ପାର୍ସଲ ବୋମା ଘଟଣା : ଅଧ୍ୟାପକଙ୍କ ସମେତ ୫ ଅଟକ

ଭୁବନେଶ୍ୱର : ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ   କିଛି ଠୋସ୍‌ ତଥ୍ୟ ମିଳିଛି। ପ୍ରେମ କିମ୍ବା ଅନ୍ୟ କୌଣସି ପାରିବାରିକ ବିବାଦ ନୁହେଁ ବରଂ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଯେଉଁ କଲେଜର ଅଧ୍ୟକ୍ଷା ଅଛନ୍ତି, ସେହି କଲେଜରେ ଦୀର୍ଘ ଦିନ ଧରି ଲାଗି ରହିଥିବା କେତେକ ବୃତ୍ତିଗତ ବିବାଦରୁ ଏଭଳି ଘଟିଥିବା କ୍ରାଇମ୍‌ବ୍ରାଞ୍ଚ ସନ୍ଦେହ କରିଛି। ଏହି ତଥ୍ୟକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ଭଏଁସାର ଜ୍ୟୋତି ବିକାଶ କଲେଜ ଇଂରାଜୀ ଅଧ୍ୟାପକଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ, ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର, ନୂଆପଡ଼ାର ଉଦ୍ୟାନ ବନ୍ଦର ଠିକାଦାର ଚନ୍ଦ୍ରମଣି ମେହେର, ଶିବତ୍ସ ରାୟ, ପାଟଣାଗଡ଼ ମେଡିକାଲ ଫାର୍ମାସିଷ୍ଟ ରାଜ କୁମାର ଦାସ ଓ ଅନ୍ୟ ଜଣେ ଅଧ୍ୟାପକ ଉମେଶ ପାଟରୀ। ସମସ୍ତଙ୍କୁ ବିଭିନ୍ନ ଥାନା ଓ ଏକ ଗେଷ୍ଟ ହାଉସ୍‌ରେ ରଖାଯାଇ ପଚରାଉଚରା କରାଯାଉଛି। ଇଂରାଜୀ ଅଧ୍ୟାପକ ଶ୍ରୀ ମେହେରଙ୍କ ଘରୁ କ୍ରାଇମବ୍ରାଞ୍ଚ ଗୋଟିଏ କମ୍ପ୍ୟୁଟର, ଲାପଟପ୍‌, ପେନ୍‌ ଡ୍ରାଇଭ, ହାର୍ଡଡିସ୍କ, ମୋବାଇଲ୍‌ ଫୋନ୍‌ ସମେତ କେତେକ କାଗଜପତ୍ର ଜବତ କରିଛି। ଅଧ୍ୟାପକ ମେହେରଙ୍କ ମୋବାଇଲ୍‌ର କଲ୍‌ ଡିଟେଲ୍ସ ଯାଞ୍ଚ କରୁଛି। ସେହିପରି ଜବତ କାଗଜପତ୍ର ଓ ଫାଇଲ୍‌କୁ ନେଇ ଖୋଳତାଡ଼ ଚାଲିଛି।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଉକ୍ତ କଲେଜର ଅଧ୍ୟକ୍ଷା ଅଛନ୍ତି। ସଂଯୁକ୍ତା ଅଧ୍ୟକ୍ଷା ହେବା ପରେ ଅଧ୍ୟାପକ ଶ୍ରୀ ମେହେର ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ।  ଏହି ସମୟରେ କଲେଜର କାନ୍ଥବାଡ଼ରେ କେହି ସଂଯୁକ୍ତାଙ୍କ ନାଁରେ ଅଶ୍ଳୀଳ ଭାଷାରେ ମଧ୍ୟ ଲେଖାଲେଖି କରିଥିଲା। କଲେଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ମଧ୍ୟ ଅଧ୍ୟାପକ ଶ୍ରୀ ମେହେର ବିରୋଧ କରୁଥିଲେ। କଲେଜ ଅଧ୍ୟକ୍ଷ ପଦବିକୁ ନେଇ ଏଭଳି ଶତ୍ରୁତା ଲାଗି ରହିଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ତେଣୁ ଏହାକୁ ନେଇ କେହି ସଂଯୁକ୍ତାଙ୍କ ପରିବାରକୁ ଟାର୍ଗେଟ୍‌ କରି ଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହକୁ କ୍ରାଇମ୍‌ବ୍ରାଞ୍ଚ ଏଡ଼ାଇ ଦେଇ ପାରୁନାହିଁ।

ଖୁବ୍‌ଶୀଘ୍ର ଘଟଣାର ପର୍ଦାଫାସ ହେବ ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଦୁଇ ଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କହିଥିଲେ, କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର ଯାଇଛନ୍ତି। ସେଠାରେ ସେ ଏକ କ୍ୟାମ୍ପ କରି ଘଟଣାର ତଦନ୍ତ ନିଜେ ଆରମ୍ଭ କରିବେ।

ଏଠାରେ ପ୍ରକାଶଥାଉକି, ଗତ ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଏକ ବିବାହ ଉପହାର ପାର୍ସଲ ଖୋଲିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସେଥିରେ ବର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା’ ଜେନାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମା ସାହୁ ମଧ୍ୟ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତି ହୋଇଥିଲେ। କିଛି ଦିନ ତଳେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର