ଷ୍ଟାର୍ଟଅପ୍‌ ପ୍ରତି ବଢ଼ିଛି ଯୁବପିଢ଼ିଙ୍କ ଆଗ୍ରହ : ୧୫ ମାସରେ ପହଞ୍ଚିଲା ୨୭୯

ବ୍ଲକ୍‌ସ୍ତରରେ ହେବ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର : ୨୦୧୭ ମେ’ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ‘ଷ୍ଟାଟ୍‌ଅପ୍‌ ଓଡ଼ିଶା ପୋର୍ଟାଲ’। ଉଦ୍‌ଘାଟନକୁ ୧୫ ମାସ ବିତିଥିବା ବେଳେ ଷ୍ଟାଟ୍‌ଅପ୍‌ ପ୍ରତିଷ୍ଠା ପାଇଁ ଯୁବପିଢ଼ୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ୨୭୯ ଜଣ ଯୁବକଯୁବତୀ ଏହି ପୋର୍ଟାଲରେ ଷ୍ଟାଟ୍‌ଅପ୍‌ ପାଇଁ ନାମ ପଞ୍ଜିକରଣ କରିଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆଗକୁ ପ୍ରତି ମାସରେ ୨୦ଟି ନୂଆ ଷ୍ଟାଟ୍‌ଅପ୍‌ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌ ଏନ୍‌ ଗୁପ୍ତା କହିଛନ୍ତି।

୨୦୧୭ ପୂର୍ବରୁ ଓଡ଼ିଶାରେ ଗୋଟିଏ ବି ଷ୍ଟାଟ୍‌ଅପ୍‌ ନ ଥିଲା। ଜଣେ ବି ଯୁବକ ଯୁବତୀ ଏଦିଗରେ ଆଗ୍ରହ ବି ଦେଖାଇ ନଥିଲେ। କିନ୍ତୁ ୨୦୧୭ରେ ପୋର୍ଟାଲ ଆରମ୍ଭ ହେବା ପରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପାଠପଢ଼ା ଶେଷ କରି ଉଦ୍ୟୋଗ ପ୍ର୍ରତିଷ୍ଠା କରିବାକୁ ଆଗେଇ ଆସୁଛନ୍ତି। ୨୭୯ଟି ଷ୍ଟାଟ୍‌ଅପ୍‌ ପଞ୍ଜିକୃତ ହୋଇଥିବା ବେଳେ ୪୬ଟିକୁ ଆର୍ଥିକ ସହାୟତା ଦିଆଯାଇଛି। ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାର ସମ୍ଭାବନା ବି ସୃଷ୍ଟି ହେଉଛି। ଯଦି ଗୋଟିଏ ଉଦ୍ୟୋଗ ପ୍ରତିଷ୍ଠା କରାଯାଏ ସେଥିରେ ଅତିକମ୍‌ରେ ୧୮ରୁ ୨୦ ଜଣ ନିଯୁକ୍ତି ପାଇପାରିବେ ବୋଲି ଆକଳନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଅଣୁ ଉଦ୍ୟୋଗ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ପାଇଛି।

ସଚିବ ଶ୍ରୀ ଗୁପ୍ତାଙ୍କ ସୂଚନା ଅନୁଯାୟୀ ଯୁବପିଢ଼ୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ କରିବାକୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ବ୍ଲକରେ ଗୋଟିଏ, ପୌର ପରିଷଦରେ ୨ଟି ଓ ମହାନଗର ନିଗମରେ ୫ଟି ବିକାଶ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ୫୦୦ କାର୍ଯ୍ୟକ୍ରମ କରିବାକୁ ଯୋଜନା ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କରମାନଙ୍କୁ ମଧ୍ୟ ସାମିଲ କରାଯିବ। ସେମାନେ ଉପସ୍ଥିତ ଯୋଗ୍ୟତାଧାରୀ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇ ଦେବେ।

ଅନ୍ୟପକ୍ଷରେ ଷ୍ଟାଟ୍‌ଅପ୍‌ ପ୍ରତି ଯୁବପିଢ଼ୀଙ୍କୁ ଅଧିକ ଆକୃଷ୍ଟ କରିବାକୁ ଭୁବନେଶ୍ୱର ଆଇଆଇଟି ପରିସରରେ ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ଘରୋଇ ସଂସ୍ଥା ବି ହାତ ବଢ଼ାଇଛନ୍ତି। ଏହା ପ୍ରତିଷ୍ଠା ହେବା ପରେ ପରେ ଓଡ଼ିଶାର ଯୁବପିଢ଼ୀଙ୍କ ଲାଗି ନିଯୁକ୍ତି ସୁଯୋଗର ଅଭାବ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ମଧ୍ୟ ଏବେ ଷ୍ଟାଟ୍‌ଅପ୍‌ ପ୍ରତିଷ୍ଠା ଲାଗି ଋଣ ଯୋଗାଇ ଦେଉଛନ୍ତି। ବିଶେଷକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାମାନଙ୍କୁ ଅଗ୍ରାଧିକର ଭିତ୍ତିରେ ଋଣ ଦେବାକୁ କୁହାଯାଇଛି। ପୂର୍ବରୁ ବ୍ୟାଙ୍କଗୁଡ଼ିକ ଏଦିଗରେ ସହଯୋଗ କରୁ ନ ଥିବା ବେଳେ ଏବେ ସ୍ଥିତିରେ ଉନ୍ନତି ଆସିଛି ବୋଲି ଗତକାଲି ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଗୁପ୍ତା ଏହା କହିଛନ୍ତି।

ସମ୍ବନ୍ଧିତ ଖବର