ଜଳ ଆବଣ୍ଟନ କମିଟିର ପ୍ରସ୍ତାବ : ଜଳ ଦେୟ ୧.୧୨ ଟଙ୍କାକୁ ବୃଦ୍ଧି!

ଭୁବନେଶ୍ୱର : ରାଜ୍ୟରେ ଦେଶର ପ୍ରାୟ ୧୧ ପ୍ରତିଶତ ଜଳ ସଂପଦ ରହିଛି। ଏହାର ବିନିଯୋଗ କ୍ଷେତ୍ରରେ ଜଳ ବିଦ୍ୟୁତ୍‌ ଉତ୍ପାଦନର ଗୁରୁତ୍ୱ ଅଧିକ। ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଭଳି ଏହା ବ୍ୟୟବହୁଳ ତଥା ବ୍ୟାପକ ପ୍ରଦୂଷଣ ସୃଷ୍ଟିକାରୀ ନୁହେଁ। ଏହାର ଉତ୍ପାଦନ ଖର୍ଚ ସବୁଠାରୁ ଶସ୍ତା। ରାଜ୍ୟର ୭ଟି ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ଜଳଭଣ୍ଡାରରୁ ଜଳ ବିଦ୍ୟୁତ୍‌ ପାଇଁ ଯେଉଁ ଜଳ ବିନିଯୋଗ ହେଉଛି ସେ ନେଇ ବର୍ତମାନ ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ହେଉଛି .୦୧୨ ପଇସା ବା ଏକ ପଇସାରୁ ସାମାନ୍ୟ ଅଧିକ। କିନ୍ତୁ ଏହାକୁ ଟ୧.୧୧ପଇସାକୁ ବୃଦ୍ଧି କରିବାକୁ ଜଳ ଆବଣ୍ଟନ କମିଟି ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବକୁ ରାଜ୍ୟ ସରକାର କାର୍ଯ୍ୟକାରୀ କଲେ, ଜଳ ଦେୟ ବୃଦ୍ଧି ପାଇବ। ଏଭଳି ବୃଦ୍ଧି ପ୍ରତ୍ୟକ୍ଷ ଭାବେ ଜଳ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚକୁ ବହୁଗୁଣିତ କରିବ, ଯାହାଫଳରେ ବିଜୁଳି ଦର ବୃଦ୍ଧି ଘଟାଇବା ଅପରିହାର୍ଯ୍ୟ ହୋଇପଡ଼ିବ।

ଗତ ଏପ୍ରିଲ୍‌ ୧୩ ତାରିଖରେ ଅନୁଷ୍ଠିତ ଜଳ ଆବଣ୍ଟନ କମିଟି(ଡବ୍ଲ୍ୟୁଏସି)ର ୭୮ତମ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଜଳସେଚନ ନିୟମାବଳୀ, ୧୯୬୧ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଜଳ ବିଦ୍ୟୁତ୍‌ ଉତ୍ପାଦନ ନିମନ୍ତେ ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ବାବଦରେ .୦୧୨ ପଇସା ବା ଏକ ପଇସାରୁ ସାମାନ୍ୟ ଅଧିକ ଦର ଆଦାୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ରାଜ୍ୟର ୭ଟି ଜଳ ବିଦ୍ୟୁତ୍‌ କେନ୍ଦ୍ର(ମାଛକୁଣ୍ଡ କେନ୍ଦ୍ରରୁ ଓଡ଼ିଶା ସହିତ ଆନ୍ଧ୍ର ପ୍ରଦେଶ ଜଳ ନେଇଥାଏ)ରୁ ୬ କୋଟିର ମୋଟ ଜଳ ଦେୟ ଆଦାୟ ହୋଇଥିଲା।

ଜଳ ସେବା ନିର୍ଦେଶାଳୟ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ମୁତାବକ ୨୦୧୬ରୁ ଛତିଶଗଡ଼ ସରକାର ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ବାବଦରେ ଟ୧.୦୭ ପଇସା ଆଦାୟ କରୁଛନ୍ତି। ଏହା ସହିତ ପ୍ରତିବର୍ଷ ୨ ପଇସା ବୃଦ୍ଧି ବ୍ୟବସ୍ଥା କରାଯାଇଛି। ଫଳରେ ଚଳିତ ବର୍ଷ ଜଳ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ ଟ୧.୧୧ ପଇସାରେ ପହଞ୍ଚିଛି। ଓଡ଼ିଶା ସହିତ ଏହି ଦର ତୁଳନୀୟ। ଛତିଶଗଡ଼ରେ ୧ରୁ ୪୦ ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ଟ୩.୮୦ ପଇସା ଥିବା ବେଳେ ଓଡ଼ିଶାରେ ୧ରୁ ୫୦ ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ଟ୨.୫୦ ପଇସା। କିନ୍ତୁ ଛତିଶଗଡ଼ରେ ୪୧ରୁ ୨୦୦ ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ଟ୩.୯୦ ପଇସା ଥିବା ବେଳେ ଓଡ଼ିଶାରେ ୫୧ରୁ ୨୦୦ ପ୍ରତି ଘଣ୍ଟା କିଲୋଓ୍ଵାଟ୍‌ ଖର୍ଚ ଟ୪.୨୦ ପଇସା।

ଶକ୍ତି ବିଭାଗ ସୂଚନାନୁସାରେ ଜଳ ବିଦ୍ୟୁତ୍‌ ୟୁନିଟ୍‌ ଖର୍ଚ ବାବଦରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ କମିସନ(ଓଇଆରସି) ୮୩ ପଇସା ଧାର୍ଯ୍ୟ କରିଥିବା ବେଳେ ତାପଜ ବିଦ୍ୟୁତ୍‌ ପାଇଁ ଧାର୍ଯ୍ୟ କରିଛନ୍ତି ୟୁନିଟ୍‌ ପିଛା ଟ୩.୫୦ ପଇସା। ରାଜ୍ୟରେ ଗ୍ରୀଷ୍ମଦିନ(ପିକ୍‌-ଆଓ୍ଵାର)ରେ ସର୍ବାଧିକ ପ୍ରାୟ ୧ ହଜାର ମେଗାଓ୍ଵାଟ୍‌ ଜଳ ବିଦ୍ୟୁତ୍‌ ଆବଶ୍ୟକ ହୋଇଥାଏ। କିନ୍ତୁ ଅବଶିଷ୍ଟ ସମୟରେ ୬୦୦ରୁ ୭୦୦ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ହୋଇଥାଏ। ଜଳ ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର ଆବଶ୍ୟକ। ଏଥିପାଇଁ ୫୦ ବର୍ଷ ତଳର ପୁରୁଣା ଚିପିଲିମା, ବୁର୍ଲା, ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଜଳ ଆବଣ୍ଟନ କମିଟି ନିଷ୍ପତ୍ତି ଅନୁଯାୟୀ ଜଳ ସଂପଦ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଳ ଦେୟ ବୃଦ୍ଧି ପ୍ରସ୍ତାବ ଉପସ୍ଥାପନ କରାଯିବ। ଜଳ ଦେୟ ବୃଦ୍ଧି ପାଇଲେ, ବିଭାଗ ବାର୍ଷିକ ୬ କୋଟିରୁ ୬୬୨ କୋଟି ଟଙ୍କାର ଅଧିକ ରାଜସ୍ୱ ଅର୍ଜନ କରିପାରିବ ବୋଲି ଜଳସେବା ନିର୍ଦେଶାଳୟ ଦର୍ଶାଇଛି। ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଜଳ ସଂପଦ ବିଭାଗରୁ ଏ ନେଇ କୌଣସି ପ୍ରସ୍ତାବ ଆସିନାହିଁ। ଯଦି ଜଳ ଦେୟ ବୃଦ୍ଧି ପାଏ, ଜଳ ବିଦ୍ୟୁତ୍‌ ହାର ବୃଦ୍ଧି ପାଇବା ସ୍ୱାଭାବିକ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ତେବେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ(ଓଏଚ୍‌ପିସି)ର ନିର୍ଦେଶକ(ଅପରେସନ) ସଞ୍ଜୀବ କୁମାର ତ୍ରିପାଠୀ କହିଛନ୍ତି ଯେ ରାଜସ୍ୱ ବୃଦ୍ଧି ଅପେକ୍ଷା ଉପଭୋକ୍ତାଙ୍କୁ ସେବା ଯୋଗାଇଦେବା ହେଉଛି ନିଗମର ଆଭିମୁଖ୍ୟ।

ସମ୍ବନ୍ଧିତ ଖବର