ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଯାଉଛି: ମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବିଭାଗଓ୍ଵାରୀ ସମୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗଓ୍ଵାରୀ କାର୍ଯ୍ୟକ୍ରମ ସମୀକ୍ଷା ଆରମ୍ଭ କରିଛନ୍ତିି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ସଫଳତା ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତତ ସୂଚନା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଲେ, ୨୦୧୪ ନିର୍ବାଚନ ଇସ୍ତାହାରରେ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ, ସେସବୁ କେତେଦୂର ପୂରଣ ହୋଇଛି ଏବଂ ଗତ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ସେସୁବର କାର୍ଯ୍ୟାନ୍ଵୟନ ସଂପର୍କରେ ମୁଖ୍ୟମନ୍ତ୍ରୀ ଜାଣିବାକୁ ଚାହିଥିଲେ। ଏଥିମଧ୍ୟରେ ଆଦର୍ଶ ବିଦ୍ୟାଳୟ, ଛାତ୍ରବୃତ୍ତି, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି,୯ମ ଶ୍ରେଣୀର ୫ ଲକ୍ଷ ପିଲାଙ୍କୁ ସାଇକେଲ ଆଦି କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ସେ ପ୍ରକାଶ କରିଥିଲେ। ଏହାବ୍ୟତୀତ, ବିଭାଗର ପିଲାଙ୍କ ଶିକ୍ଷଣ ସ୍ତର ବୃଦ୍ଧି ନିମନ୍ତେ ପ୍ରାଥମିକ ସ୍ତରରେ ଉଜ୍ଜ୍ୱଳ, ଉଚ୍ଚ ପ୍ରାଥମିକ ସ୍ତରରେ ଉତ୍‌ଥାନ, ନବମ ଶ୍ରେଣୀ ପିଲାଙ୍କ ପାଇଁ ଉତ୍କର୍ଷ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନରେ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରାଯାଉଥିବା ସେ କହିଥିଲେ।

ଏଣିକି ମାର୍କ ନୁହେଁ, ପ୍ରତିଯୋଗିତା ଭିତ୍ତିରେ ଶିକ୍ଷକ ନିଯୁକ୍ତି
ସଚିବ ମାନିଲେ, ୫ମ ଶ୍ରେଣୀ ପିଲା, ୩ୟ ପାଠ ବୁଝୁନି
ଆଗାମୀ ଶିକ୍ଷାବର୍ଷରୁ ସଡ଼କ ସୁରକ୍ଷା

ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ, ଭବିଷ୍ୟତରେ ଶିକ୍ଷକ ନିଯୁକ୍ତି ମାର୍କ ଭିତ୍ତିରେ କରାଯିବ ନାହିଁ। ଏଥିପାଇଁ ପ୍ରତିଯୋଗିତା ପରୀକ୍ଷା କରାଯିବ। ଶିକ୍ଷାର ମାନ ନେଇ ପ୍ରମୁଖ ସଚିବ କହିଥିଲେ, ପଞ୍ଚମ ଶ୍ରେଣୀର ଛାତ୍ର ୩ୟ ଶ୍ରେଣୀର ପାଠ ବୁଝିପାରୁନି। ଏହା ସେ କ୍ଷେତ୍ରୀୟ ପରିଦର୍ଶନ ବେଳେ ଅନୁଭବ କରିଛନ୍ତିି। ନ୍ୟାସନାଲ୍‌ ଆଚିଭ୍‌ମେଣ୍ଟ ସର୍ଭେରେ ଓଡ଼ିଶାର ସ୍ଥାନ ଦେଶରେ ୨୩। ତେବେ ଏହାକୁ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ରଖିବାକୁ ପଦକ୍ଷେପ ନିଆଯାଉଥିବା ପ୍ରମୁଖ ସଚିବ କହିଥିଲେ। ଚଳିତ ଶିକ୍ଷାବର୍ଷରୁ ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ ସଡ଼କ ସୁରକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଘରୋଇ ସ୍କୁଲରେ ଫି ବୃଦ୍ଧି ଏବଂ ଅନ୍ୟାନ୍ୟ ନିୟମ ପାଳନ ନିମନ୍ତେ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ପ୍ରମୁଖଙ୍କୁ ନେଇ ୬ଜଣିଆ କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ। ଜୁନ୍‌ ଶେଷ ସୁଦ୍ଧା ଏହି କମିଟି ରିପୋର୍ଟ ପ୍ରଦାନ କରିବ। ସେତେପର୍ଯ୍ୟନ୍ତ କୌଣସି ଘରୋଇ ସ୍କୁଲ ଫି ବୃଦ୍ଧି କରିପାରିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଗତ ୫ ବର୍ଷରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଅନ୍ତର୍ଧାନ ହୋଇଥିବା ନେଇ ସେ କହିଲେ, ୨୦୦୧ ଜନଗଣନାରେ ଜନସଂଖ୍ୟା ତୁଳନାରେ ୨୦୧୧ ଜନଗଣନାରେ ରାଜ୍ୟରେ ପିଲା ସଂଖ୍ୟା ୨.୧ ପ୍ରତିଶତରୁ ୧.୪ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୧ ବେଳକୁ ଏହା ୦.୮ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏଣୁ ଗତ ଦଶନ୍ଧିରେ ପିଲାଙ୍କ ସଂଖ୍ୟା ୧.୧୫ କୋଟିରୁ ୯୮ ଲକ୍ଷକୁ କମିଛି। ଜାତୀୟ ଆଦର୍ଶ ବିଦ୍ୟାଳୟର ସମସ୍ୟା ଦୂର ପାଇଁ ଛାତ୍ରାବାସ ନିର୍ମାଣ ଚାଲିଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର