ପ୍ରସ୍ତାବିତ ଜେଏସ୍‌ବ୍ଲ୍ୟୁ ଷ୍ଟିଲ୍‌ ପ୍ଲାଣ୍ଟକୁ ଜଳାଭାବ ଆଶଙ୍କା

ମହାନଦୀରେ ଅଣମୌସୁମୀରେ ଜଳଭାବ ଉତ୍କଟ

ଭୁବନେଶ୍ୱର : ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ଜଳପ୍ରବାହ ହ୍ରାସ ପାଉଛି। ମହାନଦୀର ତଳମୁଣ୍ଡରେ ଜଳାଭାବ ସମସ୍ୟା ଅନୁଭୂତ ହେଲାଣି। ବିଶେଷ କରି ଅଣମୌସୁମୀ କାଳରେ ସ୍ଥିତି ସାଂଘାତିକ ହେବାର ଆଶଙ୍କା ଉପୁଜିଛି। ପାରାଦୀପରେ ପୋସ୍କୋ ସ୍ଥାନରେ ଜେଏସ୍‌ଡବ୍ଲ୍ୟୁ ବାର୍ଷିକ ୧୨ ନିୟୁତ ଟନ୍‌ ଉତ୍ପାଦନ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି। ଏ ନେଇ ସଂପୃକ୍ତ କମ୍ପାନି ମହାନଦୀର ଯୋବ୍ରାରୁ ୧୧୭.୧୩ କ୍ୟୁସେକ୍‌ ଜଳ ଆବଶ୍ୟକ ବୋଲି ଦର୍ଶାଇଛି। କିନ୍ତୁ ଅଣମୌସୁମୀ କାଳରେ ଜଳ ଯୋଗାଇଦେବାକୁ ସେଚ ସଦନର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅକ୍ଷମତା ପ୍ରକାଶ କରିଛି।

ଜେଏସ୍‌ଡବ୍ଲ୍ୟୁ କମ୍ପାନି ପକ୍ଷରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପ ନିକଟରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଇସ୍ପାତ କାରଖାନା ସହିତ ୯୦୦ ମେଗାଓ୍ଵାଟ୍‌ କ୍ଷମତା ସଂପନ୍ନ ନିଜସ୍ୱ ବିଦ୍ୟୁତ୍‌ କେନ୍ଦ୍ର, ନିଜସ୍ୱ ବନ୍ଦର, ସ୍ଲରି ପାଇପ୍‌ ଲାଇନ ଆଦି ସ୍ଥାପନ ନେଇ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରେ ପ୍ରାୟ ୩୦ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ପାରାଦୀପରୁ ପୋସ୍କୋ ପ୍ରସ୍ତାବ ଫେରିଯିବା ପରେ ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତିି। ତେବେ ଏହି କମ୍ପାନି ନିଜସ୍ୱ ସମନ୍ଵିତ ବ୍ୟବହାର ପାଇଁ ୧୨ ହଜାର କ୍ୟୁବିକ ମିଟର/ଘଣ୍ଟା ପ୍ରତି ବା ୧୧୭.୭୧୩ କ୍ୟୁସେକ୍‌ ଜଳ କଟକର ଯୋବ୍ରା ବ୍ୟାରେଜ୍‌ରୁ ନେବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ପରିପ୍ରେକ୍ଷୀରେ ଜଳ ଉପଲବ୍ଧ ନେଇ ନରାଜରେ ଆବଶ୍ୟକ ଅନୁଧ୍ୟାନ କରାଯାଇଛି।

ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ ବର୍ତମାନ ଅଣମୌସୁମୀ ସମୟ(ନଭେମ୍ବରରୁ ମେ’ ମାସ)ରେ ସମସ୍ତ ଶିଳ୍ପ ସଂସ୍ଥା ପାଇଁ ଆବଶ୍ୟକ ଜଳ ଉପଲବ୍ଧ ହେଉନାହିଁ। ମହାନଦୀ ୪ଟି ଶାଖା ନଦୀ ଯଥା: କାଠଯୋଡ଼ି, କୁଆଖାଇ, ବିରୂପା, ମହାନଦୀରେ ବିଭକ୍ତ। ଅଣମୌସୁମୀ ସମୟରେ ଏ ସମସ୍ତ ନଦୀରେ ଜଳାଭାବ ରହୁଛି। ୨୦୦୪ ରାଜ୍ୟ ଜଳ ଯୋଜନା ପରିପ୍ରେକ୍ଷୀରେ ମହାନଦୀ ଅବବାହିକାରେ ଭବିଷ୍ୟତରେ ପିଇବାପାଣି, କୃଷି, ମଣିଷ ଓ ପଶୁପକ୍ଷୀଙ୍କ ବ୍ୟବହାର ଆଦି ସବୁପ୍ରକାର ଜଳ ଆବଶ୍ୟକତାକୁ ବିଚାରକୁ ନେଲେ ଯୋବ୍ରାରେ ଜଳାଭାବ ଗୁରୁତର ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଏଭଳି ସଙ୍କଟକୁ ଆଖି ଆଗରେ ରଖି ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳ ଆବଣ୍ଟନ କମିଟି ବୈଠକରେ ସମାଧାନର ସୂତ୍ର ବାହାରିଛି। ଏହି ସୂତ୍ର ହେଉଛି ଯେ ଶିଳ୍ପ ସଂସ୍ଥା ନିଜସ୍ୱ ଖର୍ଚରେ ମହାନଦୀର ତଳମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ କରିବେ। ଏଥିପାଇଁ ସରକାରଙ୍କଠାରୁ ଆବଶ୍ୟକ ମଞ୍ଜୁରି ନେବାକୁ ହେବ। କଟକ-ପାରାଦୀପ ମଧ୍ୟ ତାରାପୁରରେ ଏଭଳି ବ୍ୟାରେଜ୍‌ ନିର୍ମାଣ କରିହେବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର