ଆଉ ପାଣି ପିଇବାକୁ ମିଳିବ ନାହିଁ

ଭୁବନେଶ୍ୱର : କେଉଁ ଅବସ୍ଥାରେ ମହାନଦୀ ଜଳକୁ ରାଜଧାନୀ ଅଣାଯାଉଛି, ଏକଥା ସମସ୍ତେ ଏବେ ଜାଣିବା ଦରକାର। ତାହାହେଲେ ମହାନଦୀର ସ୍ଥିତି କେତେ ଭୟଙ୍କର, ତାହା ଯେ କେହି ହୃଦୟଙ୍ଗମ କରିପାରିବେ। କୁଆଖାଇ ନଦୀରେ ବାଲିବନ୍ଧ ପକାଇ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଭୁବନେଶ୍ୱରକୁ ପାନୀୟ ଜଳ ବ୍ୟବହାର ପାଇଁ ପାଣି ଅଣାଯାଉଛି। କେନାଲରୁ ଦୈନିକ ୨୦୦ କ୍ୟୁସେକ୍‌ ପାଣି ଆସିଲେ, ରାଜଧାନୀବାସୀ ପାଣି ପିଉଛନ୍ତି। ଆସନ୍ତା ଦୁଇ ତିନି ମାସରେ ସ୍ଥିତି କେତେ ଗମ୍ଭୀର ହେବ, ତାହା ସମସ୍ତେ ଆକଳନ କରିବା ଉଚିତ୍‌। ଦିନ ଆସିବ, ରାଜଧାନୀରେ ବାସନ ମାଜିବାକୁ ବି ପାଣି ମିଳିବନି।

ମହାନଦୀ ସଂକ୍ରାନ୍ତରେ ବିଧାନସଭାରେ ଆସିଥିବା ପ୍ରସ୍ତାବ ଆଲୋଚନାରେ ମତ ରଖି ଖୋଦ୍‌ ରାଜ୍ୟ ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି ସତର୍କବାଣୀ ଶୁଣାଇଛନ୍ତି। ଏକଥା ବି ଡରାଇଛନ୍ତି ଯେ ୬ଟି ଶିଳ୍ପଭିତ୍ତିକ ବ୍ୟାରେଜ୍‌ ଆଂଶିକ କାର୍ଯ୍ୟକ୍ଷମରେ ଅଣମୌସୁମୀ ସମୟରେ ଓଡ଼ିଶା ପ୍ରତି ଘୋର ଜଳସଙ୍କଟ ଦେଖାଦେଇଛି। କୃଷି, ଜଳ, ବିଦ୍ୟୁତ ଉତ୍ପାଦନକୁ ପ୍ରଭାବିତ କଲାଣି। ସବୁଠାରୁ ବଡ଼ କଥା ହେଲା, ମହାନଦୀ ସମେତ ଏହାର ବିଭିନ୍ନ ଶାଖା ନଦୀ ମାନଙ୍କରେ ଦୈନିକ ସନ୍ତୁଳନ ବ୍ୟାହତ ହେଲାଣି। ଦୟା, ଭାର୍ଗବୀ ନଦୀରେ ପାଣି ବୋହିବା ଆଶାତୀତ ଭାବେ କମିଯାଉଛି। ଚିଲିକାକୁ ପର୍ଯ୍ୟାପ୍ତ ପରିମାଣରେ ମଧୁର ଜଳ ମିଳିବା ସମ୍ଭବ ହୋଇପାରୁନାହିଁ। ଫଳରେ ଚିଲିକାର ଜୈବ ବିବିଧତା ଆଜି ସଙ୍କଟାପନ୍ନ। ଏଣୁ ମହାନଦୀ ଉପରେ ଚାଲୁ ରହିଥିବା ସମସ୍ତ ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ରାଜ୍ୟର ପ୍ରାଥମିକତା। ତୁରନ୍ତ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ କରାଇବା ପାଇଁ କେନ୍ଦ୍ର ଉପରେ ଚାପ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ।

ଏଥିସହିତ ଆଜି ବିଧାନସଭାରେ ମହାନଦୀ ଆଲୋଚନା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ତୁରନ୍ତ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ନେଇ ଯେଉଁ ଉଦ୍‌ବେଗ ଓ ସର୍ବସମ୍ମତ ପ୍ରକାଶ ପାଇଛି, ତାହାକୁ କେନ୍ଦ୍ର ସରକାରଙ୍କୁ ଜଣାଇ ଦେବାକୁ ବାଚସ୍ପତିଙ୍କୁ ଗୃହ ଦାୟିତ୍ୱ ଦେଇଛି। କେବଳ ସେତିକି ନୁହେଁ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକଥା ବି କହିଛନ୍ତି, ମନ୍ତ୍ରୀ ପଢିଥିବା ଉକ୍ତିରୁ ଜଣାପଡୁଛି ଯେ ପ୍ରକଳ୍ପ ନିର୍ମାଣ ବନ୍ଦ କରିବା ଲାଗି ଗ୍ରୀନ୍‌ ଟ୍ରିବ୍ୟୁନାଲ ଛତିଶଗଡକୁ ସ୍ପଷ୍ଟ ଭାବେ କେଉଁଠାରେ କହିନାହାନ୍ତି। ଏଣୁ ଏହାକୁ ଆଉ ଥରେ ତର୍ଜମା କରାଯାଉ ଓ ଆବଶ୍ୟକ ପଡିଲେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଦ୍ୱାରସ୍ଥ ହୁଅନ୍ତୁ।

ଆଜି ମୋସନ ଶେଷରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଆଉ ଏକ ସଂକଳ୍ପ ଆଣିବା ଲାଗି ଚାହୁଁଥିଲେ। ମାତ୍ର ବିରୋଧୀ ଦଳ ନେତା ଏହାକୁ ବିରୋଧ କରିଥିଲେ। ଏଥିପାଇଁ ପୃଥକ୍‌ ତରିକା ଆପଣାଇବାକୁ ପଡ଼ିବ। ଏମିତିରେ ବି ସରକାର ସର୍ବସମ୍ମତ କଥା କହୁଛନ୍ତି, କିନ୍ତୁ ବିରୋଧୀ ଦଳ ସହିତ ଆଲୋଚନା ବିନା ସଂକଳ୍ପ ଆଣିବାକୁ ଚାହୁଁଛନ୍ତି। ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ବିରୋଧୀ ଦଳ ନେତାଙ୍କ ଆପତ୍ତି ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ଓ ଏଥିପାଇଁ ଅପରାହ୍ନ ୪ଟା ୪୮ରୁ ୬ଟା ୧୫ ଯାଏ ଥର ଗୃହ ମୁତଲବୀ ହୋଇଥିଲା। ଶେଷରେ ସରକାର ସଂକଳ୍ପରୁ ଓହରି ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ମହାନଦୀ ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ଜଳସଂପଦ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ପତ୍ରାଳାପର କୌଣସି ସୁଫଳ ନ ମିଳିବା ପରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ସମାଧାନର ପ୍ରସ୍ତାବ ରଖାଯାଇଥିଲା। ୨୦୧୬ ସେପ୍‌ଟେମ୍ବର ୧୭ ତାରିଖରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ତ୍ରିପାକ୍ଷିକ ବୈଠକ ଡାକିଥିଲେ। ଏଥିରୁ କୌଣସି ସୁଫଳ ମିଳିନଥିଲା। ରାଜ୍ୟ ସରକାର ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଏ ସମସ୍ୟାର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ଜଣାଇଥିଲେ। ତା ଉପରେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ରାଜ୍ୟ ସରକାର ୨୦୧୬ ଡିସେମ୍ବର ୨ ତାରିଖରେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ମକଦ୍ଦମା ରୁଜୁ କରିଥିଲେ।

ସୁପ୍ରିମକୋର୍ଟରେ ମଧ୍ୟ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇ କୌଣସି ପଦକ୍ଷେପ ନେଇନଥିଲେ। ୨୦୧୭ ଅକ୍ଟୋବରରେ ଏ ସଂକ୍ରାନ୍ତ ସ୍ପଷ୍ଟ ଆଦେଶର ବି ପ୍ରତିପାଳନ କରାଯାଇନଥିଲା। ଶେଷରେ ୨୦୧୮ ଜାନୁଆରି ୨୩ ତାରିଖରେ କୋର୍ଟ ଏକମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁଁ ନିର୍ଦେଶ ଦେଇଥିଲେ। ଏହାକୁ ବି ଶୁଣିନଥିଲା କେନ୍ଦ୍ର।

ଗତ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ଜଣିଆ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଇତିମଧ୍ୟରେ ଏକମାସ ବିତିଯାଇଥିଲେ ହେଁ, ଲେଟର ଅଫ୍‌ ରେଫରେନ୍‌ସ ଦେଇନାହାନ୍ତି। ଯାହା ଫଳରେ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଲୋକସଭାରେ ଗତ ୨୩ ତାରିଖ ଦିନ କେନ୍ଦ୍ର ସରକାର ଜଣାଇଛନ୍ତି ଯେ ଗତ ମାର୍ଚ୍ଚ ୨୧ ତାରିଖରେ ଲେଟର ଅଫ୍‌ ରେଫରେନ୍‌ସ ଜାରି କରାଇଛନ୍ତି। ମାତ୍ର ଏହି ଚିଠିର କୌଣସି ନକଲ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇନାହିଁ। ଏ ସଂକ୍ରାନ୍ତରେ ୨୦୧୮ ମାର୍ଚ୍ଚ ୩୧ତାରିଖରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଜଳସଂପଦ ବିଭାଗ ସହିତ ବ୍ୟକ୍ତିଗତ ଭାବେ ଯୋଗାଯୋଗ କଲେ ମଧ୍ୟ ଏଭଳି ଚିଠିର ନକଲ ପାଇପାରିନାହାନ୍ତି। ମନ୍ତ୍ରୀ କହିଥିଲେ ଯେ ଲେଟର ଅଫ୍‌ ରେଫରେନ୍‌ସ ନ ମିଳିବା କାରଣରୁ ସରକାର ପିଟିସନ୍‌ ଫାଇଲ କରିପାରୁନାହାନ୍ତି। ଏହା ଥରେ ମିଳିଗଲେ ଦୁଇ ତିନି ସପ୍ତାହ ମଧ୍ୟରେ ପିଟିସନ୍‌ ଦାୟର କରାଯିବ।

ଅଣମୌସୁମୀ ସମୟରେ ଜଳ ପ୍ରବାହ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ମହାନଦୀର ଉପରମୁଣ୍ଡରୁ ଉପଲବ୍ଧ ଜଳପ୍ରବାହ ନଭେମ୍ବର ୨୦୧୬ରୁ ହ୍ରାସ ପାଇବା ଆରମ୍ଭ ହୋଇଥିଲା ଓ ୨୦୧୭ ମେ’ ସୁଦ୍ଧା ୭୯% କମିଥିଲା। ଚଳିତ ଅଣମୌସୁମୀରେ ମଧ୍ୟ ଲକ୍ଷ୍ୟ କରାଯାଉଛି ଯେ ୨୦୦୫-୦୬ରୁ ୨୦୧୫-୧୬ ପର୍ଯ୍ୟନ୍ତ ଉପଲବ୍ଧ ପ୍ରବାହ ତୁଳନାରେ ଗତ ନଭେମ୍ବର ୨୦୧୭ରୁ ଜାନୁଆରି ୨୦୧୮ ପର୍ଯ୍ୟନ୍ତ ଏହି ପ୍ରବାହରେ ୪୦% ରୁ ଅଧିକ ହ୍ରାସ ପାଇଛି।

୨୦୧୭ ମସିହା ଜୁଲାଇ ୨୬ରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ ପୂର୍ବାଞ୍ଚଳ ଜୋନ୍‌ ବେଞ୍ଚ ଏକ ମାମଲାର ଶୁଣାଣି କରି ମହାନଦୀ ବେସିନ୍‌ରେ ଆଗକୁ କୌଣସି ପ୍ରକଳ୍ପ ନ କରିବା ଲାଗି ଛତିଶଗଡ଼ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୨୫ରେ ଗ୍ରୀନ୍‌ ଟ୍ରିବ୍ୟୁନାଲ ଏହାକୁ ଆଉ ଥରେ ଦୋହରାଇଥିଲେ। ମାତ୍ର ଗତକାଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଛତିଶଗଡ଼ ସରକାର ଆଉ ଏକ ବ୍ୟାରେଜ୍‌ ଯୋଜନା କରିଛନ୍ତି। ଯେଉଁ ୬ଟି ବ୍ୟାରେଜକୁ ନେଇ ବିବାଦ ସୃଷ୍ଟି ହୋଇଛି, ଠିକ୍‌ ତା ଉପରମୁଣ୍ଡରେ ଆଉ ଏକ ବ୍ୟାରେଜ୍‌ ମହାମେଲା ସିରିପୁର ବ୍ୟାରେଜ୍‌ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହା ଟ୍ରିବ୍ୟୁନାଲ ନିୟମର ଖୋଲା ଉଲ୍ଲଂଘନ।

ସମ୍ବନ୍ଧିତ ଖବର