୧୫ ପରେ ପୁଣି ଆସିପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଇତି ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଆଖପାଖ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଓଡ଼ିଶା ଉପକୂଳଠାରୁ ଅନେକ ଦୂରରେ ଅବସ୍ଥିତ। ୧୫ ତାରିଖ ପରେ ଏହା ରାଜ୍ୟ ଉପକୂଳ ନିକଟତର ହେବ। ଏହା ପ୍ରଭାବରେ ବର୍ଷା ହେବ। ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନାନୁସାରେ ଉତ୍ତର ଓଡ଼ିଶାରୁ ଲଘୁଚାପର ପ୍ରଭାବ ଦୂର ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢ଼ିଥିବା ଅନୁଭୂତ ହେଉଛି। ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩୪ରୁ ୩୫ ଡିଗ୍ରି ମଧ୍ୟରେ ଥିବା ବେଳେ ସମ୍ବଲପୁରରେ ୩୫.୫ ଡିଗ୍ରି ହୋଇଛି। ଯେଉଁଠି ତାତି ବଢ଼ୁଛି, ସେଠାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌। ଆଜି ସନ୍ଧ୍ୟା ସୁଦ୍ଧା କୋରାପୁଟରେ ୨୪ ମିଲିମିଟର ବର୍ଷା ହୋଇଛି। ଏହାବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବର୍ଷା ହୋଇନାହିଁ।

ସମ୍ବନ୍ଧିତ ଖବର