ଜଳୁଛି ଓଡ଼ିଶା, ୫ଦିନ ପାଇଁ ଅଂଶୁଘାତ ଭୟ

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହେଲାଣି। ଶନିବାର ତାପମାତ୍ରା ୪୫.୫ ଡିଗ୍ରି ଥିଲା, ଆଜି ଆଉ ଟିକେ (୪୫.୮ ଡିଗ୍ରି) ବୃଦ୍ଧିପାଇଛି। ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। କେବଳ ଏଇଠି ନୁହେଁ, ୩ଟି ଜିଲ୍ଲାରେ ତାତି ୪୪ ଡିଗ୍ରି ଉପରେ ରହିଛି। ୨ଟି ଜିଲ୍ଲା ପାରଦ ୪୩ ଡିଗ୍ରି ଅତିକ୍ରମ କରିସାରିଲେଣି, ୩ଟି ଜିଲ୍ଲାରେ ୪୨ ଡିଗ୍ରି, ୪ ଟି ଜିଲ୍ଲାରେ ୪୧ ଡିଗ୍ରି ଉପରେ ରହିଛି। ଏମିତି ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି। ଏମିତି ଝାଞ୍ଜି ପିଟୁଛି ଯେ ବାହାରକୁ ବାହାରିବା ତ ଦୂରର କଥା ଘର ଭିତରେ ବି ସ୍ଥିତି ଅସହ୍ୟ କରିଦେଉଛି।

ରାଜ୍ୟ କରୋନା ଭଳି ବିପର୍ଯ୍ୟୟ ସହ ଲଢୁଛି। ଠିକ୍ ଏମିତି ସମୟରେ ଗତ ସପ୍ତାହରେ ମହାବାତ୍ୟା ‘ଅମ୍ଫାନ୍’ ଉତ୍ତର ଓଡ଼ିଶା ପାଇଁ ଭୟଙ୍କର ବିପତ୍ତି ଲଦିଦେଇଥିଲା। ସେଥିରୁ ମୁକୁଳିବା ପରେ ଏବେ ଅଂଶୁଘାତ ପଶ୍ଚିମ ଏବଂ କେନ୍ଦ୍ର ଓଡ଼ିଶା ସ୍ଥିତିକୁ ସଙ୍ଗିନ୍ କଲାଣି। ଆଜି ଭାରତର ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ରାଜ୍ୟର ଏକ ତୃତୀୟାଂଶ ଅର୍ଥାତ୍ ୧୦ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ବା ଅଂଶୁଘାତ ସତର୍କତା ଜାରି କରିଛନ୍ତି। ଅସୁସ୍ଥ,ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏପଟେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ତୁରନ୍ତ ସେମାନେ ଅଂଶୁଘାତ ମୁକାବିଲା ପ୍ରସ୍ତୁତି ଅନୁଧ୍ୟାନ କରନ୍ତୁ। ପିଇବା ପାଣି ଯୋଗାଣ ବ୍ୟବସ୍ଥାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି।

ପାଣିପାଗ ବିଭାଗ ଆଜି ରେକର୍ଡ କରିଥିବା ତାପମାତ୍ରା ସୂଚାଉଛି ଯେ ତାଳଚେର (୪୪.୩ ଡିଗ୍ରି), ଭବାନୀପାଟଣା (୪୪.୦ ଡିଗ୍ରି), ବଲାଙ୍ଗୀର (୪୪.୦ଡିଗ୍ରି), ମାଲକାନଗିରି (୪୩.୧ଡିଗ୍ରି), ସୋନପୁର (୪୩.୦ ଡିଗ୍ରି), ଅନୁଗୁଳ (୪୨.୫ଡିଗ୍ରି), ସମ୍ବଲପୁର (୪୨.୨ ଡିଗ୍ରି), ପାରଳାଖେମୁଣ୍ଡି (୪୨.୨ଡିଗ୍ରି), ହୀରାକୁଦ (୪୧.୯ଡିଗ୍ରି), ଫୁଲବାଣୀ(୪୧.୮ ଡିଗ୍ରି), ବୌଦ୍ଧ (୪୧.୮ ଡିଗ୍ରି), ଝାରସୁଗୁଡା (୪୧.୬ ଡିଗ୍ରି) ଓ ସୁନ୍ଦରଗଡ଼ (୪୦.୦ ଡିଗ୍ରି)ରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି। ଆସନ୍ତାକାଲି ପାଇଁ େୟଲୋ ଓ ୨୬ ତାରିଖରୁ ଅରେଞ୍ଜ ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ପାଞ୍ଚଦିନ ପାଇଁ ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାରେ ଅଂଶୁଘାତ ପରିସ୍ଥିତି ସୃଷ୍ଟି ହୋଇପାରେ। ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

ବାୟୁମଣ୍ଡଳରେ ଚାପରେ ବଡ଼ ଧରଣର ତାରତମ୍ୟ ରହୁଥିବାରୁ ଉପକୂଳ ଓଡିଶା ଏବଂ ତାର ଆଖପାଖ ଅଞ୍ଚଳରେ ସମୁଦ୍ରରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମିରେ ବେଗରେ ପବନ ବହିପାରେ। ଏଣୁ ମତ୍ସ୍ୟଜୀବୀ ମାନଙ୍କୁ ୨୫ ଏବଂ ୨୬ ତାରିଖ ପାଇଁ ନଯିବାକୁ ବାରଣ କରାଯାଇଛି।

ପରିସ୍ଥିତିକୁ ନଜରରେ ରଖି ଏସ୍‌ଆରସି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଜଳ ସଙ୍କଟ ପରିସ୍ଥିତି ସୁଧାରିବା ନିମନ୍ତେ ତୁରନ୍ତ ନଳକୂପ ପାଇପ୍ ଯୋଗେ ଯୋଗାଣ ହେଉଥିବା ପ୍ରକଳ୍ପ ମରାମତି କରାଯିବା ଦରକାର। ପାନୀୟ ଜଳ ସଙ୍କଟ ଥିବା ଜନବସତି ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳ ପଠାଇବା, ଜଳ ସଙ୍କଟ ଥିବା ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବା, ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ବନ୍ଦୋବସ୍ତ କରିବା, ପ୍ରାଣୀ ସମ୍ପଦର ଯତ୍ନ ନେବା, ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସମୟ ଅବଧି ନିର୍ଧାରଣ କରିବା ଆଦି ସଂପର୍କରେ ସତର୍କ କରିଦିଆଯାଇଛି।

ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରୁଛନ୍ତି ଯେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ତାପମାତ୍ରା ବଢିବ। ଜୁନ୍ ୨ ପର୍ଯ୍ୟନ୍ତ ସାରା ଓଡ଼ିଶାକୁ ତାତିରୁ ନିସ୍ତାର ନାହିଁ। ୨୮ ଓ ୨୯ ତାରିଖରେ ଦେଶରେ ଅନ୍ୟସବୁ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ବର ଠାରୁ ବାଲେଶ୍ବର ଯୋଡ଼ି ହୋଇପାରେ। ୨୯ ତାରିଖ ବେଳରୁ ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରିରେ ତାତି ସାମାନ୍ୟ କମିବ, କିନ୍ତୁ ୪୦ ଡିଗ୍ରିର ଯଥେଷ୍ଟ ଉପରେ ରହିବ।

ସେ ପୂର୍ବାନୁମାନ କରିଛନ୍ତି, ଓଡ଼ିଶାରେ ଏଭଳି ତାତି ବଢ଼ିବା ପଛର କାରଣ ହେଉଛି, ସୂର୍ଯ୍ୟ ଓଡ଼ିଶାର ମୁଣ୍ଡ ଉପରେ ଅଛନ୍ତି। ନିମ୍ନ ବାୟୁମଣ୍ଡଳରେ ମେଘ ସୃଷ୍ଟି ହେଉନଥିବାରୁ ସୂର୍ଯ୍ୟଙ୍କ ରଶ୍ମୀ ଅଧିକ ତୀବ୍ର ହେଉଛି। ଉତ୍ତର ପଶ୍ଚିମ ଦିଗରୁ ତତଲା ପବନ ଓଡ଼ିଶା ଆଡ଼କୁ ଆସିବା ବେଳେ ଏହା ରାଜ୍ୟରେ ଅତ୍ୟନ୍ତ ସଙ୍କୁଚିତ ଓ ପ୍ରଭାବୀ ରହୁଛି। ଏହାବ୍ୟତୀତ ଚଳିତବର୍ଷ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷମାନଙ୍କ ଅପେକ୍ଷା ଶିଶିର ବିନ୍ଦୁ ଓ ଓଦା ପାରଦ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହୁଛି।

ଏହି କ୍ରମରେ ଆସନ୍ତାକାଲି ପୁରୀ, ନୟାଗଡ଼, କଟକ, ଢେଙ୍କାନାଳରେ ତାତି ୨ଡିଗ୍ରି ଉପରେ ବଢିଯିବ। ୨୭ ତାରିଖରୁ ଭୁବନେଶ୍ବର ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦା ଉପରକୁ ଉଠିପାରେ। କେବଳ ସେତିକି ନୁହେଁ, ଆସନ୍ତାକାଲି ଉତ୍ତର ପଶ୍ଚିମ ସଂଲଗ୍ନ ରାଜ୍ୟ ଯଥା ପଞ୍ଜାବ ଠାରୁ ଆରମ୍ଭ କରି ଅନୁଗୁଳ, ତାଳଚେର ଯାଏ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ବାତ୍ୟା ପରେ ଓଡ଼ିଶାରେ ତାପମାତ୍ରା ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା।

ସମ୍ବନ୍ଧିତ ଖବର