ପାଗ ବଦଳିଲା

ଭୁବନେଶ୍ୱର : ଲଗାତାର ଭାବେ ଓଡ଼ିଶାର ତାପମାତ୍ରା ବଢ଼ୁଥିବା ବେଳେ ହଠାତ୍‌ ଆଜି ପାଗରେ କିଛିଟା ପରିବର୍ତନ ଆସିଛି। ତାତି କମିବା ସହ ପୂର୍ବଦିନ ଅପେକ୍ଷା କମ୍‌ ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗରେ ମଧ୍ୟ କିଛିଟା ପରିବର୍ତନ ହୋଇଛି। ସକାଳୁ ପାଗ କୋହଲା ରହିବା ସହ ପୁରୀ, ଜଗତ୍‌ସିଂପୁର, ଖୋର୍ଧା, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାରେ ମେଘୁଆ ପାଗ ଦେଖିବାକୁ ମିଳିଥିଲା। ଅପରାହ୍ନ ପ୍ରାୟ ୨ଟା ବେଳକୁ ପାଗରେ କିଛିଟା ପରିବର୍ତନ ଆସିବା ସହ ଖରା ବଢ଼ିଥିଲା। ୧୦ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ।

ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳ ସମେତ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଓଡ଼ିଶା ଉପର ଦେଇ ଟ୍ରାପ୍‌ ଲାଇନ୍‌ ଯାଇଥିବାରୁ କଟକ, ଜଗତ୍‌ସିଂପୁର, ପୁରୀ, କେନ୍ଦ୍ରାପଡା, ଯାଜପୁର, ଖୋର୍ଧା, ଭଦ୍ରକ, ବାଲେଶ୍ୱରର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆହୁରି କରାଯାଇଛି ଯେ ଆସନ୍ତା ୯ ଓ ୧୦ ତାରିଖରେ ସାରା ଓଡ଼ିଶାରେ କୁହୁଡ଼ି ପରିମାଣ ବଢ଼ିବ। ୨୦୦ ମିଟର ପରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ଏନେଇ ସତର୍କର୍ ରହିବାକୁ ପରାମର୍ଶ ଦିଆଯାଇଛି। ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୩୪.୬, ଅନୁଗୁଳରେ ୩୪.୧, ବଲାଙ୍ଗିରରେ ୩୪, ସମ୍ବଲପୁରରେ ୩୩.୮, ଭୁବନେଶ୍ୱରରେ ୩୩.୬, ଭବାନୀପାଟଣାରେ ୩୩ ଡିଗ୍ରି ରହିଥିଲା। ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ବି ବଢ଼ିବାରେ ଲାଗିଛି। ସମସ୍ତ ସହରର ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି। ଉପକୂଳ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରି ଡେଇଁଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର