ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ ଆଇଜିଙ୍କ ତଦନ୍ତ

ଭୁବନେଶ୍ୱର : ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପାଖାପାଖି ଦୁଇ ମାସ ହୋଇଗଲାଣି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ଘଟଣାର ରହସ୍ୟ ଭେଦ କରିପାରୁନି। ଏଭଳି ପରିସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ ଉପରୁ ଭରସା ତୁଟାଇବାକୁ ବସିଲେଣି ମୃତ ସୌମ୍ୟଶେଖର ସାହୁଙ୍କ ବାପା ମା’। ଏ ପରିପ୍ରେକ୍ଷୀରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦେଶ କ୍ରମେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର ଯାଇଛନ୍ତି। ସେଠାରେ କ୍ୟାମ୍ପ କରି ସେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜି ଶ୍ରୀ ଶର୍ମା କହିଛନ୍ତି, ଏହି ଦିଗରେ କିଛିଟା ସୁରାକ୍‌ ମିଳିଛି। ତାକୁ ଆଧାର କରି ତଦନ୍ତ ଆଗେଇ ଚାଲିଛି। ଖୁବ୍‌ଶିଘ୍ର ଘଟଣାର ପର୍ଦାଫାସ ହେବ।

ଏଠାରେ ପ୍ରକାଶଥାଉକି, ଗତ ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଏକ ବିବାହ ଉପହାର ପାର୍ସଲ ଖୋଲିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସେଥିରେ ବର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା’ ଜେନାମଣି ସାହୁଙ୍କର ମୃତ୍ୟୁ ଘଟିଥିଲା। ସେହିପରି ସୌମ୍ୟଙ୍କ ପତ୍ନୀ ରୀମା ସାହୁ ମଧ୍ୟ ଗୁରୁତର ଆହତ ହୋଇଥିଲେ। ରୀମା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର