ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟକାଳ ସରିଲା, ନୂଆ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଜୋର

ସମ୍ବଲପୁର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କିଶୋର ମହାନ୍ତିଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହୋଇଛି। ୨୦୧୪ ନିର୍ବାଚନରେ ପରାସ୍ତ ହେବା ପରେ ୧୯ ଜୁନ ୨୦୧୪ରେ ଶ୍ରୀ ମହାନ୍ତି ଏହି ମର୍ଯ୍ୟାଦାଜନକ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସ୍ଥିତି ବଦଳି ଯାଇଥିଲା। ଶ୍ରୀ ମହାନ୍ତି ବ୍ରଜରାଜନଗରର ନୂଆ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଖୁବ୍‌ଶୀଘ୍ର ଜଣେ ନୂଆ ନେତାଙ୍କୁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ ହୋଇଯାଇଛି। ଗତକାଲି ବିଧିବଦ୍ଧ ଭାବେ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପଶ୍ଚିମ ଓଡ଼ିଶାର କେଉଁ ନେତାଙ୍କୁ ଏହି ପଦ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ନିଯୁକ୍ତି ଦେବା ପୂର୍ବରୁ କେତେକ ବିଷୟକୁ ବିଚାରକୁ ନିଆ ଯାଇପାରେ। ଆଗକୁ ଥିବା ପୌର ନିର୍ବାଚନ, ମନ୍ତ୍ରୀପଦ ପାଇ ନଥିବା ଜିଲ୍ଲାର ଦାବିଦାରି, ନେତାଙ୍କ ଛବି ଓ ଦଳ ପ୍ରତି ଆନୁଗତ୍ୟ ତଥା ସଂପୃକ୍ତ ନେତାଙ୍କ ତୃତୀୟ ମହଲା ସହ ସଂପର୍କ ଇତ୍ୟାଦି। ସଦ୍ୟ ସମାପ୍ତ ନିର୍ବାଚନରେ ପରାଜିତ ହୋଇଥିବା ବିଜେଡିର କିଛି ପ୍ରମୁଖ ପ୍ରାର୍ଥୀ ବା ଦଳୀୟ ଟିକଟ୍‌ରୁ ବଞ୍ଚିତ କିଛି ପ୍ରମୁଖ ଦାବିଦାରଙ୍କ ମଧ୍ୟରୁ ଜଣକୁ ଏହି ପଦରେ ବସାଯିବା ସମ୍ଭାବନା ଅଧିକ। ଏହି ପଦ ପାଇଁ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ଇଂ ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ଏବଂ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଲଗାତାର ଦ୍ବିତୀୟଥର ପାଇଁ ମନ୍ତ୍ରୀ ଶୂନ୍ୟ ହୋଇଥିବା ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମ୍ବଲପୁରକୁ ଏଥି ପାଇଁ ପ୍ରଥମେ ବିଚାରକୁ ନିଆଯାଇ ପାରେ। ଏହାହେଲେ ସମ୍ବଲପୁର ଆସନରେ ଅଳ୍ପକେ ପରାସ୍ତ ହୋଇଥିବା ରାସେଶ୍ବରୀ, ପଶ୍ଚିମ ଓଡ଼ିଶାରେ ସବୁଠୁ କମ ବ୍ୟବଧାନରେ ହାରିଥିବା ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ତଥା ନିର୍ବାଚନର ଠିକ୍‌ ପୂର୍ବରୁ ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦିଆ ଯାଇଥିବା ଡ. ପ୍ରମୋଦ ରଥ ପ୍ରମୁଖ ଦାବିଦାର ହେବେ। ନିର୍ବାଚନ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ରାସେଶ୍ବରୀ ଓ ଇଂ ପ୍ରଧାନଙ୍କ ସଂପର୍କରେ ତିକ୍ତତା ଆସିଥିବା ଚର୍ଚ୍ଚା ହେଉଛି। ତେଣୁ ଏହି ପଦ ହାସଲରେ ଉଭୟ ପରସ୍ପର ପାଇଁ ସମସ୍ୟା ପାଲଟି ପାରନ୍ତି। ଯଦି ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହୁଏ ତାହେଲେ ଏଠାରେ ବିଜେପିକୁ ମୁକାବିଲା କରିବାରେ ରାସେଶ୍ବରୀଙ୍କ ଭୂମିକା ଗୁରତ୍ବପୂର୍ଣ୍ଣ ହେବ। ତେବେ ଏହାକୁ ନେଇ କୋର୍ଟରେ ମାମଲା ଚାଲିଥିବାରୁ ଓ ସମ୍ବଲପୁରରେ ପୁଣିଥରେ ବିଜେପିର ଶକ୍ତି ବୃଦ୍ଧି ପାଇଥିବାରୁ ସରକାର ଏ ଦିଗରେ କେତେ ଆଗ୍ରହୀ ହେବେ ତାହା ଆଗାମୀ ଦିନରେ ଜଣା ପଡ଼ିବ। ଅପରପକ୍ଷରେ ବିକାଶ ପରିଷଦରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ବି ରହିଛି। ଶ୍ରୀ ପ୍ରଧାନ ଆଠମଲ୍ଲିକ ବାସିନ୍ଦା ହୋଇଥିବାରୁ ସେ ଅଧ୍ୟକ୍ଷ ହେଲେ ପ୍ରଥମଥର ପାଇଁ ଉକ୍ତ ଅଞ୍ଚଳ ବି ଗୁରୁତ୍ବ ପାଇବ। ସେହିପରି ଜିଲ୍ଲାରେ ଅସନ୍ତୁଷ୍ଟ ହୋଇ ରହିଥିବା ଦଳୀୟ ନେତୃବର୍ଗଙ୍କୁ ପୁଣିଥରେ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ସଭାପତି ପଦରୁ ବାଦ ଦିଆ ଯାଇଥିବା ଡ. ରଥଙ୍କ ନାମ ବିଚାରକୁ ନିଆ ଯାଇପାରେ।

