କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : କୋଣାର୍କ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ହେଉ

ରାଜ୍ୟ ସରକାର ଡ୍ରେନେଜ୍‌ କାମ କରିବାକୁ ପ୍ରସ୍ତାବ ଦେଲେ

ଭୁବନେଶ୍ୱର : କୋଣାର୍କରେ ବର୍ଷା ଜଳ ନିଷ୍କାସନ ଏବେ ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଇଛି। ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବେ ହେଉ ନ ଥିବାରୁ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି। ବିଶ୍ୱ ଐତିହ୍ୟ କୀର୍ତ୍ତିରାଜିର ଏହି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା(ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇ ତୁରନ୍ତ ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରିବାକୁ ସେ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ବର୍ଷା ଜଳ ନିଷ୍କାସନ ନ ହେବା କୋଣାର୍କ ପାଇଁ ଏବେ ସାଂଘାତିକ ବିପଦ ଭାବେ ଉଭା ହୋଇଛି। କୋଣାର୍କ ମନ୍ଦିର କମ୍ପ୍ଲେକ୍ସକୁ ଦୀର୍ଘସ୍ଥାୟୀ ରଖିବା ପାଇଁ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଜଳ ନିଷ୍କାସନ ଠିକ୍‌ ଭାବେ ହେଲେ ପର୍ଯ୍ୟଟକମାନେ ଏହି ଐତିହ୍ୟକୁ ଭଲ ଭାବେ ନିକଟରୁ ଦେଖିପାରିବେ। ମନ୍ଦିର ଦାୟିତ୍ୱରେ ଥିବା ଏଏସ୍‌ଆଇକୁ ଏହାର ସ୍ଥାୟୀ ସମାଧାନ ବାଟ ବାହାର କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଉ। ଏହି ପ୍ରସଙ୍ଗର ଗୁରୁତ୍ୱକୁ ଉପଲବ୍ଧି କରି ଏଠାରେ ଡ୍ରେନେଜ୍‌ କାମ କରିବାକୁ ରାଜ୍ୟ ସରକାର ବି ଆଗ୍ରହୀ ଅଛନ୍ତି। ଯଦି ଏଏସ୍‌ଆଇ କର୍ତ୍ତୃପକ୍ଷ ଅନୁମତି ଦିଅନ୍ତି, ତେବେ ରାଜ୍ୟ ସରକାର କାମ କରିବେ।

୨୦୦୩ ମସିହାରେ ଛୋଟ ଧରଣର ଖନନ ବେଳେ ଏକ ପ୍ରାକୃତିକ ଡ୍ରେନେଜ୍‌ ବ୍ୟବସ୍ଥା ଥିବାର ଲକ୍ଷ୍ୟ କରାଯାଇଥିଲା। ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ ଏହାକୁ ବ୍ୟବହାର କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ସ୍ମରଣ କରାଇ ଦେଇଛନ୍ତି। ଆମ ସଂସ୍କୃତି ଓ ଐତିହ୍ୟର ଏହି ସମୃଦ୍ଧ ସ୍ମାରକୀକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର