ଚିଲିକାରେ ବିମାନ ବନ୍ଦର ପାଇଁ ସବୁଜ ସଂକେତ

ପାଇଲଟ୍‌ ପ୍ରକଳ୍ପ ଭାବେ ଦେଶରେ ତିନିଟି ବିମାନବନ୍ଦର ହେବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ କଲା

ଭୁବନେଶ୍ୱର : ଚିଲିକା ମଝିରେ ବିମାନ ଅବତରଣ କରିବ। ସି ପ୍ଲେନ୍‌ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାଇ ଚିଲିକାରେ ଓହ୍ଲାଇବ। ଡିଜିସିଏ ପକ୍ଷରୁ ଓ୍ଵାଟର ଏରୋଡ୍ରମ ନେଇ ଜୁନ୍‌ ମାସରେ ନିୟମାବଳୀ ଜାରି ହୋଇଥିବାବେଳେ ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଅନୁମୋଦନ କରିଛି। ଚିଲିକା ସମେତ ଗୁଜୁରାଟର ସାବରମତୀ ନଦୀ ଏବଂ ସର୍ଦ୍ଦାର ସରୋବର ଡ୍ୟାମ୍‌ରେ ଏହି ‘ଓ୍ଵାଟର ଏରୋଡ୍ରମ’ ପାଇଲଟ୍‌ ପ୍ରକଳ୍ପ ଭାବେ ନିର୍ମାଣ ହେବ। ଏହି ବିମାନବନ୍ଦର ପାଇଁ ଦୁଇ ବର୍ଷିଆ ଲାଇସେନ୍ସ ଅନୁମତି ଦେବାକୁ ଯୋଜନା ହୋଇଥିବାବେଳେ ଏବେ ୬ମାସ ପାଇଁ ଅସ୍ଥାୟୀ ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଛି।

ଡିଜିସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାଣିରେ ବିମାନ ଅବତରଣ କରିବା ସଂକ୍ରାନ୍ତ ବଜାର ଚାହିଦା ଏବଂ କୌଣସି ବିମାନ ଚଳାଚଳ ସଂସ୍ଥା ଏନେଇ ପୂର୍ବରୁ ଦାବି କରିନଥିବାରୁ ଏହି ପ୍ରକଳ୍ପକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ପର୍ଯ୍ୟଟନ ଏବଂ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନିକଟରେ ଥିବା ଜଳଭାଗରେ ଏହି ବିମାନ ବନ୍ଦର ନିର୍ମାଣ ହେବ।

ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ ପାଣି ଭିତରେ ବିମାନ ବନ୍ଦର ନିର୍ମାଣ ପାଇଁ ଓଡ଼ିଶା, ଗୁଜରାଟ, ଆସାମ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର କେତୋଟି ସ୍ଥାନକୁ ଚିହ୍ନଟ କରିଛନ୍ତି। କିନ୍ତୁ ଉପରୋକ୍ତ ତିନିଟି ସ୍ଥାନରେ ବିମାନବନ୍ଦର ଯୋଜନା ସଫଳ ହେବା ପରେ ଅନ୍ୟ ସ୍ଥାନରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ‘ଉଡାନ୍‌’ ଯୋଜନାର ତୃତୀୟ ପର୍ଯ୍ୟାୟରେ ସି-ପ୍ଲେନ୍‌ ଚଳାଚଳ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଚାର କରୁଥିବାରୁ ଏହି ଯୋଜନା ନେଇ ଯାତ୍ରୀ ଏବଂ ବିମାନ ଭଡ଼ା ବାଧକ ସାଜିବନି ବୋଲି କୁହାଯାଇଛି।

ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟର ସୂଚନା ଅନୁଯାୟୀ, ଜଳଭାଗରେ ବିମାନବନ୍ଦର ସ୍ଥାପନ ପାଇଁ ପ୍ରତିରକ୍ଷା, ଗୃହ, ପରିବେଶ ଏବଂ ଜଙ୍ଗଲ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ନେବାକୁ ହେବ। ବିମାନ ଚଳାଚଳ ଆରମ୍ଭ କରିବାର ୯୦ ଦିନ ପୂର୍ବରୁ ଏଥିପାଇଁ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକୁ ଆନୁଷ୍ଠାନିକ ଭାବେ ଆବେଦନ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ଚିଲିକାରେ ଓ୍ଵାଟର ଏରୋଡ୍ରମ୍‌ ପାଇଁ ଗତ ଜୁନ୍‌ ୧୪ ଓ ୧୫ତାରିଖରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ସ୍ପାଇସ୍‌ ଜେଟ୍‌, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍‌ ଚିଲିକାକୁ ବିଭିନ୍ନ ଦିଗରୁ ସର୍ଭେ କରିଥିଲେ। ଭାରତୀୟ ବିମାବନ୍ଦବନ୍ଦର କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକ (ଆର୍କିଟେକ୍ଟ) ସଙ୍ଗୀତା ମହାୟଙ୍କ ନେତୃତ୍ୱରେ ଏହି ଟିମ୍‌ ଚିଲିକାରେ ବିମାନବନ୍ଦର ପାଇଁ ଫିଜିବିଲିଟି ଷ୍ଟଡି କରିଥିଲେ। ଏହି ଟିମ୍‌ ସାତପଡ଼ା ଓ ବାଲୁଗାଁ ପାର୍ଶ୍ୱରେ ଚିଲିକାର ସର୍ଭେ କରିଥିଲେ। ଏଥିରେ କିପରି ବିମାନ ଅବତରଣ କରିବ, କେଉଁ ଦିଗରେ ବିମାନବନ୍ଦର କଲେ ଅଧିକ ସମସ୍ୟା ରହିବନି, କେଉଁଠୁ ଅଧିକ ଯାତ୍ରୀ ଏହାର ସୁବିଧା ନେଇ ପାରିବେ ସେନେଇ ସର୍ଭେ କରିଥିଲେ। ଏହି ଟିମ୍‌ର ରିପୋର୍ଟକୁ ଆଧାର କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଚିଲିକାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଓ୍ଵାଟର ଏରୋଡ୍ରମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛିି।
ଅପରପକ୍ଷେ ସାରା ଦେଶରେ ୧୬ଟି ଏହିପରି ପାଣି ଭିତରେ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଥିବାବେଳେ ଏଥିପାଇଁ ସ୍ପାଇସ୍‌ ଜେଟ୍‌ ପ୍ରାୟ ୧୦୦ଟି ସି-ପ୍ଲେନ୍‌/ ଆମ୍ଫିବିଆନ୍‌ କିଣିବାକୁ ଘୋଷଣା କରିଛି। ଏହାସହ ଓଡ଼ିଶାର ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦବାଲି ଭାୟା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଭୁବନେଶ୍ୱରରୁ ହୀରାକୁଦ ଡ୍ୟାମ୍‌କୁ ସି-ପ୍ଲେନ୍‌ ଉଡ଼ାଣ କରିବାକୁ ସ୍ପାଇସ୍‌ ଜେଟ୍‌ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାକୁ ସବୁଜ ସଂକେତ ଦେଇନଥିବାରୁ ରାଜ୍ୟ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାନ୍ତି।

ସମ୍ବନ୍ଧିତ ଖବର