ଆଜି ମଧ୍ୟରାତ୍ରରୁ ରାଜ୍ୟରେ ଆରମ୍ଭ ହେବ ପ୍ରାକ୍‌ ମୌସୁମୀ ବର୍ଷା! ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି (ଶୁକ୍ରବାର) ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହି ସମୟରେ ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏହି ସତର୍କ ସୂଚନାରେ କୁହାଯାଇଛି। ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏହି ସତର୍କ ସୂଚନାରେ କୁହାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ପ୍ରତିକୂଳ ପାଗ ରହିଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଜୁନ୍‌ ୬ ପୂର୍ବରୁ ରାଜ୍ୟରେ ପହଞ୍ଚିବାର ସମ୍ଭାବନା ଥିବା କହିଛି ଘରୋଇ ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟ୍‌। ଆଜି ମଧ୍ୟରାତ୍ରରୁ ଆସନ୍ତା ଜୁନ୍‌ ୬ ତାରିଖ ପର୍ଯର୍୍ୟନ୍ତ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଲାଗି ରହିବ ବୋଲି କହିଛି ସ୍କାଇମେଟ୍‌।

ସମ୍ବନ୍ଧିତ ଖବର