ଜହର ହେଉଛି ଭୂତଳ ଜଳ

ପଶୁଛି ୨୩ ଶହ ଝୁମ୍ପୁଡ଼ି, ୪ ହଜାର ଘର ଓ ହୋଟେଲର ବର୍ଜ୍ୟଜଳ, ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରି ସରକାର ଚୁପ୍‌

ପୁରୀ : ପୁରୀ ମଧୁରଜଳ ଜଳ ଅଞ୍ଚଳକ୍ୁ ମାଡ଼ି ବସିଛନ୍ତି। ୨୩୦୦ରୁ ଅଧିକ ବସ୍ତି ବାସିନ୍ଦା ଜବରଦଖଲ କରି ରହିଛନ୍ତି। ଏହାବ୍ୟତୀତ ୪ହଜାରରୁ ଅଧିକ ଲୋକଙ୍କ ବାସଗୃହ ଏବଂ ହୋଟେଲ ବେଆଇନ ଭାବେ ଛିଡ଼ା ହୋଇଛି। ପ୍ରତିଦିନ ଏଥିରୁ ବାହାରୁଥିବା ଅନ୍ୟୁନ ୫ଲକ୍ଷ ଲିଟର ବର୍ଜ୍ୟଜଳ ମଧୁରଜଳ ଉତ୍ସକୁ ପ୍ରବେଶ କରୁଛି। ଫଳରେ ଭୂତଳ ଜଳଉତ୍ସ ହେଉଛି ଜହର।

ଆନ୍ତର୍ଜାତିକ ପର୍ଯ୍ୟଟନ ସହର ପୁରୀର ଭୂତଳ ଜଳ ଉତ୍ସରୁ ଜଳ ମିଳୁଛି। ବର୍ଷବର୍ଷରୁ ବଳିଆପଣ୍ଡା ଓ ତାଳବଣିଆର ଦୁଇଟି ନିର୍ଦ୍ଧିଷ୍ଟ ଅଞ୍ଚଳକୁ ମଧୁର ଜଳ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି। ଏବେ ସେହି ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ବୋଲି ଚିହ୍ନଟ କରିଛନ୍ତି। ସେହି ଅଞ୍ଚଳକୁ ମୁକ୍ତ ରଖିବାକୁ ରହିଛି ସରକାରୀ ନିର୍ଦ୍ଦେଶନାମା। ମାତ୍ର ଏବେ ସେହି ମଧୁର ଜଳ ଅଞ୍ଚଳରେ ବେଆଇନ ଦଖଲ ଭରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ବଳିଆପଣ୍ଡା ଓ ତାଳବଣିଆ ମଧୁରଜଳ ଅଞ୍ଚଳରେ ୨୩୦୮ଟି ପରିବାର ୪ହଜାରରୁ ଅଧିକ ଝୁମ୍ପୁଡ଼ି ଘର ତିଆରି କରି ରହିଛନ୍ତି। ସେଥିରୁ ବଳିଆପଣ୍ଡା ବସ୍ତିରେ ୧୭୦୦ ଜବରଦଖଲକାରୀ ରହିଛନ୍ତି। ଏହାବ୍ୟତୀତ ମହେଶ୍ବର ନଗରରେ ୪୮୮ ଓ ଅକ୍ଷୟଧାମ ବସ୍ତିରେ ୧୨୦ ଘର ମଧୁର ଜଳ ଅଞ୍ଚଳରେ ଜବରଦଖଲ କରି ରହିଛନ୍ତି। ଏହାବ୍ୟତୀତ ଶ୍ରୀକ୍ଷେତ୍ର କଲୋନୀ, ବଳିଆପଣ୍ଡା ହାଉସିଂ କଲୋନୀରେ ୩୮୨୦ଟି ବାସଗୃହ,୧୮୦ଟି ହୋଟେଲ ଏବଂ ଲଜିଂ ରହିଛନ୍ତି। ସେଥିରୁ ଅଧିକାଂଶ ଘର ଏବଂ ହୋଟେଲ ବେଆଇନ ଭାବେ ମଧୁର ଜଳ ଅଞ୍ଚଳରେ ରହିଛନ୍ତି। ବିନା ଯୋଜନା ଅନୁମୋଦନରେ ଏହି ସବୁ ଘର ଛିଡ଼ା ହୋଇଛି। ବଳିଆପଣ୍ଡା, ତାଳବଣିଆ ଅଞ୍ଚଳରେ ଏ ପର୍ଯ୍ୟନ୍ତ ସ୍ବେରେଜ କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ ଅଧିକାଂଶ ଘରୁ ବାହାରୁଥିବା ବର୍ଜ୍ୟଜଳ ଘର ପଛପଟ ନର୍ଦ୍ଦମାରେ ପଡ଼ୁଛି। ନର୍ଦ୍ଦମାରେ ଜମା ହେଉଥିବା ବର୍ଜ୍ୟଜଳ ସିଧା ସଳଖ ମଧୁର ଜଳ ଉତ୍ସରେ ମିଶୁଛି। ପ୍ରତି ଘରୁ ଦୈନିକ ଅନ୍ୟୂନ ୧୦୦ ଲିଟର ବର୍ଜ୍ୟଜଳ ବାହାରୁଥିବା ଜନସ୍ବାସ୍ଥ୍ୟ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ଏହା ହେଲେ ଦୈନିକ ୫ ଲକ୍ଷ ଲିଟରରୁ ଅଧିକ ବର୍ଜ୍ୟଜଳ ଭୂତଳ ଜଳଉତ୍ସକୁ ଯାଉଛି। ଯାହା ପାଣିକୁ ଜହର କରୁଛି।

ସମ୍ବନ୍ଧିତ ଖବର