ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅସ୍ତ୍ରାଗାରରୁ ମାଗାଜିନ୍ ଓ ଗୁଳି ଚୋରି ମାମଲାରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ବାରାକ୍ର ଜଣେ ହାବିଲଦାର୍ ଓ ଚାରିଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି। ହେଲେ, ଏହି ଘଟଣାରେ କିଛି ବଡ଼ବଡ଼ିଆଙ୍କ ହାତ ରହିଥିବାବେଳେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଶୁଣିବାକୁ ମିଳୁଛି। ଏହାକୁ ନେଇ ମଧ୍ୟ କିଛି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିଲମ୍ବିତ କର୍ମଚାରୀମାନେ ହେଲେ, ହାବିଲ୍ଦାର ରାଧେଶ୍ୟାମ ଲାରଙ୍ଗ, କନଷ୍ଟେବଳ ରାଧେଶ୍ୟାମ ନାଏକ, ଭାନୁ ବାଦି, ଗଣେଶ ପ୍ରଧାନ ଓ ସଞ୍ଜିତ କୁମାର ବାରିକ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୩ ରେ ପଶ୍ଚିମାଞ୍ଚଳ ମହାନିରୀକ୍ଷକ କବିତା ଜଲାନ ସୁନ୍ଦରଗଡ଼ ଆସି ତଦନ୍ତ କରିଥିଲେ। ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, କେଉଁ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ଅସ୍ତ୍ରାଗାର ସୁରକ୍ଷା ଫେଲ୍ ମାରିଲା ସେ ସବୁ ଦିଗରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଏହାପରେ, ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ତେବେ ଆଶ୍ଚର୍ଯ୍ୟ କଥା ହେଉଛି, ମହା ନିରୀକ୍ଷକ ଶ୍ରୀମତୀ ଜଲାନଙ୍କ ତଦନ୍ତର ୨ ଦିନ ପରେ ଡିସେମ୍ବର ୫ ତାରିଖରେ ସମ୍ପୃକ୍ତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲେ ହେଁ ଜିଲ୍ଲା ପୁଲିସ ଏହାକୁ ଗଣମାଧ୍ୟମ ଓ ଜନତାଙ୍କଠାରୁ ଗୋପନ ରଖିଥିଲା।