ଓଡ଼ିଶା କଞ୍ଚାମାଲ୍‌ରେ ପଶ୍ଚିମବଙ୍ଗ ମାଲାମାଲ୍‌ : ରାଜକୋଷରେ ଭରୁଛି ରୟାଲ୍‌ଟି ଟଙ୍କା, ର‍୍ୟାକେଟ୍‌ରେ ଖଣି କମ୍ପାନି, ମାଫିଆ, ଟ୍ରାନ୍‌ସପୋର୍ଟର

ଅନୁଗୁଳ : ଖଣିଜ ସମ୍ପଦ ଓଡ଼ିଶା ମାଟିର। ଓଡ଼ିଶା କଳ କାରଖାନାରେ ତା’ର ବ୍ୟବହାର ବି ହେଉଛି। କିନ୍ତୁ ଫାଇଦା ପାଉଛି ପଶ୍ଚିମବଙ୍ଗ। ଅନୁଗୁଳରୁ ଯେଉଁ କ୍ୱାର୍ଜ ଖଣିଜ ପଥର ହରିଲୁଟ୍‌ ଚାଲିଛି, ତା’ର ରୟାଲ୍‌ଟି ଟଙ୍କା ପଶ୍ଚିମବଙ୍ଗ ସରକାରଙ୍କ ରାଜକୋଷରେ ଭର୍ତ୍ତି ହେଉଛି। କ୍ୱାର୍ଜ ପଥର ପରିବହନର ଭିତିରି କେଳେଙ୍କାରୀ ଏମିତି ଓଡ଼ିଶା ରାଜକୋଷକୁ ଖୋଳ କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶା କଞ୍ଚାମାଲ୍‌ରେ ମାଲାମାଲ୍‌ ହେଉଛନ୍ତି। ତାଳଚେର ଖଣି ଉପ ନିର୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ ପରେ ଏମିତି ବେଆଇନ୍‌ କ୍ୱାର୍ଜ ପଥର ଚୋରା ଚାଲାଣର କାରସାଦି ଉପରୁ ପରଦା ହଟିଛି। ଯାହାର ତଥ୍ୟ ପ୍ରମାଣ ‘ସମ୍ବାଦ’ର ହସ୍ତଗତ ହୋଇଛି।

ଗତ ମେ ୧୫ ତାରିଖ ରାତିରେ ତାଳଚେର ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବଅଁରପାଳଠାରେ ଚଢ଼ଉ କରାଯାଇଥିଲା। ରାସ୍ତାରେ ଏକ କ୍ୱାର୍ଜ ପଥର ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ଖଣି ବିଭାଗ ଧରପଗଡ଼ କରିଥିଲା। ଗାଡ଼ିରେ କ୍ୱାର୍ଜ ପଥର ଟ୍ରାନ୍‌ସପୋର୍ଟିଂ ଚାଲାନ ସମେତ ଅନ୍ୟାନ୍ୟ ସରକାରୀ କାଗଜପତ୍ର ନ ଥିଲା। ତେଣୁ ବେଆଇନ୍‌ କ୍ୱାର୍ଜ ପଥର ଚାଲାଣ ଦର୍ଶାଇ ଖଣି ବିଭାଗ ସମ୍ପୃକ୍ତ ଗାଡ଼ିକୁ ଜବତ କରିଛି। କିନ୍ତୁ ତନାଘନା ପରେ ଖଣି ବିଭାଗ ହାତକୁ ଯେଉଁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆସିଛି, ସେଥିରୁ ଚୋରା ଚାଲାଣର ଚେର ଯେ ଓଡ଼ିଶାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ତାହା ଜଳଜଳ ଦିଶୁଛି। ଗତ ମେ ୧୧ ତାରିଖ ଦିନ ଗୋଟିଏ ଟ୍ରକ୍‌ ବିଶାଖାପାଟଣାରୁ କୋକ୍‌ ଲୋଡ଼୍‍ କରି ଅନୁଗୁଳ ଅଭିମୁଖେ ଆସିଥିଲା। ଠିକ୍‌ ଦୁଇ ଦିନ ପରେ ଅର୍ଥାତ୍‌ ୧୪ ତାରିଖ ଦିନ ଅନୁଗୁଳର ଏକ ଘରୋଇ କମ୍ପାନିରେ ସମ୍ପୃକ୍ତ ଟ୍ରକ୍‌ଟି କୋକ୍‌ ଅନ୍‌ ଲୋଡ଼୍‌ କରିଛି। କିନ୍ତୁ ସେହି ସମାନ ଟ୍ରକ୍‌ ନାଁରେ ମେ ୧୩ତାରିଖ ଦିନ କ୍ୱାର୍ଜ ପଥରର ନୂଆ ଚାଲାନ କଟାଯାଇଛି। ତା’ର ଇନ୍‌ଭଏସ୍‌ରେ ମଧ୍ୟ ସମାନ ତାରିଖ ଉଲ୍ଲେଖ ରହିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ବଲାଙ୍ଗୀରର ଏକ ମାଇନ୍‌ସ ଆଣ୍ଡ୍‌ ମିନେରାଲ୍‌ ଟ୍ରେଡ଼ିଂ କମ୍ପାନି ଟ୍ରକ୍‌କୁ କ୍ୱାର୍ଜ୍‌ ପଥର ଲୋଡ଼୍‍ ଦେଇଛି। ଚୌଦ୍ୱାରର ଏକ ଟ୍ରାନ୍‌ସପୋର୍ଟ କମ୍ପାନି ଜରିଆରେ ସମ୍ପୃକ୍ତ ଟ୍ରକ୍‌ କ୍ୱାର୍ଜ୍‌ ପଥର ନେଇ ଢେଙ୍କାନାଳ ଜିଲ୍ଲାର ଏକ ଘରୋଇ କମ୍ପାନିରେ ମେ ୧୪ ତାରିଖ ଦିନ ଅନ୍‌ ଲୋଡ଼୍‍ କରିଛି। ଏଠାରେ ପ୍ରଶ୍ନ ଉଠୁଛି, ମେ ୧୪ ତାରିଖ ଦିନ ଗାଡ଼ିରେ କୋକ୍‌ ଲୋଡ଼୍‍ ହୋଇଥିବା ବେଳେ ସମାନ ଗାଡ଼ିରେ ୧୩ ତାରିଖ ଦିନ କ୍ୱାର୍ଜ ପଥର ଲୋଡ଼୍‍ କରାଗଲା କେମିତି? ଏଥିରୁ ଚୋରା କ୍ୱାର୍ଜ ପଥର ପରିବହନରେ ମିନେରାଲ୍‌ସ କମ୍ପାନି, ଟ୍ରାନ୍‌ସପୋର୍ଟର ଏବଂ ଖଣି ମାଫିଆମାନଙ୍କ ମିଳିତ ର‍୍ୟାକେଟ୍‌ ଯେ କାମ କରୁଛି ତାହା ସ୍ପଷ୍ଟ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ୍ୱାର୍ଜ୍‌ କେଳେଙ୍କାରୀରେ ଓଡ଼ିଶାର ରାଜସ୍ୱ କ୍ଷତି। ପଶ୍ଚିମବଙ୍ଗର କୋଲ୍‌କାତା ଖଣିରୁ କ୍ୱାର୍ଜ ପଥର ଅଣାଯାଉଛି ବୋଲି ସରକାରୀ କାଗଜପତ୍ରରେ ଦର୍ଶାଯାଉଛି, କିନ୍ତୁ ସମାନ କାଗଜପତ୍ରରେ କୋଲ୍‌କାତା କ୍ୱାର୍ଜ୍‌ ପଥର ନ ଆଣି ଓଡ଼ିଶାର କଞ୍ଚାମାଲ ପରିବହନ କରାଯାଉଛି। ଏଭଳି କେଳେଙ୍କାରୀ ଯୋଗୁ ଓଡ଼ିଶାର କଞ୍ଚାମାଲରେ ମିଳିବାକୁ ଥିବା ରୟାଲିଟି ଟଙ୍କା ପଶ୍ଚିମବଙ୍ଗ ରାଜକୋଷରେ ଭରଣା ଚାଲିଛି।

ଏ ସମ୍ପର୍କରେ ତାଳଚେର ଖଣି ଉପନିର୍ଦେଶକ ଏସ୍‌. କେ. ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ୧୫ ତାରିଖ ରାତିରେ ବଅଁରପାଳରେ ଚଢ଼ଉ ବେଳେ କ୍ୱାର୍ଜ୍‌ ବୋଝେଇ ଟ୍ରକ୍‌କୁ ଧରପଗଡ଼ ହୋଇଥିଲା। ଗାଡ଼ିର କାଗଜପତ୍ର କିଛି ନ ଥିବାରୁ ଟ୍ରକ୍‌କୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର