କୋରାପୁଟ ମେଡିକାଲ କଲେଜ ସ୍ଥିତି ସଙ୍ଗିନ୍ : କ୍ଲାସରୁମ୍ରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁଠି ଛାତରୁ ପାଣି ଗଳୁଛି
ନିମ୍ନମାନର କାମ ନେଇ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଜିଲ୍ଲାପାଳ
ଭୁବନେଶ୍ୱର : କେବଳ ଭୁବନେଶ୍ୱର ଏମ୍ସରେ ଛାତରୁ ପାଣି ଗଳୁନି କି କାନ୍ଥ ଦବୁନି। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅବସ୍ଥା ବି ସମାନ। ହସ୍ପିଟାଲ ବିଲଡିଂ ଉଦ୍ଘାଟନକୁ ବେର୍ଷ ପୂରିନି ଏହାର ସ୍ଥିତି ସଙ୍ଗିନ୍ ହୋଇଗଲାଣି। ବିଲଡିଂ ଏମିତି ନିର୍ମାଣ ହୋଇଛି ଯେ କ୍ଲାସରୁମ୍ରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁଠୁ ପାଣି ଗଳୁଛି। କାନ୍ଥରେ ପାଣି ସୋକ୍ କରୁଛି। ବର୍ଷା ହେଲେ ୱାର୍ଡ ଭିତରେ ପାଣି ଜମି ରହୁଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଷକ ଭିତରେ ମେଡିକାଲ କଲେଜ ସ୍ଥିତି ସଙ୍ଗିନ୍ ହୋଇଯାଇଥିଲେ ହେଁ ଏହାକୁ ନିର୍ମାଣ କରିଥିବା ପୂର୍ତ୍ତ ବିଭାଗ ଏହାର ମରାମତି ନେଇ କୌଣସି ପଦକ୍ଷେପ ନେଉନି। ହସ୍ପିଟାଲରେ ହୋଇଥିବା ନିମ୍ନମାନର କାର୍ଯ୍ୟ ଏବଂ ସ୍ଥିତି ସୁଧାରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୋରାପୁଟ ଜିଲ୍ଲାପାଳ ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖିଛନ୍ତି।
କୋରାପୁଟ ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଯେ, ସେପ୍ଟେମ୍ବର ୪, ୨୦୧୭ରେ କୋରାପୁଟସ୍ଥିତ ମେଡିକାଲ କଲେଜ ଉଦ୍ଘାଟନ ହୋଇଥିଲେ ହେଁ ବର୍ଷକ ମଧ୍ୟରେ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଗଲାଣି। ଓଜି କାଜୁଆଲିଟିର ଗାଧୁଆ ଘର କମ୍ପ୍ଲେକ୍ସରେ ଅତି ନିମ୍ନମାନର କାମ ହୋଇଛି। ଏଠାରେ ବର୍ଷା ହେଲେ ଛାତରୁ ଅନବରତ ପାଣି ଗଳୁଛି। ଏନେଇ ପୂର୍ତ୍ତ ସଚିବଙ୍କୁ ୩.୪.୧୮ରେ ଚିଠି ଲେଖାଯାଇଥିଲେ ହେଁ ଏହାର ମରାମତି ହୋଇନାହିଁ। ଅଡିଟୋରିୟମ, କ୍ଲାସରୁମ୍, ପାଠାଗାରରେ ଛାତରୁ ପାଣି ଗଳୁଥିବାରୁ ପାଠ ପଢ଼ାଇବା ସମ୍ଭବ ହେଉନି। ଛାତରୁ ପାଣି ଗଳିବା ସହ କାନ୍ଥରେ ପାଣି ସୋକ୍ କରୁଥିବାରୁ କାନ୍ଥ ନଷ୍ଟ ହୋଇଗଲାଣି। ଏହିଭଳି ସ୍ଥିତିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ କୋରାପୁଟ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ୨୯.୭.୧୮ରେ ଚିଠି ଲେଖି ଜଣାଇଥିଲୁ। ଏହାପରେ ସେ ଏହି ନିମ୍ନମାନର କାମର ତଦନ୍ତ କରିବାକୁ କହିଛନ୍ତି। କିନ୍ତୁ ଏହାର ମରାମତି ହୋଇନାହିଁ। ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ୧୮.୦୮.୧୮ରେ ଚିଠି ଲେଖି ଜଣାଇଛନ୍ତି ଯେ, ମେଡିକାଲ କଲେଜର ସମସ୍ତ ଛାତରୁ ପାଣି ଗଳିବା ସହ, କାନ୍ଥ ସୋକ୍ କରି ପାଣି ବହୁଥିବାରୁ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଆଇସିୟୁ ଏବଂ ଆଇସିସିୟୁର ଅବସ୍ଥା ମଧ୍ୟ ସମାନ। ଏଠାରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀମାନେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜିଲ୍ଲାପାଳ ମଧ୍ୟ ଲେଖିଛନ୍ତି ଯେ, ଗତ ଅଗଷ୍ଟ ୨୭ରେ ସେ ହସ୍ପିଟାଲ ଓ ମେଡିକାଲ କଲେଜ ପରିଦର୍ଶନରେ ଯାଇଥିବାବେଳେ ଆଇସିୟୁରେ ପାଣି ଗଳୁଥିବା ଦେଖିଥିଲେ। ପାଣି ଏପରି ଗଳୁଛି ଯେ, ଭେଣ୍ଟିଲେଟର ଏବଂ ଲାଇଫ୍ ସପୋର୍ଟିଂ ବ୍ୟବସ୍ଥାକୁ ଖରାପ କରିଦେବ। ଆଇସିୟୁ ନିକଟରେ ଥିବା ପ୍ରତୀକ୍ଷା ଗୃହରେ ପାଣି ଗଳୁଥିବାବେଳେ ଏହା ଜମି ରହୁଥିବାରୁ ରୋଗୀଙ୍କ ସହାୟକମାନେ ହସ୍ପିଟାଲ କରିଡରରେ ବସୁଛନ୍ତି।
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ଅତି ନିମ୍ନମାନର କାମ ନେଇ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଜଣାଯାଇଥିଲେ ହେଁ ଏପର୍ଯ୍ୟନ୍ତ ମରାମତି ହେଉନି କି ଯେଉଁ ଅଧିକାରୀଙ୍କ ଅବହେଳାରୁ ଏପରି ହେଲା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ତେଣୁ ଏଥିରେ ମୁଖ୍ୟ ଶାସନ ସଚିବ ନିଜେ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଜିଲ୍ଲାପାଳ ତାଙ୍କ ଚିଠିରେ ଲେଖିଛନ୍ତି।