ରାଜ୍ୟର ବିଭିନ୍ନ ସହରର ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ

ଭୁବନେଶ୍ୱର : ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ଉପକୂଳ, ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ରହିବ। ମାର୍ଚ୍ଚ ୩୧ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆହୁରି କୁହାଯାଇଛି ଯେ, ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ପରେ ପରବର୍ତ୍ତୀ ସପ୍ତାହକ ପର୍ଯ୍ୟନ୍ତ ପ୍ରାୟତଃ ସ୍ଥିର ରହିବ। ସ୍ଥାନେ ସ୍ଥାନେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଡେଇଁ ଯିବାର ବି ସମ୍ଭାବନା ରହିଛି। ତେବେ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନାହିଁ। ୩୦ ତାରିଖ ବେଳକୁ ଭୁବନେଶ୍ୱର ସମେତ ଟିଟିଲାଗଡ଼, ସୋନପୁର, ମାଲକାନଗିରି ପରି କେତେକ ଅଞ୍ଚଳରେ ଦିନର ତାପମାତ୍ରା ୪୦ ଡିଗ୍ରି ଟପିବ। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। ଏହାପର ୨ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୮ ଓ ୨୯ ତାରିଖ ବେଳକୁ ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ରହିଥିଲା। ଏହାବ୍ୟତୀତ ଟିଟିଲାଗଡରେ ୩୭.୯, ସୋନପୁରରେ ୩୭.୪, ଅନୁଗୁଳରେ ୩୭.୧ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର