ମାଡ଼ି ଆସୁଛି ବାତ୍ୟା ‘ପେଥାଇ’ : ୧୬,୧୭ ଓ ୧୮ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତ ରହିବ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ପେଥାଇ’। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହେଇଛି। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବ । ଡିସେମ୍ବର ୧୭ ତାରିଖ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୧୬ ତାରିଖ ରାତିରୁ ମାଲ୍‌କାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପବନର ଘଣ୍ଟା ପ୍ରତି ୫୦ ରୁ ୭୦ କିମି ରହିବ ବୋଲି ଅନୁମାନ କରାଯାଇଛି।

ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ  ଏସ୍‌ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି ହୋଇଛି। ଶନିବାରଠାରୁ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ସେହିପରି ସମ୍ଭାବ୍ୟ ବର୍ଷା ଦ୍ଵାରା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛି। ଏଣେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯିବା ସହ କଟା ଯାଇ ନ ଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେବା, ଶୁଖି ଯାଇଥିବା ଧାନକୁ ଅମଳ କରିବା, ଖଳା ଓ ମଣ୍ଡିରେ ପଡ଼ି ରହିଥିବା ଧାନକୁ ପାଲ ଘୋଡ଼ାଇ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର