ଅଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ଉପରେ ଟ୍ରାପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ତାହା ପ୍ରଭାବରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ସୋନପୁରରେ ସର୍ବାଧିକ ୫.୬ ମି.ମି. ବର୍ଷା ରେକର୍ଡ କରାଯାଇଛି। ଏଥିସହ ଟିଟିଲାଗଡ଼ରେ ୩, ହୀରାୁକଦରେ ୧.୬, ଝାରସୁଗୁଡ଼ା ଓ ସମ୍ବଲପୁରରେ ଝିପିଝିପି ବର୍ଷା ହୋଇଛି। ମଙ୍ଗଳବାର ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ କୋହଲା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୩ ତାରିଖ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ପବନ ବୋହିବାର ବି ସମ୍ଭାବନା ରହିଛି। ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଅପରାହ୍ନରୁ ରାତି ମଧ୍ୟରେ ଝଡ଼ ବର୍ଷା ହେବାର ବହୁ ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ଜାଗତ୍‌ସିଂହପୁର, ପୁରୀ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ପ୍ରଭୃତି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୫ ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ ସ୍ୱାଭାବିକ ସ୍ଥିତିକୁ ଫେରିବ। କିନ୍ତୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୬ ତାରିଖରୁ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ୱରରେ ୩୨.୪, ବାଲେଶ୍ୱର ଓ ଝାରସୁଗୁଡ଼ାରେ ୩୧.୫, କଟକରେ ୩୦.୬, ବାରିପଦା ଓ ହୀରାକୁଦରେ ୩୦.୬, ଢ଼େଙ୍କାନାଳରେ ୩୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର