ଆଜିଠୁ ଭୀଷଣ ବର୍ଷା : ୨୧ ଜିଲ୍ଲାକୁ ଅସ୍ତବ୍ୟସ୍ତ କରିଦେଇପାରେ, ରେଡ୍‌ ଆଲର୍ଟ ଜାରି କଲା ଆଇଏମ୍‌ଡି

ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦେଶ, ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଲଘୁୁଚାପର ରୂପ ନେଉଛି। ଓଡ଼ିଶା ଉପରେ ଏହାର ବଡ଼ ପ୍ରଭାବ ରହୁଛି। ଆଜିଠାରୁ ଆରମ୍ଭ ହୋଇଥିବା ବର୍ଷା ୧୪ ତାରିଖ ନୁହେଁ, ବରଂ ଆସନ୍ତାକାଲିଠାରୁ ଭୀଷଣ ରୂପ ନେଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ଦୁଇ ଦିନ (୧୩ ଓ ୧୪ ତାରିଖ) ପାଇଁ ସମଗ୍ର ଓଡ଼ିଶା ଲାଗି ରେ଼ଡ ଆଲର୍ଟ ଜାରି କରିଛି। ପରିସ୍ଥିତିକୁ ନଜରରେ ରଖି ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଇଏମ୍‌ଡି େଓ୍ଵବ୍‌ସାଇଟ୍‌ ଜରିଆରେ ସରକାରଙ୍କୁ ସତର୍କ କରାଇ ଦେଇଛି। ୧୫ ତାରିଖ ସକାଳ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୧୫ ଓ ୧୬ ତାରିଖରେ ଓଡ଼ିଶାରେ ସାମାନ୍ୟ ବର୍ଷା ହୋଇପାରେ।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି, ଏହି ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ବର୍ଷା ଭୟାନକ ରୂପ ନେଇପାରେ। ଏସବୁ ସ୍ଥାନରେ ୨୨୦ ମିଲିମିଟରରୁ ଅଧିକ ବର୍ଷା ହେବା ସମ୍ଭାବନାକୁ ଏ଼ଡ଼ାଇ ଦେଇହେବ ନାହିଁ। ବର୍ଷାର ଭୟାବହତାକୁ ଲକ୍ଷ୍ୟ କରି ରାଜ୍ୟର କିଛି ପ୍ରମୁଖ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ଲାଗି ନିର୍ଦେଶ ଦେଇଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାରୀ କଳକୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି।

ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟ ବର୍ଷାରେ ଅସ୍ତବ୍ୟସ୍ତ ହେବ। କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ଥିବା ନଦୀଗୁଡ଼ିକ ଫୁଲିବ। ମଙ୍ଗଳବାର ସକାଳ ସୁଦ୍ଧା ଅଧିକାଂଶ ନଦୀର ଜଳସ୍ତର ବିପଦସଙ୍କେତ ଅତିକ୍ରମ କରିବାର ଆଶଙ୍କା ରହିଛି।

ଉତ୍ତର ଓଡ଼ିଶାକୁ ବି ପ୍ରବଳରୁ ଅତିପ୍ରବଳ ବର୍ଷା ଭୟ ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ଉପକୂଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିବ। ଠାଏ ଠାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମାଲକାନଗିରିରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଧା, କନ୍ଧମାଳ, ସମ୍ବଲପୁର, ଜଗତ୍‌ସିଂହପୁର, ବୌଦ୍ଧ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୨୨୦ ମିମିରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ୧୪ରୁ ୧୫ ତାରିଖ ସକାଳ ମଧ୍ୟରେ ୨୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଦେବଗଡ଼, ଭଦ୍ରକ, କେନ୍ଦୁଝର ଓ ସମ୍ବଲପୁରରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ ଓ କ୍ରମଶଃ ଘନୀଭୂତ ହେବ। ପରେ ତାହା ଉପକୂଳରେ ଗତି କରି ୧୩ ଓ ୧୪ ତାରିଖ ଦୁଇଦିନ ଧରି ଓଡ଼ିଶାର ଉପକୂଳ ବଙ୍ଗୋପସାଗରରେ ଅବସ୍ଥିତ ରହିବ। ୧୫ ତାରିଖ ବେଳକୁ ଏହା ସ୍ଥଳ ଭାଗରେ ଗତି କରିବ। ଉତ୍ତର ପଶ୍ଚିମ ଦିଗ ଦେଇ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ଗତି କରିବ।

ଅନୁମାନ କରାଯାଉଛି ଯେ ୧୩ ଓ ୧୪ ତାରିଖରେ ଦକ୍ଷିଣ ଉପକୂଳ ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବ। ୧୫ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ସୀମାନ୍ତ ଅଞ୍ଚଳରେ ବର୍ଷା ଲାଗିରହିବ। ତେଣୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବ। ସତର୍କତା ଅବଲମ୍ବନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ୧୩ ରାତିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବର୍ଷିବ। ୧୪ ତାରିଖରେ ଅତିପ୍ରବଳ ବର୍ଷା ହେବ। ଚଳିତବର୍ଷ ଦେଖିବାକୁ ମିଳୁଛି ଯେ ଲଘୁଚାପ ଯେଉଁଠି ରହୁଛି ସେଠାରେ ବର୍ଷା ହେଉନି। ବାୟୁର ଗତି ଯେଉଁଠି ରହୁଛି ସେଠାରେ ୩ରୁ ୪ ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହୋଇଯାଉଛି। ଆସନ୍ତା ୧୫ ତାରିଖ ରାତି ବେଳକୁ ଓଡ଼ିଶା ଉପର ଦେଇ ଲଘୁଚାପ ପଳାଇ ଯିବ। ଏହାପରେ ବର୍ଷା ପରିମାଣ କମିବ।

ସମ୍ବନ୍ଧିତ ଖବର