ବ୍ୟାସନଗର ବିକାଶ ଚୁଲିକୁ, ବାଧକ ସାଜିଛି ପାନ୍ତରଅନ୍ତର ନୀତି

ଯାଜପୁର : ବ୍ୟାସନଗର ବିକାଶ ଚୂଲିକୁ। ବିକାଶରେ ବାଧକ ସାଜିଛି ପାନ୍ତରଅନ୍ତର ନୀତି। କାହାକୁ ମେଞ୍ଚାଏ ତ କାହାକୁ କେଞ୍ଚାଏ ଅନୁଦାନ ଯୋଗାଇ ଦିଆଯାଇଛି। ବିଶେଷ କରି ଦୂରଦୃଷ୍ଟିର ଅଭାବ ଏବଂ ରାଜନୈତିକ ଛକ୍କାପଞ୍ଝା ଯୋଗୁଁ ବିକାଶ ବାଟ ହୁଡ଼ିଛି। ଏଭଳି ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ପଡ଼ିଛି।

ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ହେବା ନହେବା ନେଇ ଅନିଶ୍ଚିତା ଲାଗି ରହିଥିବା ବେଳେ ଏବେ ବ୍ୟାସନଗର ବିକାଶ ମୁଖ୍ୟ ପ୍ରସଙ୍ଗ ହୋଇଛି। ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ଦ୍ୱାରଦେଶ ବ୍ୟାସନଗର ପୌରାଞ୍ଚଳର ହାଲତ ଆଦୌ ଭଲ ନାହିଁ। ରାଜନେତାଙ୍କ ଦୂର ଦୃଷ୍ଟିର ଅଭାବ ଓ ଅନ୍ତରପାନ୍ତର କାର୍ଯ୍ୟକଳାପ ବ୍ୟାସନଗର ବିକାଶକୁ ଦୋ’ଛକିରେ ଠିଆ କରାଇ ଦେଇଛି। ପ୍ରତି ପଦକ୍ଷେପରେ ରାଜନୀତି ଯଜ୍ଞରେ ସହରବାସୀଙ୍କ ବିକାଶ ବଳି ପଡ଼ିଯାଉଛି ।

ଗତ ୫ବର୍ଷ ୨୦୧୩-୧୪ ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ବ୍ୟାସନଗର ପୌରାଞ୍ଚଳକୁ ବିଭିନ୍ନ ଯୋଜନା ବାବଦରେ ମିଳିଥିବା ୧୬କୋଟି ୭୫ଲକ୍ଷରୁ ଊର୍ଦ୍ଧ୍ୱ ଅନୁଦାନ ୨୬ ଓ୍ଵାର୍ଡ଼ରେ ଭାଗବଣ୍ଟା ହୋଇଥିବା ବେଳେ ରାଜନୀତି ଗୋଟି ଚାଳନାରେ ସମୂହ ବିକାଶ ଗୋଷ୍ଠୀ କନ୍ଦଳରେ ବଳି ପଡ଼ିଯାଇଛି। ଐତିହ୍ୟ ସମ୍ପନ୍ନ ବ୍ୟାସସରୋବରକୁ ନେଇ ଗଢି ଉଠିଥିବା ବ୍ୟାସନଗର ପୌରାଞ୍ଚଳ ଏବଂ ଶିଳ୍ପାଞ୍ଚଳ କଳିଙ୍ଗନଗରର ମୁଖଶାଳା ଏହି ସହର ବିକାଶ ପାଇଁ ସହରବାସୀ ବହୁ ଆଶା ବାନ୍ଧିଥିଲେ। ମାତ୍ର ୫ବର୍ଷ ପରେ ଆଜି ସହର ଅଗ୍ରଗତି ପରିବର୍ତ୍ତେ ଓଲଟା ଚିତ୍ର ସବୁ ଠାରେ ଦେଖିବାକୁ ମିଳୁଛି।

ମିଳିଥିବା ସୂଚନା ମୁତାବକ ଏହି ୫ ବର୍ଷରେ ୨୬ଟି ଓ୍ଵାର୍ଡ଼ ମଧ୍ୟରୁ ସବୁଠାରୁ ଅଧିକ କାଉନ୍‌ସିଲର୍‌ ଉଷାରାଣୀ ସାମଲଙ୍କ ୧୨ ନମ୍ବର ଓ୍ଵାର୍ଡ଼ରେ ସର୍ବାଧିକ ୮୫.୫ଲକ୍ଷ ଟଙ୍କା ବ୍ୟୟ ହୋଇଛି। ସେହିପରି ଉପନଗରପାଳ ସୁବାସ ବଳଙ୍କ ୯ନମ୍ବର ଓ୍ଵାର୍ଡ଼ରେ ୮୫.୪୯ଲକ୍ଷ ଟଙ୍କା ବ୍ୟୟ ହୋଇଥିବ ବେଳେ ପୌରାଧ୍ୟକ୍ଷା ସବିତା ରାଉତଙ୍କ ୧୨ ନମ୍ବର ଓ୍ଵାର୍ଡରେ ୭୩.୭୩ଲକ୍ଷ ଟଙ୍କାର ରାସ୍ତାଘାଟ, ଡ୍ରେନ ପ୍ରଭୃତି କାମ ହୋଇଛି। ଏହାବାଦ୍‌ ସାଧାରଣ ଅନ୍ୟାନ୍ୟ କାମ ହୋଇଛି। ମାତ୍ର ଏହି ୫ବର୍ଷ ମଧ୍ୟରେ କାଉନ୍‌ସିଲର୍‌ ସ୍ୱେହଲତା ଜେନାଙ୍କ ୭ନମ୍ବର ଓ୍ଵାର୍ଡ଼ରେ ମାତ୍ର ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୮ନମ୍ବର ଓ୍ଵାର୍ଡ଼ ଅନୁପମା ଜେନାଙ୍କ ୧୮ନମ୍ବର ଓ୍ଵାର୍ଡ଼ରେ ୨୩ ଲକ୍ଷ, ବିନ୍ଦୁବତୀ ବେହେରାଙ୍କ ୫ନମ୍ବର ଓ୍ଵାର୍ଡ଼ ଓ ନିର୍ମଳା ମଲିକଙ୍କର ୬ନମ୍ବର ଓ୍ଵାର୍ଡ଼ରେ ୨୮ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଇଛି।

ସରକାରୀ ଅନୁଦାନ ଅର୍ଥରେ ପାତରଅନ୍ତରକୁ ନେଇ ଆରମ୍ଭ ହୋଇଥିବା ବିବାଦ ରାଜନୈତିକ ରୂପ ନେଇଥିଲା। ପରେ ଅନାସ୍ଥା ଭୋଟ୍‌ରେ ଅଧ୍ୟକ୍ଷା ସବିତା ରାଉତ ଭାଗ୍ୟ ବନ୍ଦ ବାକ୍ସ ମଧ୍ୟରେ ରହିଛି। ଯାହାକି ଏବେ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି। ଶ୍ରୀମତୀ ରାଉତ ରାଜନୈତିକ ଚକ୍ରବ୍ୟୁହରେ ପଡ଼ି ମଧ୍ୟ ନିଜର ପଦବି ବଜାଇ ରଖିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ସହର ବିକାଶ ସଂପୂର୍ଣ୍ଣ ବାଟ ହୁଡ଼ିଛି। ରାଜନୈତିକ ଚକ୍ରବ୍ୟୂହରୁ ବ୍ୟାସନଗର ସହରବାସୀଙ୍କ ମୁକ୍ତି କେବେ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର