ଓଡ଼ିଶାରୁ ଗାଡ଼ି ଚଳାଚଳ ବନ୍ଦ

ମମତାଙ୍କ ଗସ୍ତ ପାଇଁ ବାଟ ଓଗାଳିଲା ପୁଲିସ

ଜଳେଶ୍ୱର : ମମତା ଆସୁଛନ୍ତି କହି ପଶ୍ଚିମବଙ୍ଗ ପୁଲିସ ଆଜି ଦାଦାଗିରି ଦେଖାଇଛି। ମମତାଙ୍କ ଗସ୍ତସ୍ଥଳର ଦେଢ଼ ଶହ କିମି ଦୂରରୁ ଓଡ଼ିଶା ଗାଡ଼ିକୁ ପୁଲିସ ବାଟ ଓଗାଳିଛି। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଓଡ଼ିଶାର ହଜାର ହଜାର ଗାଡ଼ି ଅଟକି ରହିଛି। ସକାଳ ୬ଟାରୁ ଏପର୍ଯ୍ୟନ୍ତ ଦୁର୍ଦଶା ଭୋଗୁଛନ୍ତି ଓଡ଼ିଶାର ଯାତ୍ରୀ। କୌଣସି ଗୋଟିଏ ବି ଗାଡ଼ିକୁ ଯିବାକୁ ଦିଆଯାଉ ନାହିଁ। ସଂଧ୍ୟାରେ ଖବର ଲେଖାହେବା ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଯେଉଁଠି ଥିଲା, ସେଇଠି ଅଟକି ରହିଛି। ଏମିତି ଜାଗାରେ ଅଟକିଛି ଯେ ଯାତ୍ରୀମାନେ ଅସହ୍ୟ ଯନ୍ତ୍ରଣା ଭୋଗିଛନ୍ତି। ବିଭିନ୍ନ ପଚନଶୀଳ ସାମଗ୍ରୀର ଦୁର୍ଗନ୍ଧରେ ସେମାନଙ୍କ ନାକ ଫାଟିପଡ଼ୁଥିବା ଫୋନ୍‌ ଯୋଗେ କେତେକ ଯାତ୍ରୀ ସୂଚନା ଦେଇଛନ୍ତି।

ଓଡ଼ିଶା ଭିତରକୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ଏମିତି କିଛି କଟକଣା ନାହିଁ। କେବଳ ଓଡ଼ିଶା ଗାଡ଼ି ପ.ବଙ୍ଗ ଭିତରକୁ ପଶିପାରିବ ନାହିଁ ବୋଲି ପୁଲିସ କଡ଼ା କଟକଣା ଜାରି କରିଛି। ଟ୍ରକ, ବସ୍‌ଠୁ ଆରମ୍ଭ କରି ଛୋଟ ୪ ଚକିଆ ଯାନ ଗୁଡ଼ିକ ମଧ୍ୟ ଅଟକି ରହିଛନ୍ତି। ଫଳରେ ଜରୁରି କାମରେ କୋଲକତା ଯାଉଥିବା ଯାତ୍ରୀମାନେ ବିନା କାରଣରେ ଦହଗଂଜ ହେବା ସାର ହୋଇଛି। ପଶ୍ଚିମବଙ୍ଗ ପୁଲିସର ଏତାଦୃଶ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମମତାଙ୍କ ପାନାଗଡ଼ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏପରି ବ୍ୟବସ୍ଥା ପୁଲିସ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ୬୦ ନଂ ଜାତୀୟ ରାଜପଥର ସୁନାକଣିଆଠାରେ ପଶ୍ଚିମବଙ୍ଗ ପୁଲିସ ଡାଉନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖିଥିଲା। ଲୋକେ ଭାବିଥିଲେ କାଗଜପତ୍ର ଯାଞ୍ଚ୍‌ ହେଉଛି। ମାତ୍ର ସଂଧ୍ୟା ପର୍ଯ୍ୟନ୍ତ ଏହି ରାସ୍ତା ସିଲ୍‌ କରାଯାଇଥିବାରୁ ଓଡ଼ିଶା ସୀମାର ଲକ୍ଷ୍ମଣନାଥଠାରୁ ରାଜଘାଟ ଯାଏଁ ହଜାର ହଜାର ଗାଡ଼ି ଅଟକି ରହିଛି। ଓଡ଼ିିଶାରୁ ଜରୁରି କାମରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀ ମଧ୍ୟ ଅଟକି ରହିଛନ୍ତି। ରାସ୍ତା ସିଲ୍‌ ଯୋଗୁ ଆନ୍ଧ୍ରରୁ ଆସୁଥିବା ଅଣ୍ଡା, ମାଛ, କଦଳୀଗାଡ଼ିଗୁଡ଼ିକ ଓଡ଼ିଶା ସୀମାରେ ଦୀର୍ଘ ସମୟ ଅଟକି ରହିଛି। ଅନ୍ୟପକ୍ଷରେ ଅପ୍‌ ଲାଇନରେ ଗାଡ଼ି ଚଳାଚଳ ସ୍ୱାଭାବିକ ଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିିଲା।

ସମ୍ବନ୍ଧିତ ଖବର