୨୦୧୮ ଡିସେମ୍ବର ସୁଦ୍ଧା ପ୍ରତି ପଞ୍ଚାୟତରେ ଅନ୍ୟୂନ ୨ଟି ପ୍ରକଳ୍ପ

ସରକାରଙ୍କ ପାଣି ଚିନ୍ତା

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ଅତି କମ୍‌ରେ ଦୁଇଟି ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ପାନୀୟ ଜଳର ମାନ ଖରାପ ଥିବା ଅଞ୍ଚଳର ସମସ୍ୟା ତୁରନ୍ତ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥିର ହୋଇଥିଲା ଯେ ୨୦୧୮ମେ’ ମାସ ସୁଦ୍ଧା ଆଂଶିକ ପାନୀୟ ଜଳର ବ୍ୟବସ୍ଥା ଥିବା ପ୍ରାୟ ୧୪ ହଜାର ୧୭୦ଟି ଗାଁକୁ ସମ୍ପୂର୍ଣ୍ଣ ଭାବେ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ୮୯ ପ୍ରତିଶତ ଗାଁକୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ୯ ପ୍ରତିଶତ ଗାଁକୁ ଆଂଶିକ ବ୍ୟବସ୍ଥା ରହିଛି। ଏହି ଆଂଶିକ ବ୍ୟବସ୍ଥା ଥିବା ଗାଁ ଗୁଡିକରେ ଚଳିତ ବର୍ଷ ମେ’ ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ସେହିପରି ଫ୍ଲୋରାଇଡ୍‌, ଲୌହାଂଶ କିମ୍ବା ଲବଣାକ୍ତ ଜଳ ଯୋଗୁଁ ପାନୀୟ ଜଳର ମାନରେ ହ୍ରାସ ଘଟିଥିବା ଦୁଇ ପ୍ରତିଶତ ଅଞ୍ଚଳକୁ ପାନୀୟ ଜଳର ବ୍ୟବସ୍ଥା କରାଯିବ।

ଅଧିକାରୀମାନେ ତଥ୍ୟ ଦେଇଥିଲେ, ୨୦୧୭-୧୮ରେ ୩୭୬୯ଟି ପାଇପ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କରାଯାଇଥିବା ବେଳେ ୧୭୬୧ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଏ ମଧ୍ୟରେ ୨୪ଟି ବୃହତ୍‌ ପାଇପ ପାନୀୟ ଜଳ ପ୍ରକଳ୍ପ ରହିଛି। ୨୦୧୭-୧୮ରେ ୭୬ଟି ପଞ୍ଚାୟତ ମୁଖ୍ୟାଳୟକୁ ପାନୀୟ ଜଳର ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ୫୬୬୨ ଗ୍ରାମ ପଞ୍ଚାୟତର ମୁଖ୍ୟାଳୟକୁ ପାଇପ ଜଳର ସୁବିଧା ଦିଆଯାଇଛି। ସେହିପରି ଆଂଶିକ ପାନୀୟ ଜଳ ବ୍ୟବସ୍ଥା ଥିବା ୨୧୦୬ଟି ଗାଁକୁ ସମ୍ପୂର୍ଣ୍ଣ ଭାବେ ପାନୀୟ ଜଳର ସୁବିଧା କରାଯାଇଛି।

ଉଲ୍ଲେଖଥାଉକି, ରାଜ୍ୟ କ୍ୟାବିନେଟ୍‌ ନିକଟରେ ୧୬୧୦ କୋଟି ଟଙ୍କାର ୧୬ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପକୁ ନିର୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର