ଜଳଭଣ୍ଡାରରେ ପାଣି, ମହାନଦୀ ଶୁଖିଲା, ବିଜୁଳି ଉତ୍ପାଦନ ନହେବା ନେଇ ପ୍ରଶ୍ନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ୧୦ ଫୁଟ ଅଧିକ ପାଣି କିନ୍ତୁ ଶୁଖିଲା ପଡ଼ିଛି ମହାନଦୀ। ଅତିରିକ୍ତ ପାଣିକୁ କାହିଁକି ବିଜୁଳି ଉତ୍ପାଦନରେ ବ୍ୟବହାର କରାଯାଉ ନାହିଁ, ଏହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି। ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଇଂ ସୁନୀଲ ନାଏକ କହିଛନ୍ତି, ଅତିରିକ୍ତ ପାଣିକୁ ବିଜୁଳି ଉତ୍ପାଦନରେ ବ୍ୟବହାର ପାଇଁ ସୁପାରିସ୍‌ କରିଛନ୍ତି। ଓଏଚ୍‌ପିସି ନିଜ ଆବଶ୍ୟକତା ଅନୁସାରେ ପାଣି ନେଉଛି।

ୱାର୍କିଂ ଟେବୁଲ ଅନୁସାରେ, ବର୍ତ୍ତମାନ ସମୟରେ ହୀରାକୁଦ ଜଳଭଣ୍ଡାରରେ ୬୧୨ ଫୁଟ ରହିବା କଥା। ବର୍ତ୍ତମାନ ଏଠାରେ ଆଜିର ତାରିଖରେ ୬୨୨.୬୦ ଫୁଟ ରହିଛି। ୫ ତାରିଖରେ ୬୨୨.୭୩ ଫୁଟ, ୪ ତାରିଖରେ ୬୨୨.୮୯ ଫୁଟ, ୩ ତାରିଖରେ ୬୨୩.୦୨ ଫୁଟ, ୬୨୩.୧୫ ଫୁଟ ଏବଂ ୧ ତାରିଖରେ ୬୨୩.୨୯ ଫୁଟ ରହିଥିଲା। ଏହିଭଳି ସ୍ଥିତିରେ ଓଏଚ୍‌ପିସି ଚାହିଁଲେ ଏଥିରୁ ପ୍ରତିଦିନ ଅତିରିକ୍ତ ୫୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରାଯାଇ ପାରିବ। ମାତ୍ର ଏହା ହେଉ ନାହିଁ। ଶୁଖିଲା ପଡ଼ିଥିବା ମହାନଦୀରେ ମଧ୍ୟ ପାଣି ପ୍ରବାହିତ ହେବ। ୩ ମାସ ପରେ ବର୍ଷାଋତୁ ସମୟ ଆସିଯିବ। ସେହି ସମୟରେ ସମସ୍ତ ପାଣି ବଙ୍ଗୋପ ସାଗରକୁ ନିଷ୍କାସନ କରିବାକୁ ଜଳଭଣ୍ଡାର କର୍ତ୍ତୃପକ୍ଷ ବାଧ୍ୟ ହେବେ। ଏଥିଯୋଗୁଁ ଜଳଭଣ୍ଡାରର ପାଣିର ଉପଯୁକ୍ତ ବିନିଯୋଗ ରାଜ୍ୟ ପାଇଁ ଲାଭପ୍ରଦ ହେବ।

ସୂଚନା ଅନୁଯାୟୀ, ଅଣବର୍ଷାଋତୁରେ ଜଳଭଣ୍ଡାରର ପାଣି ବ୍ୟବହାର ନେଇ ଓ୍ବାର୍କିଂ ଟେବୁଲ ରହିଛି। ଏହା କାର୍ଯ୍ୟକାରୀ କରିବା ପାଇଁ ଜଳଭଣ୍ଡାର ଏବଂ ଓଏଚ୍‌ପିସି ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ଓ୍ବାର୍କିଂ ଟେବୁଲ ଅନୁସାରେ କାର୍ଯ୍ୟ କରାଯାଉଥିଲେ ବିଜୁଳି ଉତ୍ପାଦନ ସହିତ ମହାନଦୀରେ ମଧ୍ୟ ପାଣି ଥାଆନ୍ତା। କିନ୍ତୁ ମହାନଦୀ ଯେଉଁଭଳି ଶୁଖିଲା ପଡ଼ିଛି, ଉଭୟ ବିଭାଗ ମଧ୍ୟରେ ସମନ୍ବୟ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି। ଯେଉଁଭଳି ଭାବରେ ବିଜୁଳି କାଟ ହେଉଛି ଅଧିକ ଉତ୍ପାଦନ ହେଲେ ଲୋକେ ଏହି କଷ୍ଟରୁ ମୁକ୍ତି ପାଆନ୍ତେ। ଆହୁରି ମଧ୍ୟ ଥର୍ମାଲ ପାଓ୍ବାର ପ୍ଲାଣ୍ଟଠାରୁ ଜଳବିଦ୍ୟୁତ କେନ୍ଦ୍ରରେ ବିଜୁଳି ଉତ୍ପାଦନ ଶସ୍ତା। ୧୯୯୭ ମସିହାରେ ଏଥିସଂକ୍ରାନ୍ତରେ ସମନ୍ବୟ କମିଟି ଗଠନ ହୋଇଥିଲା। ଏଥିରେ ଜଳଭଣ୍ଡାର, ବିଜୁଳି ଉତ୍ପାଦନ ଏବଂ ଜଳସେଚନ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଅଧିକାରୀ ରହିଥାଆନ୍ତି। ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଇଂ ସୁନୀଲ ନାଏକ କହିଛନ୍ତି, ବର୍ତ୍ତମାନ ଓଏଚ୍‌ପିସି ଆବଶ୍ୟକତା ଅନୁସାରେ ପାଣି ନେଉଛି। ବୁର୍ଲା ଜଳବିଦ୍ୟୁତ କେନ୍ଦ୍ର ପ୍ରାୟ ୪ରୁ୫ ହଜାର ଘନଫୁଟ ପାଣି ନେଇଥାଆନ୍ତି। ଅନେକ ସମୟରେ ପାଣି ନିଅନ୍ତି ମଧ୍ୟ ନାହିଁ।

ଆବଶ୍ୟକତା ଅନୁସାରେ ପଦକ୍ଷେପ
ବୁର୍ଲା ଜଳ ବିଦ୍ୟୁତ ଉତ୍ପଦନ କେନ୍ଦ୍ରର ମୁଖ୍ୟ ଯନ୍ତ୍ରୀ ଇଂ ଜ୍ଞାନରଂଜନ ଦାସ କହିଛନ୍ତି, ୧୦ ନୁହେଁ ୭ ଫୁଟ ଅଧିକ ପାଣି ରହିଛି। ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୫ ଓ ୬ ନମ୍ବର ୟୁନିଟ ରିନୋଭେସନ, ୧ନମ୍ବର ୟୁନିଟ ମେଣ୍ଟେନାନ୍ସ ହେଉଛି। ୭ ନମ୍ବର ୟୁନିଟର କିଛି ଦିନ ପୂର୍ବରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏହାର ମରାମତି କରାଯାଉଛି। କରୋନା ଲକ୍‌ଡାଉନ୍‌ ଯୋଗୁଁ ଏହି କାର୍ଯ୍ୟ ବନ୍ଦ ରହିଛି। ୨, ୩ ଏବଂ ୪ ନମ୍ବର ୟୁନିଟ କେବଳ କାର୍ଯ୍ୟକ୍ଷମ ହେଉଛି। ଏସ୍‌ଏଲ୍‌ଡିସିର ନିର୍ଦେଶ ହିସାବରେ ତଥା ଖରା ଦିନର ଲୋଡ୍‌ ସେର୍ଡିଂ ହିସାବରେ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର