୭ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା

ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ

ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ଣରେ ଅଧିକ ଘନୀଭୂତ ହୋଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପରେ ଏହାର ପ୍ରଭାବରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷା ଲାଗିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।

ଏହି ସୂଚନା ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବର୍ଷା ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସତର୍କ ସୂଚନା ଜାରି କରିଛନ୍ତି। ତେବେ, ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏହି ଲଘୁଚାପଟି ଠିକ୍‌ କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନଥିବା କାରଣରୁ ରାଜ୍ୟବାସୀ ଏହାକୁ ନେଇ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି।

କାରଣ, ସାମୁଦ୍ରିକ ଝଡ ଉଖି ଏବେ ଯେପରି ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳ ଆଡକୁ ଗତି କରୁଥିବାରୁ ସେହି ଦୁଇ ରାଜ୍ୟରେ ଯେପରି ହାଇ ଆଲର୍ଟ ଜାରି କରାଯାଇଛି ତାହାକୁ ଦୃଷ୍ଟିରେ ରଖି ରାଜ୍ୟବାସୀ ଅଧିକ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର