ଛତିଶଗଡ଼ ପାଣିରେ ଓଡ଼ିଶା ଭାସୁଛି କି ? କଲମା ବାରେଜର ୬୬ ଗେଟ୍ ମୁକୁଳା, ମାଡ଼ି ଆସୁଛି ପାଣି

ଭୁବନେଶ୍ୱର: ରାଜ୍ୟରେ ବାଦଲଫଟା ବର୍ଷା ପରେ ମହାନଦୀ ସମେତ ଅନ୍ୟ ନଦୀଗୁଡିକରୁ ଜଳପତନ ବଢିବାରେ ଲାଗିଛି । ଠିକ୍ ଏହି ସମୟରେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲି ଦେଇଛି ଛତିଶଗଡ଼। ଯେଉଁ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି, ସେଥିପାଇଁ ଛତିଶଗଡ଼ ଦାୟୀ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ମହାନଦୀ ଲୋୟର ବେସିନର ମୁଖ୍ୟଯନ୍ତ୍ରୀ । ଖରାଦିନେ କଲମା ବ୍ୟାରେଜର ସବୁ ଗେଟ୍ ବନ୍ଦ କରି ଦେଇଥିବା ଛତିଶଗଡ଼, ଏବେ ବର୍ଷା ଦିନରେ ୬୬ଟି ଯାକ ଖୋଲି ଦେଇଛି । ଏହାକୁ ନେଇ ଜୋର ଧରିଛି ରାଜନୀତି ।
ଖରାଦିନେ ମହାନଦୀର ଜଳପ୍ରବାହକୁ ରୋକିଦେଇ ଓଡ଼ିଶାକୁ ଶୁଖିଲା ପକାଇ ଦେଇଥିଲା ଛତିଶଗଡ଼ । ଆଉ ବର୍ଷା ହେଉ ହେଉ ଖୋଲିଦେଲା ୬୬ ଯାକ ଗେଟ୍ । ଫଳରେ ଓଡ଼ିଶାରେ ଏବେ ବନ୍ୟା ଆଶଙ୍କା ବଢିଯାଇଛି । ରାଜ୍ୟରେ ବାଦଲ ଫଟା ବର୍ଷା ଯୋଗୁଁ ମହାନଦୀ ଫୁଲି ଉଠିଥିବା ବେଳେ ଏବେ ଛତିଶଗଡ଼ରୁ ମାଡ଼ି ଆସୁଛି ପାଣି । ବନ୍ୟା ସ୍ଥିତି ପାଇଁ ବୁଲାଇ ବଙ୍କାଇ ଛତିଶଗଡକୁ ଦାୟୀ କରିଛି ରାଜ୍ୟ ଜଳସଂପଦ ବିଭାଗ । ଗୋଟିଏ ସପ୍ତାହ ଭିତରେ ହୀରାକୁଦର ପତନ ପାଖାପାଖି ୨୦ ଫୁଟ ବଢିଯାଇଛି। ଆଜି ଦିନ ୩ଟା ସୁଦ୍ଧା ହୀରାକୁଦରେ ରହିଛି ୬୧୬.୧୫ ଫୁଟ ପାଣି । ହୀରାକୁଦର ଜଳଧାରଣର କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ପଟୁ ପୋତି ହୋଇ ଜଳଧାରଣ କ୍ଷମତା କମିଛି । ଆଉ କଲମା ବାରେଜରୁ ଆସୁଥିବା ପାଣିକୁ ଆଖି ଆଗରେ ରଖି ମଙ୍ଗଳବାର ଦିନ ହୀରାକୁଦର ଗେଟ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।
ବିଭିନ୍ନ ଶିଳ୍ପସଂସ୍ଥା ସହ ମିଶି ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ଖରାଦିନେ ଓଡ଼ିଶାକୁ ଜଳପ୍ରବାହକୁ ସଂପୂର୍ଣ୍ଣ ରୋକି ଦେଇଥିଲେ ରମଣ ସରକାର । ଯାହାକୁ ରାଜନୈତିକ ପ୍ରସଙ୍ଗ କରିଆସିଛି ବିଜେଡି । ଏବେ ସବୁ ଗେଟ୍ ଖୋଲି ଓଡ଼ିଶାକୁ ବନ୍ୟା ମୁହଁକୁ ଛତିଶଗଡ଼ ଠେଲି ଦେଉଥିବା ଅଭିଯୋଗ ହୋଇଛି । କଲମା ବ୍ୟାରେଜ ଏବେ ଓଡ଼ିଶା ପାଇଁ ବଡ଼ ବିପଦ ହେବାକୁ ଯାଉଛି । ଖରାଦିନେ ଜଳ କଷ୍ଟ ଓ ବର୍ଷା ଦିନେ ରହିବ ବନ୍ୟା ଭୟ ।

ସମ୍ବନ୍ଧିତ ଖବର