ଶ୍ରୀଲୋକନାଥ ପୀଠ ପୁଣି ଜଳାର୍ଣ୍ଣବ, ବାହାରେ ପୂଜା ପାଇଲେ ପ୍ରତିମା

ପୁରୀ : ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ପୁରୀ ସହର ଓ ସଦର ଅଞ୍ଚଳରେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ମାତ୍ର ପବିତ୍ର ଶ୍ରାବଣ ମାସରେ ଉତ୍ସବମୁଖର ହୋଉ ଉଠୁଥିବା ପ୍ରସିଦ୍ଧ ଲୋକନାଥ ପୀଠ ଆଜି ଅସରାଏ ବର୍ଷାରେ ପାଣିରେ ବୁଡ଼ି ରହିବା ଘଟଣା କାଉଡିଆ ଓ ଭକ୍ତଙ୍କୁ ନିରାଶ କରିଛି। ଲୋକନାଥଙ୍କ ପୀଠରେ ପାଣି ଜମିବା ଏକ ସାଧାରଣ କଥା ହୋଇଥିବାବେଳେ ଚଳିତ ବର୍ଷ ମାତ୍ରାଧିକ ବର୍ଷା ଯୋଗୁଁ ପାଣି ଛାଡ଼ିବାର ନାଁ ଧରୁନି। ପାର୍ବତୀ ସାଗର ଜଳ ପତ୍ତନ ବୃଦ୍ଧି ପାଇବା ଯୋଗୁଁ ମହାପ୍ରଭୁ ଲୋକନାଥଙ୍କ ମୂଳପୀଠ(ଆସ୍ଥାନ) ବୁଡ଼ି ରହିଛି। ମନ୍ଦିର ବାହାରେ ପୂଜାର୍ଚ୍ଚନା ପାଇଁ ଶ୍ରୀ ଲୋକନାଥଙ୍କ ପ୍ରତିମା ରଖାଯାଇଛି। ଠାକୁରଙ୍କ ପାଖକୁ ଯାଇ ପୂଜାର୍ଚ୍ଚନା କରିବା ସହଜ ହେଉନଥିବାରୁ ପୂଜକ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଆଜି ୪ଟି ପାଣି ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି। ଆସନ୍ତାକାଲି ଶ୍ରାବଣ ତୃତୀୟ ସୋମବାର ଥିବାରୁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ ପାଣି ଢାଳିବେ। ପ୍ରତିବର୍ଷ ବର୍ଷାରେ ଲୋକନାଥଙ୍କ ପୀଠ ବୁଡି ରହୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରାଯାଉନଥିବା ଅଭିଯୋଗ ହୋଇଛି। ପ୍ରସିଦ୍ଧ ଶୈବ ପୀଠ ଲୋକନାଥଙ୍କ ପ୍ରତି ଅବିଚାର କରାଯାଉଛି। ସରକାର ଲୋକନାଥ ମନ୍ଦିର ବିକାଶ ଓ ଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର