ମେଘ ହଟିଲା, ପାରଦ ଖସିବ

ଭୁବନେଶ୍ୱର : ଅଦିନିଆ ବର୍ଷାର ପ୍ରଭାବ ହଟିଯିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଧୀରେ ଧୀରେ ତଳକୁ ଖସୁଛି। ଆଜି ଦାରିଙ୍ଗିବାଡ଼ି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦° ସେଲ୍‌ସିୟସ ତଳେ ଥିବା ବେଳେ ୧୨ଟି ସ୍ଥାନରେ ଏହା ୧୫° ତଳେ ରହିଛି। ଅବଶ୍ୟ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ପରିମାଣଠାରୁ ଅଧିକ। ଆଗାମୀ ୪୮ ଘଣ୍ଟା ଅର୍ଥାତ୍‌ ସୋମବାର ବେଳକୁ ପାରଦ ନିମ୍ନଗାମୀ ହେବ। ପଶ୍ଚିମାଞ୍ଚଳର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୧° ମଧ୍ୟରେ ଏବଂ ଉପକୂଳବର୍ତୀ ଅନେକ ସ୍ଥାନରେ ୧୨/୧୩° ରହିବ। ଏଭଳି ଥଣ୍ଡା ପରିସ୍ଥିତି ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କିନ୍ତୁ ୨୨/୨୩ ତାରିଖ ବେଳକୁ ପଶ୍ଚିମା ବାୟୁ ବହିଲେ ପୁଣି ତାପମାତ୍ରା ବଢ଼ିବ ଏବଂ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏହି ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୯ ତାରିଖ ବେଳକୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ପଶ୍ଚିମା ବାୟୁ ପ୍ରବାହିତ ହେବ। ବର୍ତମାନ ସେଠାରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ବାୟୁ ବହିଲେ, ତାପମାନ ବୃଦ୍ଧି ପାଇବ। ଦିଲ୍ଲୀରୁ ଏହି ପଶ୍ଚିମା ବାୟୁ ୨୨/୨୩ ତାରିଖ ବେଳକୁ ଓଡ଼ିଶାମୁହାଁ ହୋଇପାରେ। ଏ ନେଇ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ପଶ୍ଚିମା ବାୟୁ କାଁ ଭାଁ ବର୍ଷା କରାଇଥାଏ। କିନ୍ତୁ ଏଠାରେ ବର୍ଷା ହେବାର ସମ୍ଭାବନା କମ୍‌। ତେବେ ଏହା ବହିବା ବେଳେ ତାପମାତ୍ରା ବଢ଼ିବ। ଏହା ଚାଲିଗଲା ପରେ ଥଣ୍ଡା ବଢ଼ିଥାଏ। ତାପମାତ୍ରା ଧୀରେ ଧୀରେ କମିବ। ଆଗାମୀ ୨/୩ ଦିନରେ ଅଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦° ଏବଂ ଉପକୂଳରେ ୧୧ରୁ ୧୩° ହେବାର ସମ୍ଭାବନା ରହିଥିବା ସେ ପୂର୍ବାନୁମାନ କରିଛନ୍ତିି। ବର୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହିଥିବାରୁ ଉପକୂଳବର୍ତୀ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩୦° ରହୁଛି। ବିଳମ୍ବିତ ରାତିରେ ଥଣ୍ଡା ଅନୁଭୂତ ହେଉଛି। ସକାଳୁଆ କୁହୁଡ଼ି ଦେଖିବାକୁ ମିଳୁଛି। କିନ୍ତୁ ଜଳୀୟବାଷ୍ପ ଶୁଖିଗଲା ପରେ କୁହୁଡ଼ି ଉଭେଇ ଯିବାର ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର