୨୫ ମଧ୍ୟ ରାତିରୁ ପାଣି ଯୋଗାଣ ବନ୍ଦ

ଭୁବନେଶ୍ୱର : ଆସନ୍ତା ୨୫ତାରିଖ ମଧ୍ୟ ରାତିରୁ ସାରା ରାଜ୍ୟରେ ଜଳ ଯୋଗାଣ ବନ୍ଦ କରିଦେବାକୁ ରାଜ୍ୟ ଜଳଯୋଗାଣ ଏବଂ ପରିମଳ କର୍ମଚାରୀ ସମନ୍ଵୟ ସମିତି ଧମକ ଦେଇଛି। ଏଚ୍‌.ଆର୍‌ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ସମିତି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ କର୍ମଚାରୀମାନେ ‘ଜଳଶୂନ୍ୟ ଓଡ଼ିଶା ଏବଂ ମଳମୟ ସହର’ ଡାକରାରେ ଧାରଣାରେ ବସିବେ ବୋଲି କହିଛନ୍ତି। ଜଳ ଯୋଗାଣ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କଲେ କିପରି ଜଳ ଯୋଗାଣ ସ୍ୱାଭାବିକ ହେବ ସେଥିପାଇଁ ଆବଶ୍ୟକୀୟ କର୍ମଚାରୀ ନିୟୋଜିତ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେତିକି କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ୍‌ ହେବେ ସେତିକି କର୍ମଚାରୀ ନିୟୋଜିତ କରି ଜଳ ଯୋଗାଣ କରିବାକୁ ନିର୍ବାହୀ ଯନ୍ତ୍ରୀମାନଙ୍କୁ କୁହାଯାଇଛି। ଯଦି କେହି ଜଳ ଯୋଗାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ନିର୍ବାହୀ ଯନ୍ତ୍ରୀମାନଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୨୬ତାରିଖ ସକାଳେ ଏଚ୍‌.ଆର୍‌ କର୍ମଚାରୀଙ୍କ ଉପସ୍ଥାନ ନିଆଯିବ। ଯେଉଁମାନେ ଅନୁପସ୍ଥିତ ଥିବେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର