୮ ସେଚ ଡିଭିଜନରେ ଜଳକର ବାକି ୬୧୦ କୋଟି : ୨୩ ଶିଳ୍ପରେ ଗଡ଼ୁଛି ୧୦୧ କୋଟି

ରାଉରକେଲା : ସୁନ୍ଦରଗଡ଼ ସମେତ ରାଜ୍ୟର ମାତ୍ର ୮ଟି ସେଚ ଡିଭିଜନ ଅଞ୍ଚଳରେ ଥିବା ଶିଳ୍ପସଂସ୍ଥାଙ୍କ ଉପରେ ଗତ ମାର୍ଚ୍ଚ ୩୧ ସୁଦ୍ଧା ୬୧୦ କୋଟି ୮୧ ଲକ୍ଷ ୩୯ ହଜାର ଟଙ୍କାର ଜଳକର ବାକି ପଡ଼ିଛି। ସମ୍ପୃକ୍ତ ଶିଳ୍ପ ସଂସ୍ଥାଙ୍କ ଚଳିତ ବର୍ଷର ଜଳ କର ଆଉ ୪୫୫ କୋଟି ୬୦ ଲକ୍ଷ ୪୮ ହଜାର ଟଙ୍କା ଲକ୍ଷ ଟଙ୍କା ହେବ। ସେଥିରୁ ଚଳିତ ଆର୍ଥିକବର୍ଷରେ ୩୩୮ କୋଟି ୩୫ ଲକ୍ଷ ୨୮ ହଜାର ଟଙ୍କା ଆଦାୟ କରିବାକୁ ମୁଖ୍ୟଯନ୍ତ୍ରୀ (ଜଳସେବା) ଏହି ୮ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀମାନଙ୍କୁ ଟାର୍ଗେଟ୍‌ ଦେଇଛନ୍ତି; ଯାହା ମୋଟ ଅସୁଲଯୋଗ୍ୟ ଜଳକରର ୩୩% ହେବ।

ହସ୍ତଗତ ତଥ୍ୟ ଅନୁଯାୟୀ ଅପର ମହାନଦୀ ପ୍ରଣାଳୀ ଓ ବ୍ରାହ୍ମଣୀ ଅନ୍ତର୍ଗତ ସୁନ୍ଦରଗଡ଼ ଡିଭିଜନର ବିଭିନ୍ନ ଉତ୍ସରୁ ପାଣି ନେଉଥିବା ୨୩ଟି ଶିଳ୍ପ ସଂସ୍ଥା ଉପରେ ୧୦୧ କୋଟି ୭ ଲକ୍ଷ ୭୦ ହଜାର ଟଙ୍କା ବାକି ଗଡ଼ୁଥିବା ବେଳେ ଇତିମଧ୍ୟରେ ବନ୍ଦ ହୋଇଯାଇଥିବା କୁଆରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକ୍ସ ଉପରେ ୩୧ କୋଟି ୯୧ ଲକ୍ଷ ଟଙ୍କାର ଜଳ କର ବାକି ଗଡୁଛି। ତେବେ ଉପରୋକ୍ତ ଶିଳ୍ପ ସଂସ୍ଥାଗୁଡ଼ିକର ନଗଦ ଓ ବାକିକୁ ମିଶାଇ ମୋଟ ଜଳ କରରୁ ଏ ବର୍ଷ ୪୭ କୋଟି ୨ ଲକ୍ଷ ୩୬ ହଜାର ଟଙ୍କା ଅସୁଲ ପାଇଁ ଟାର୍ଗେଟ୍‌ ଦିଆଯାଇଛି। ସେହିପରି ବୁର୍ଲାସ୍ଥିତ ମୁଖ୍ୟ ବନ୍ଧ ଡିଭିଜନ ଅଧୀନସ୍ଥ ୧୦ଟି ଶିଳ୍ପ ଉପରେ ୨୨୯ କୋଟି ୭୭ ଲକ୍ଷ ୭୬ ହଜାର ଟଙ୍କା ଜଳ କର ବାକି ଥିବା ବେଳେ ସେଥିରୁ ୧୬୮ କୋଟି ୩୩ ଲକ୍ଷ ୮୭ ହଜାର ଓ ନଗଦରୁ ୫୧ କୋଟି ୧୭ ଲକ୍ଷ ଟଙ୍କା ଅସୁଲ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଟାର୍ଗେଟ୍‌ ଦିଆଯାଇଛି। ବୁର୍ଲା ସେଚ ଡିଭିଜନରୁ ପାଣି ନେଉଥିବା ୫ଟି ଶିଳ୍ପ ସଂସ୍ଥା ଓ ଝାରସୁଗୁଡ଼ା ଜନସ୍ୱାସ୍ଥ୍ୟ ବିଭାଗକୁ ମିଶାଇ ଗତ ମାର୍ଚ୍ଚ ସୁଦ୍ଧା ୩୫ କୋଟି ୯୨ ଲକ୍ଷ ୮ ହଜାର ଟଙ୍କା ବାକି ପଡ଼ିଥିବା ବେଳେ ସେଥିରୁ ୧୪ କୋଟି ୫୦ ଲକ୍ଷ ଓ ନଗଦରୁ ୯ କୋଟି ୬୪ ଲକ୍ଷ ଅସୁଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମହାନଦୀ ନିମ୍ନ ଅବବାହିକା ଯୋବ୍ରାସ୍ଥିତ ଦକ୍ଷିଣ ଡିଭିଜନ ଅଧୀନସ୍ଥ ୪ଟି ସଂସ୍ଥା ଉପରେ ୯୫ କୋଟି ୮୯ ଲକ୍ଷ ୨୧ ହଜାର ଟଙ୍କା ଜଳ କର ବାକି ପଡ଼ିଥିବାବେଳେ ସେଥିରୁ ୪୦ କୋଟି ୪୫ ଲକ୍ଷ ୫୯ ହଜାର ଓ ନଗଦରୁ ୭ କୋଟି ୨୦ ଲକ୍ଷ ଟଙ୍କାକୁ ମିଶାଇ ଏ ବର୍ଷ ୪୭ କୋଟି ୬୫ ଲକ୍ଷ ୫୯ ହଜାର ଟଙ୍କା ଅସୁଲ ପାଇଁ ଟାର୍ଗେଟ୍‌ ଦିଆଯାଇଛି।

ଅନୁଗୁଳ ସେଚ ଡିଭିଜନ ଅନ୍ତର୍ଗତ ବ୍ରାହ୍ମଣୀ ଓ ଅନ୍ୟାନ୍ୟ ଉତ୍ସରୁ ପାଣି ନେଉଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ (ଏମ୍‌ସିଏଲ୍‌)ର ୧୦ଟି ଖଣି ଉପରେ ୭୮ କୋଟି ୬୭ ଲକ୍ଷ ଓ ସ୍ଥାନୀୟ ଜନସ୍ୱାସ୍ଥ୍ୟ ଡିଭିଜନ ଉପରେ ୨ କୋଟି ୫୦ ଲକ୍ଷ ୫୫ ହଜାର ଟଙ୍କାର ଜଳ କର ବାକି ଥିବା ବେଳେ ସେଥିରୁ ୩୬ କୋଟି ଓ ନଗଦରୁ ୩୯କୋଟି ୮୯ ଲକ୍ଷ ୪୯ ହଜାର ଟଙ୍କା ଆସନ୍ତା ମାର୍ଚ୍ଚ ସୁଦ୍ଧା ଅସୁଲ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଟାର୍ଗେଟ୍‌ ଦିଆଯାଇଛି। ସମଲ ବ୍ୟାରେଜରୁ ପାଣି ନେଉଥିବା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ଵାର (ଜେଏସ୍‌ପିଏଲ୍‌)ର ବକେୟା ଜଳ କର ୪୬ କୋଟି ୩୭ ଲକ୍ଷ ୧୪ ହଜାର ଟଙ୍କା ହିସାବ କରାଯାଇଥିବାବେଳେ ସେଥିରୁ ୨୨ କୋଟି ଓ ଚଳିତ ବର୍ଷର ନଗଦ ଜଳ କରକୁ ମିଶାଇ ୧୨୧ କୋଟି ୭୬ ଲକ୍ଷ ଟଙ୍କା ଅସୁଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର