ସ୍ୱଳ୍ପବୃଷ୍ଟି ଯୋଗୁଁ ସବୁ ଜଳଭଣ୍ଡାରରେ ଜଳସ୍ତର ହ୍ରାସ : ୫୨୬ ମେଗାଓ୍ଵାଟ୍‌ ଜଳବିଦ୍ୟୁତ୍‌ ଉତ୍ପାଦନ ଖସିଲା

ଭୁବନେଶ୍ୱର : ଏଥର ରାଜ୍ୟରେ ମୌସୁମୀ ପ୍ରବାହ ଅନିୟମିତ ହେବା ସହିତ ରାଜ୍ୟବାସୀଙ୍କୁ ସାମଗ୍ରିକ ଭାବେ ପ୍ରଭାବିତ କରିବାକୁ ବସିଲାଣି। ଜୁନ୍‌ ମାସରେ ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୨୫.୭ ପ୍ରତିଶତ କମ୍‌ ହୋଇଥିଲା। ଏହି ମାସର ପ୍ରଥମ ସପ୍ତାହରେ ବୃଷ୍ଟିପାତ ହାର ୪୬ ପ୍ରତିଶତ କମ୍‌ ରେକର୍ଡ ହୋଇଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ବସିଲାଣି ଜଳବିଦ୍ୟୁତ୍‌ ଉତ୍ପାଦନ। ରାଜ୍ୟର ଅଧିକାଂଶ ଜଳଭଣ୍ଡାରର ଜଳସ୍ତର ବିପଦ୍‌ଜନକ ଭାବେ ହ୍ରାସ ପାଉଥିବା ଉତ୍ପାଦନ ଖସିବାର ପ୍ରମୁଖ କାରଣ। ଫଳରେ ଗତ ବର୍ଷ ତୁଳନାରେ ଆଜି ଜଳ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପ୍ରାୟ ୫୨୬ ମେଗାଓ୍ଵାଟ୍‌ କମିଛି। ଏହାକୁ ଆଗାମୀ ଦିନରେ ରାଜ୍ୟକୁ ବିଜୁଳି ସଙ୍କଟ ମୁହଁକୁ ଠେଲିଦେବାର ଆଶଙ୍କା ପ୍ରକାଶ ପାଇଲାଣି।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ପ୍ରାୟ ସବୁ ଜଳଭଣ୍ଡାରରେ ଜଳସ୍ତର କମିଛି। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଆଜି ରାଜ୍ୟର ୬ଟି ଜଳଭଣ୍ଡାରରୁ ହାରାହାରି ୩୪୩.୨୭୦୬ ମେଗାଓ୍ଵାଟ୍‌ ବିଜୁଳି ଉତ୍ପାଦନ ହୋଇଛି। କିନ୍ତୁ ଗତ ବର୍ଷ ଜୁଲାଇ ୯ ତାରିଖରେ ୮୬୯.୦୮୨୬ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇଥିଲା। ଉଭୟ ଜଳସ୍ତର ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହ୍ରାସ ହାର ଉଦ୍‌ବେଗଜନକ। ଏ ନେଇ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ୧୪୪୯.୫୦ ଫୁଟ୍‌ ତଳେ ରହିଛି। ଗତ ବର୍ଷ ଜୁଲାଇ ୯ ତାରିଖରେ ଏହି ସ୍ତର ୧୪୬୫.୧୦ ଫୁଟ୍‌ ଥିଲା। ଆଜି ଏଥିରୁ ହାରାହାରି ୧୩୬.୪୫ ମେଗାଓ୍ଵାଟ୍‌ ଜଳ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇଛି। ଗତ ବର୍ଷ ଏହି ସମୟରେ ୩୪୯ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଥିଲା।

ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୫୯୯.୨୯ ଫୁଟ୍‌ ଏବଂ ଏଥିରୁ ଉତ୍ପାଦିତ ହୋଇଛି ୬୦.୩୩ ମେଗାଓ୍ଵାଟ୍‌ ବିଦ୍ୟୁତ୍‌। ଅବଶ୍ୟ, ଗତବର୍ଷ ଏହି ତାରିଖରେ ହୀରାକୁଦରୁ ୧୧୩.୨୦୮ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇଥିଲା। ଆଜି ରେଙ୍ଗାଲି ଜଳଭଣ୍ଡାରର ଜଳସ୍ତର ୧୧୧.୮୩ ଫୁଟ୍‌ ଥିବା ବେଳେ ବିଦ୍ୟୁତ୍‌ ଉତ୍ପାଦନ ୩୭.୪୮ ମେଗାଓ୍ଵାଟ୍‌ ହୋଇଛି। ଗତ ବର୍ଷ ଏହି ସମୟରେ ୧୨୧.୬୬୬ ମେଗାଓ୍ଵାଟ୍‌ ବିଜୁଳି ଉତ୍ପାଦିତ ହୋଇଥିଲା। ସେହିପରି ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ୬୨୭.୪୭ ଫୁଟ୍‌ ଥିବା ବେଳେ ଗତ ବର୍ଷ ଏହି ତାରିଖରେ ଥିଲା ୬୨୮.୬୪ ଫୁଟ୍‌। ଆଜି ଏଠାରୁ ଆଦୌ ବିଜୁଳି ଉତ୍ପାଦିତ ହୋଇପାରିନାହିଁ। କିନ୍ତୁ ଗତ ବର୍ଷ ଏହି ଦିନ ୨୨୨.୩୩୩ ମେଗାଓ୍ଵାଟ୍‌ ପରିମାଣର ହାରାହାରି ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇଥିଲା।

ଅପର କୋଲାବ ଜଳ ଭଣ୍ଡାରର ଜଳସ୍ତର ଆଜି ୮୪୫.୮୩ ଫୁଟ୍‌ ଥିବା ବେଳେ ଗତ ବର୍ଷ ଥିଲା ୮୪୮.୫୫ ଫୁଟ୍‌। ଆଜି ସେହି ବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୩୯.୭୫ ମେଗାଓ୍ଵାଟ୍‌ ବିଜୁଳି ଉତ୍ପାଦନ ହୋଇଛି। ଗତ ବର୍ଷ ଏହି ତାରିଖରେ ବିଜୁଳି ଉତ୍ପାଦନ ହୋଇଥିଲା ୯୫.୨୧ ମେଗାଓ୍ଵାଟ୍‌। ମାଛକୁଣ୍ଡ ଜଳଭଣ୍ଡାରରେ ଗତବର୍ଷ ଜୁଲାଇ ୯ ତାରିଖରେ ୨୭୧୨.୫୦ ଫୁଟ୍‌ ଥିବା ବେଳେ ଆଜି ସେଠାରେ ଜଳସ୍ତର ୨୭୦୨.୭୦ ଫୁଟ୍‌ ରହିଛି। ସେହିପରି ଗତବର୍ଷ ଏହି ସମୟରେ ହାରାହାରି ୧୦.୨୯୧ ମେଗାଓ୍ଵାଟ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ ହୋଇଥିବା ବେଳେ ଆଜି ସେଠାରେ ଉତ୍ପାଦନ ହୋଇଛି ହାରାହାରି ୨୭.୨୯୧ ମେଗାଓ୍ଵାଟ୍‌। ତେବେ ଆଗାମୀ ଦିନରେ ଯଦି ଆଜି ଭଳି ସ୍ୱଳ୍ପବୃଷ୍ଟିର ଧାରା ଜାରି ରୁହେ, ଏହା ବିଦ୍ୟୁତ୍‌ ଶକ୍ତି ସଙ୍କଟକୁ ଘନୀଭୂତ କରିବାର ଆଶଙ୍କା ରହିଛି।

ଏଭଳି ସଙ୍କଟ ପରିପ୍ରେକ୍ଷୀରେ ଗ୍ରିଡ୍‌କୋ ପକ୍ଷରୁ କୁହାଯାଇଛି, ଗତବର୍ଷ ରାଜ୍ୟର ଜଳଭଣ୍ଡାରର ସ୍ତର ଗତ ୧୦ ବର୍ଷର ଜଳସ୍ତର ତୁଳନାରେ ସର୍ବନିମ୍ନ ହୋଇଥିଲା। କିନ୍ତୁ ଏଥର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସବୁ ଜଳଭଣ୍ଡାରର ଜଳସ୍ତର ପ୍ରାୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଫଳରେ ଜଳବିଦ୍ୟୁତ୍‌ ଉତ୍ପାଦନ ବଡ଼ ଧରଣର ହ୍ରାସ ପାଇଛି। ଚଳିତ ବର୍ଷ ରାଜ୍ୟର ବିଦ୍ୟୁତ୍‌ ଚାହିଦା ୪୬୦୦ ମେଗାଓ୍ଵାଟ୍‌କୁ ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା ଚିନ୍ତାର ବିଷୟ। ଏହା ସତ୍ତ୍ୱେ ଗ୍ରିଡ୍‌କୋ, ଏସ୍‌ଏଲ୍‌ଡିସି ସହଯୋଗରେ ବିଭିନ୍ନ ସୂତ୍ର ଯଥା: ପାଓ୍ଵାର ବ୍ୟାଙ୍କିଙ୍ଗ, କେନ୍ଦ୍ରୀୟ ବିଦ୍ୟୁତ୍‌ ଉତ୍ପାଦକ ସଂସ୍ଥାରୁ ବଳକା ବିଦ୍ୟୁତ୍‌ ଶକ୍ତି, ପାଓ୍ଵାର ଏକ୍ସଚେଞ୍ଚରୁ ବିଦ୍ୟୁତ୍‌ କ୍ରୟ କରି ନିରବଚ୍ଛିନନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଉଦ୍ୟମ ଚଳାଇଥିବା ଗ୍ରୀଡ୍‌କୋ ନିର୍ଦେଶକ(ବାଣିଜ୍ୟ) କହିଛନ୍ତି। ବିଶେଷ କରି ଆଗାମୀ ରଥଯାତ୍ରା ସମୟରେ ମଧ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଶକ୍ତି ଯୋଗାଇଦେବାକୁ ଗ୍ରିଡ୍‌କୋର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର