ପୁରୀ ଓ ଖୋର୍ଧାର ୫୨ ମୁକ୍ତ ଜଳ ଉତ୍ସ ଅସୁରକ୍ଷିତ

ଭୁବନେଶ୍ବର : ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ବ୍ୟାପି ନାହିଁ। ଯେଉଁ କେତେକ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଳୟକୁ ଆସିଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସି ଖାଦ୍ୟ ଓ ଭୋଜି ଖାଇ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ହେଲେ ନମୁନା ପରୀକ୍ଷାରେ ହଇଜାର ସୂଚନା ମିଳି ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୁରୀ ଓ ଖୋର୍ଧା ଜିଲ୍ଲାର ୫୨ଟି ଜଳ ଉତ୍ସ ଅସୁରକ୍ଷିତ ରହିଥିବା ବେଳେ ସେସବୁ ବ୍ୟବହାର ନ କରିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଯାଇଛି।

ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ପୁରୀ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଗତ କିଛି ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ ଆସିବାରେ ଲାଗିଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ସହ ବିପଦ ଆଶଙ୍କାରେ ସମସ୍ତ ରୋଗୀଙ୍କ ମଳ ନମୁନା ପରୀକ୍ଷା କରାଯାଉଛି। ତହିଁରେ ମଧ୍ୟ ହଇଜାର କୌଣସି ସୂଚନା ମିଳିନାହିଁ। ଏହା ଭିତରେ ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକ୍‌ରୁ କେତେକ ଝାଡ଼ାବାନ୍ତି ସଂକ୍ରାନ୍ତୀୟ ଅଭିଯୋଗ ଆସିଥିବା ବେଳେ ସେସବୁ ସ୍ଥାନକୁ ତୁରନ୍ତ ଡାକ୍ତରୀଦଳ ପଠାଯାଇ ନମୁନା ସଂଗ୍ରହ କରାଯାଇଛି। ସମସ୍ତ ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିଛନ୍ତି।

ଅପରପକ୍ଷରେ ବାତ୍ୟାରେ ପ୍ରଭାବିତ ହୋଇନଥିବା ସୋନପୁର ଜିଲ୍ଲା ନାୟକେନପାଲିର ଜାନୁମୁରା ଗ୍ରାମରେ ହଠାତ୍ ଝାଡ଼ାବାନ୍ତିରେ ୧୬ଜଣ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏହି ସମସ୍ତ ଆକ୍ରାନ୍ତ ବାସି ମିଠା ଖାଇବା ଯୋଗୁଁ ଖାଦ୍ୟ ବିଷକ୍ରିୟାର ଶିକାର ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ତ୍ବରିତ କାର୍ଯ୍ୟାନୁଷ୍ଠାନ ଦଳ ସଂପୃକ୍ତ ଅଞ୍ଚଳକୁ ଯାଇ ଖାଦ୍ୟ ନମୁନା ସହ ରୋଗୀଙ୍କ ମଳ ଓ ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। ବାତ୍ୟାଞ୍ଚଳରେ ଯେଭଳି କୌଣସି ସ୍ଥାନରେ ମହାମାରୀ ନ ବ୍ୟାପେ, ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରି ସେହି ଅଞ୍ଚଳକୁ ଡାକ୍ତର, ପାରାମେଡିକ୍ ଓ ଭ୍ରାମ୍ୟମାଣ ଚିକିତ୍ସିକ ଦଳ ମୁତୟନ ହୋଇଛନ୍ତି। ପର୍ଯ୍ୟାପ୍ତ ପରିମାଣର ଔଷଧ ସହ ଜଳ ବିଶୋଧନ ପାଇଁ ଆବଶ୍ୟକ ହାଲୋଜେନ୍, କ୍ଲୋରିନ୍ ଆଦି ଯୋଗାଇ ଦିଆଯାଇଛି। ଗାଁ କଲ୍ୟାଣ ସମିତି ଜରିଆରେ ଇତି ମଧ୍ୟରେ ୨୦୧୬୧ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ୮୯୦୯୧ ମୁକ୍ତ ଜଳ ଉତ୍ସକୁ ବ‌ିଶୋଧନ କରାଯାଇଛି। ଏବେ ବାତ୍ୟାଞ୍ଚଳରେ ରୋଗ ସର୍ବେକ୍ଷଣ କରୁଥିବା କେନ୍ଦ୍ର ସରକାର ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ସଂକ୍ରମଣ ସଂକ୍ରାନ୍ତରେ କୌଣସି ଆଗୁଆ ସତର୍କ ସୂଚନା ଦେଇନାହାନ୍ତି। ତେବେ ସ୍ଥିତିକୁ ଦେଖି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଓ ପରିମଳ ଉପରେ ସଜାଗ ଦୃଷ୍ଟି ରଖାଯାଇଛି। ପୁରୀ ଜିଲ୍ଲାର କୌଣସି କିଶୋରୀ ଓ ମହିଳା ଯେଭଳି ସଂକ୍ରମଣର ଶିକାର ନ ହୁଅନ୍ତି, ସେଥିପାଇଁ ଆସନ୍ତା ୨ମାସ ପର୍ଯ୍ୟନ୍ତ ମାଗଣାରେ ୨୪ଲକ୍ଷ ସାନିଟାରି ନାପକିନ୍ ବଣ୍ଟନ ବ୍ୟବସ୍ଥା କରାଯାଇଛି। ନିମାପଡ଼ା, ଗୋପ, ଅସ୍ତରଙ୍ଗ, କଣାସ, କାକଟପୁର ଓ ସତ୍ୟବାଦୀ ବ୍ଲକ୍‌ରେ ଏହାର ବଣ୍ଟନ ଆରମ୍ଭ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଶାବାହିତ ରୋଗ ପାଇଁ ଏ ପର୍ଯ୍ୟନ୍ତ ୬୦ ନମୁନା ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ରହିଛି।

ସମ୍ବନ୍ଧିତ ଖବର