କେନ୍ଦ୍ର ବଜେଟ୍‌ ନେଇ ମୁହାଁମୁହିଁ

ଭୁବନେଶ୍ବର : କେନ୍ଦ୍ର ବଜେଟ୍‌କୁ ନେଇ ବିଜେପି-ବିଜେଡି ଆଜି ମୁହାଁମୁହିଁ ହୋଇଛନ୍ତି। ଶାଣିତ ଭାଷାରେ ଉଭୟ ପରସ୍ପରକୁ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବଜେଟ୍‌କୁ ନେଇ ଦେଇଥିବା ପ୍ରତିକ୍ରିୟା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମିଛ କହିବାରେ ସିଦ୍ଧହସ୍ତ। ଅସାଧୁ, ଅଯୋଗ୍ୟ ଅଫିସର୍‌ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ମିଛ କହୁଛନ୍ତି। ଜବାବ ଦେଇ ବିଜେଡି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ। ରାଜ୍ୟବାସୀଙ୍କ ନିକଟରେ ସେ ବିଶ୍ବସନୀୟତା ହରାଇସାରିଛନ୍ତି।

ଗଣମାଧ୍ୟମକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କହିଛନ୍ତି, କେନ୍ଦ୍ର ବଜେଟ୍‌ରେ ଭାରତକୁ ନୂଆ କରି ଗଢ଼ି ତୋଳିବାରେ ଗୋଟେ ଲମ୍ବା ଦୌଡ଼ ପାଇଁ ଭିତ୍ତିଭୂମି କରାଯାଇଛି। ନିର୍ବାଚନ ତା’ ବାଟରେ ଯିବ। କିନ୍ତୁ ବଜେଟ୍‌ରେ କଲ୍ୟାଣକାରୀ ବ୍ୟବସ୍ଥା ଆଉ ଏକ କଥା। ଏହି ବଜେ୍‌ଟରେ ଓଡ଼ିଶାର ବିକାଶ, ବିଶେଷ କରି ରେଳ ବିଭାଗରେ ରାଜ୍ୟର ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। କଂଗ୍ରେସ ଶାସନ ସମୟରେ ଓଡ଼ିଶାକୁ ରେଳ ବିଭାଗରେ ୫୦୦୦ କୋଟି ଟଙ୍କା ମିଳୁ ନ ଥିଲା। କିନ୍ତୁ ମୋଦୀ ସରକାରଙ୍କ ସମୟରେ ଏ ବର୍ଷ ପୂର୍ବତଟ ରେଳ ବିଭାଗ ପକ୍ଷରୁ ୭୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେହିପରି ବଜେଟ୍‌ର ଦୁଇ ତିନିଟି ଯୋଜନାରେ ଓଡ଼ିଶା ଅଧିକ ଲାଭାନ୍ବିତ ହେବ। ଅଣସଂଗଠିତ ଶ୍ରମିକ, କୃଷକ ଓ ମତ୍ସଚାଷୀମାନେ କେନ୍ଦ୍ର ସରକାରଙ୍କ ଯୋଜନାରୁ ଲାଭ ପାଇବେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ୨୦୧୮ ଡିସେମ୍ବର ୧ରୁ ଲାଗୁ କରାଯିବ। ଏହାର ପ୍ରଥମ କିସ୍ତି ମାର୍ଚ୍ଚ ୩୧ ଭିତରେ ମିଳିବ। ତେଣୁ ଚାଷୀ ଚିହ୍ନଟ ହେବା ନେଇ ରାଜ୍ୟ ସରକାର ସହଯୋଗ କରିବେ ବୋଲି ଆଶା। କୃଷି ରାଜ୍ୟ ବିଷୟ ହେଲେ ବି କେନ୍ଦ୍ର ସରକାରଙ୍କର ମଧ୍ୟ ଏକ ଦାୟିତ୍ବ ଅଛି। ରାଜ୍ୟ ସରକାର ସହଯୋଗ କଲେ ଚାଷୀ ଚିହ୍ନଟରେ ବିଳମ୍ବ ହେବ ନାହିଁ।

କାଳିଆ ‌ଯୋଜନାକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଲେ, କାଳିଆ ଯୋଜନାରେ ବଜେଟ୍‌ ବ୍ୟବସ୍ଥା ହୋଇ ନାହିଁ। ରାଜ୍ୟ ସରକାର ପାଞ୍ଚ କିସ୍ତିର ଏକ ସୀମିତ ଯୋଜନା କରିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ଆରମ୍ଭ କରିଛନ୍ତି। ଏହି ଯୋଜନା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ସରକାରୀ କଳର ସ୍ବଚ୍ଛତା ନାହିଁ। ସେହିପରି ଭାଗ ଚାଷୀଙ୍କ ପାଇଁ ବାରମ୍ବାର କହିଲା ପରେ ମଧ୍ୟ ସରକାର ଆଇନ ଆଣିଲେ ନାହିଁ। ସରକାର କେଉଁ ଆଧାରରେ ଭାଗଚାଷୀ ଚିହ୍ନଟ କରିବେ, ତାହା ସ୍ପଷ୍ଟ କରନ୍ତୁ। ‌କେନ୍ଦ୍ରରେ ଓଡ଼ିଶାର ବକେୟା ବାବଦରେ ଶ୍ରୀ ପ୍ରଧାନ କହିଲେ, ମୁଖ୍ୟମନ୍ତ୍ରୀ ତାଲିକା ଧରି ୬୦୦୦ କୋଟି ଟଙ୍କା ବାକି ପଇସା ନେବାକୁ ଦିଲ୍ଲୀ ଯାଇଥିଲେ। କିନ୍ତୁ ତାଲିକା ମଗାଯାଇଥିଲେ ମଧ୍ୟ ଏ ଯାଏ ତାଲିକା କାହିଁକି ମିଳିଲା ନାହିଁ ବୋଲି ‌େସ ପ୍ରଶ୍ନ କରିଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିସନ୍‌ଙ୍କ ସୁପାରିସ୍ ଅନୁଯାୟୀ ୨୦୧୫ରୁ ୨୦୨୦ ମଧ୍ୟରେ ରାଜ୍ୟକୁ ୨୬,୩୪୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ଯେତେବେଳେ ଭାରତର ଅଭିବୃଦ୍ଧି ହ୍ରାସ ପାଇଛି ଓ କୃଷି ଠାରୁ ଆରମ୍ଭ କରି ଶିଳ୍ପ ଜଗତରେ ସ୍ଥାଣୁତା ଦେଖାଦେଇଛି, ସେତେବେଳେ ତା‌’ର ସିଧାସଳଖ ପ୍ରଭାବ ଟିକସ ଉପରେ ପଡ଼ିଛି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିଛି। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଏହି ଅର୍ଥନୀତିକୁ ବୁଝିପାରୁ ନାହାନ୍ତି। ସେହିପରି କାଳିଆ ଯୋଜନାକୁ ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଓ କୃଷି ବିଶେଷଜ୍ଞମାନେ ପ୍ରଶଂସା କରୁଥିବା ବେଳେ ଶ୍ରୀ ପ୍ରଧାନ ଏହାକୁ କଟାକ୍ଷ କରିବା ତାଙ୍କର ଅସହିଷ୍ଣୁତାକୁ ପରିପ୍ରକାଶ କରୁଛି। କେନ୍ଦ୍ର ସରକାର କାଳିଆ ଯୋଜନାର ଅନୁକରଣ କରି ଏକ ଯୋଜନା ଗତକାଲି ତାଙ୍କର କାମଚଳା ବଜେଟ୍‌ରେ ଆଣିଥିଲେ, ଯାହା କି ଅତ୍ୟନ୍ତ ନୈରାଶ୍ୟଜନକ। କାଳିଆ ଯୋଜନାରେ ଓଡ଼ିଶାର ୯୨ ପ୍ରତିଶତ ଚାଷୀ ଉପକୃତ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ କିଷାନ ଯୋଜନା ରାଜ୍ୟର ଅତି କମ୍ ସଂଖ୍ୟକ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ।

ରେଳବାଇ ସମ୍ପର୍କରେ ଶ୍ରୀ ଜେନା କହିଛନ୍ତି, ଏ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ତଥ୍ୟ ଓ ସତ୍ୟ ଉପରେ ଆଧାରତ ନୁହେଁ। ୭ ହଜାର କୋଟି ଟଙ୍କାର ବ୍ୟୟବରାଦ କେବଳ ଓଡ଼ିଶା ନୁହେଁ, ସମ୍ପୂର୍ଣ୍ଣ ପୂର୍ବତଟ ରେଳବାଇ ପାଇଁ ଉଦ୍ଦିଷ୍ଟ। ଏଥିରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ସାମିଲ ଅଛନ୍ତି। ବିଗତ ବର୍ଷରେ ରେଳବାଇ ଓଡ଼ିଶାରୁ ୨୦ ହଜାର କୋଟି ଟଙ୍କାର ରାଜସ୍ବ ଲାଭ ନେଇଥିଲା ବେଳେ ରାଜ୍ୟରେ କେବଳ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହା ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର