ଅବପାତ ଦୁର୍ବଳ, ବର୍ଷା ଛାଡ଼ିଲା : ଏଣିକି ଦିନରେ ଗରମ, ରାତିରେ ଶୀତ

ଭୁବନେଶ୍ୱର : ଓଡ଼ିଶାରୁ ଦୂରେଇ ଯାଇଛି ଅବପାତ, ଛାଡ଼ି ଯାଇଛି ବର୍ଷା। ବିଭିନ୍ନ ନଦୀରେ ଆସିଥିବା ବନ୍ୟା ପରିସ୍ଥିତିରେ ବି ଉନ୍ନତି ଘଟିଛି। ଆଜି କେବଳ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଭଲ ବର୍ଷା ହୋଇଥିଲେ ବି ଏହା ପରେ ଓଡ଼ିଶା ଆକାଶ ମେଘମୁକ୍ତ ହୋଇଛି। ଏଥିସହ ଆଜିଠୁ ହାଲ୍‌କା ଥଣ୍ଡା ପଶ୍ଚିମା ପବନ ବହିବା ଆରମ୍ଭ ହୋଇଛି। ଯଦି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ନ ହୁଏ ତେବେ ଏହି ପଶ୍ଚିମା ପବନ ପ୍ରଭାବରେ ଦିନେ ଦୁଇଦିନ ଭିତରେ ଅନୁଭୂତ ହେବ ଶୀତର ପୁଲକ। ଏଥିପାଇଁ ପାଗ ଅନୁକୂଳ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଦିନ ଧରି ଦିନ ତାପମାତ୍ରା ଅଧିକ ରହିବ, ରାତିର ତାପମାତ୍ରା ଧୀରେ ଧୀରେ କମିବ। ପ୍ରଥମେ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ଏହାର ପ୍ରଭାବ ବାରି ହେବ। ଧୀରେ ଧୀରେ ଶୀତ କବଳିତ କରିବ ଓଡ଼ିଶାକୁ। ତେବେ ଦିନରେ ତାପମାତ୍ରା ସାମାନ୍ୟ ଅଧିକ ରହିବ ଓ ଗରମ ଅନୁଭୂତ ହେବ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଚାନ୍ଦବାଲିରୁ ଅନ୍ୟୂନ ୫୦୦ କି.ମି. ଦୂର ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକା ଆଡ଼କୁ ଗତି କରିଛି। ଏବେ ଓଡ଼ିଶା ଉପରେ ଏହାର ପ୍ରଭାବ ଆପାତତଃ ଶୂନ। ତେଣୁ ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ଜାରି ହୋଇଥିବା ୩ ନମ୍ବର ସତର୍କ ସଂକେତ ଉଠାଇ ଦିଆଯାଇଛି। ତଥାପି ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ୪୫ରୁ ୫୫ କି.ମି.ବେଗରେ ପବନ ବହୁଛି। ସମୁଦ୍ର ଅଶାନ୍ତ ରହିଛି। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ନଓ୍ଵାନାରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିଲା। ବାସୁଦେବପୁରରେ ୧୦୦ ମି.ମି. ବର୍ଷା ହୋଇଥିବା ବେଳେ ବୀରମହାରାଜପୁରରେ ୯୦ ମି.ମି., ବାଙ୍କି, ବରମୂୂଳ, ମୋହନା, ରାଇରଙ୍ଗପୁର, ଉଲୁଣ୍ଡାରେ ୭୦ ମି.ମି., କପ୍ତିପଦା, ଦିଗପହଣ୍ଡି, ସୋନପୁର, ଖଇରମାଳ, ବିନିକାରେ ୬୦ ମି.ମି., ଅତାବିରା, ଆନନ୍ଦପୁର, ଗଣିଆ, ଟିକରପଡ଼ା, ଯଶୀପୁର, ଶାମାଖୁଣ୍ଟା, ଟେନ୍‌ସା, ଯାଜପୁର, ବନ୍ତରେ ୫୦ ମି.ମି., ଭୁବନ, ପାଲଲହଡ଼ା, ବାଙ୍ଗିରିପୋଷୀ, ଦାନଗଦି, ମୟୂରଭଞ୍ଜର ଚନ୍ଦନପୁର, ବିଞ୍ଝାରପୁର, ବେତନଟୀ, ନୟାଗଡ଼ର ଖଣ୍ଡପଡ଼ା, ଦଶପଲ୍ଲାରେ ପ୍ରାୟ ୪୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ବାରିପଦା, ବାଲେଶ୍ୱରରେ ସାମାନ୍ୟ ବର୍ଷା ହୋଇଛି।

ପାଣିପାଗ କେଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଅବପାତର ପ୍ରଭାବ ରାଜ୍ୟରୁ ଅପସରି ଯିବା ପରେ ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ଧୀରେ ଧୀରେ ଶୁଖିବାକୁ ଲାଗୁଛି। ଫଳରେ କମିବାକୁ ଲାଗୁଛି ଆର୍ଦ୍ରତା ପରିମାଣ। କେନ୍ଦ୍ରୀୟ ଭାରତରୁ ଥଣ୍ଡା ପଶ୍ଚିମା ପବନ ବହିବାକୁ ଆରମ୍ଭ କରିଛି। ଏସବୁ କାରଣରୁ ସର୍ବନିମ୍ନ ତାପମାତ୍ରା ବି କମିବା ଲକ୍ଷ୍ୟ କରାଯାଉଛି। ଆଜି ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୪/୨୫ ଡିଗ୍ରିରୁ ହ୍ରାସ ପାଇ ୨୨/୨୩ ଡିଗ୍ରି ମଧ୍ୟରେ ରହିଛି। ସର୍ବନିମ୍ନ ତାପମାତ୍ରା କମିଲେ, ଶୀତ ଅନୁଭୂତ ହେବ।

ସମ୍ବନ୍ଧିତ ଖବର