମୋତେ ଏଇ ପ୍ରତିମୂର୍ତ୍ତି ଭିତରେ ସେ ଜୀବନ୍ତ ଲାଗୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ଶାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ।

ଆଜି ଶାନ୍ତିକାନନ ଠାରେ ବ୍ୟାସକବି ଫକୀରମୋହନଙ୍କ ୧୭୭ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ବ୍ୟକ୍ତିର ଅମରତ୍ବ ଯେତେବେଳେ ସାହିତ୍ୟର ଅମରତ୍ବରେ ପରିଣତ ହୁଏ, ସେତେବେଳେ ମଣିଷର ଆଉ ଗୋଟିଏ ରୂପ ‌ଦେଖିବାକୁ ମିଳେ।

ଫକୀରମୋହନ ସାହିତ୍ୟ ପରିଷଦ ଓ ବାଲେଶ୍ବର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଫକୀରମୋହନଙ୍କ ମହିଳା ଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।

ପରିଷଦର ସଭାପତି ଡ. ଶିରୀଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବେଦବିତ୍ ଇଂ ପ୍ରିୟବ୍ରତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକୀରମୋହନ ଜଣେ ସଫଳ ଅଶ୍ବାରୋହୀ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର ଅତିଥିମାନେ ଉନ୍ମୋଚିତ କରିଥିଲେ। ନିବାରଣ ଜେନା ପ୍ରାକ୍‌କଥନ ରଖିଥିବାବେଳେ ସମ୍ପାଦକ ଡା. କୁମାର ଗୋପାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର’ରେ ସମ୍ମାନୀତ କରାଯାଇଥିଲା। ଦୀନବନ୍ଧୁ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବିମଳ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ତନୁଜା ପଣ୍ଡା ଓ ପ୍ରଦୀପ୍ତ ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କରିଥିଲେ। ଶେଷରେ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସନ୍ଧ୍ୟା କାର୍ଯ୍ୟକ୍ରମରେ ବାଲେଶ୍ବର ‘କଳାକାର’ ପକ୍ଷରୁ ‘ଶ୍ରେଷ୍ଠ ଅବତାର’ ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ନାଟକକୁ ସୁଶାନ୍ତ କୁମାର ଦାସ ରଚନା କରିଥିବାବେଳେ ଡା. କୁମାର ଗୋପାଲ ନିର୍ଦେଶନା ଦେଇଥିଲେ।

ସମ୍ବନ୍ଧିତ ଖବର