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିକୁ ଆସି ପରାସ୍ତ ହୋଇଥିଲେ। ୨୦୧୯ରେ ତାଙ୍କ ଟିକଟ କଟାଯାଇ ଶେଷ ମୁହୂର୍ତ୍ତରେ ପୂର୍ବତନ ଝାରସୁଗୁଡ଼ା ବିଧାୟକ କିଶୋର ମହାନ୍ତିଙ୍କୁ ଦିଆଗଲା। ଏହି ସମୟରେ ଅନୁପଙ୍କୁ ଥଇଥାନର ପ୍ରତିଶ୍ରୁତି ଦିଆ ଯାଇଥିଲା। ବର୍ତ୍ତମାନ ନିର୍ବାଚନ ଶେଷ ହୋଇ ଥିବାବେଳେ ଅନୁପଙ୍କୁ କେଉଁ ଭଳି ଥଇଥାନ କରାଯିବ ତାହା ବଡ଼ ପ୍ରଶ୍ନ। ତେବେ ବିକାଶ ପରିଷଦ ଅଧ୍ୟକ୍ଷ ପଦ ୫ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲା ହାତରେ ଥିବାରୁ ପୁଣିଥରେ ସେହି ଜିଲ୍ଲାର ଜଣେ ନେତାଙ୍କୁ ଏହି ପଦ ଦିଆଯିବା ନେଇ ସଂଦେହ ରହିଛି। ପୁଣି ଜିଲ୍ଲାର ଦୁଇ ବିଧାୟକଙ୍କ ମଧ୍ୟରୁ ଜଣେ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ତେଣୁ ମନ୍ତ୍ରୀଶୂନ୍ୟ ଜିଲ୍ଲାଭାବେ ସମ୍ବଲପୁର ବା ସୁନ୍ଦରଗଡ଼ର ଦାବିଦାରି ଅଧିକ ରହିଛି।

କଂଗ୍ରେସ୍‌ରୁ ଆସି ବିଜେଡିରେ ମିଶିଥିବା ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ବି ନିର୍ବାଚନ ହାରିଛନ୍ତି। ଜଣେ ଆଦିବାସୀ ନେତାଭାବେ ସେ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ତାଙ୍କ ପଛରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମର୍ଥନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ପଦରେ ବଲାଙ୍ଗୀର ଜିଲ୍ଲାରେ ରାଜ ପରିବାରରୁ ଜଣକୁ ଥଇଥାନ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏୟୁ ସିଂହଦେଓଙ୍କ ଦୁଇ ପୁଅ କଳିକେଶ ଏବଂ ଅର୍କେଶ ଏହି ନିର୍ବାଚନରେ ପରାସ୍ତ ହୋଇଥିବାରୁ ପୂର୍ବତନ ସାଂସଦ କଳିକେଶଙ୍କୁ ଏହି ପଦ ଦିଆ ଯାଇପାରେ ବୋଲି କୁହାଯାଉଛି। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ପରିବର୍ତ୍ତେ ଉକ୍ତ ପରିବାରରୁ ଜଣକୁ ରାଜ୍ୟସଭାକୁ ପଠାଯିବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏୟୁ କିମ୍ବା କଳିକେଶଙ୍କୁ ରାଜ୍ୟସଭା ଟିକଟ ମିଳିପାରେ ବୋଲି କୁହାଯାଉଛି। ତେଣୁ ମୁଖ୍ୟମନ୍ତ୍ରୀ କାହା ମୁଣ୍ଡରେ ବିକାଶ ପରିଷଦ ମୁକୁଟ ବାନ୍ଧୁଛନ୍ତି ତାହା ଆଉ କିଛି ଦିନ ମଧ୍ୟରେ ସ୍ପ‌ଷ୍ଟ ହେବ।

ସମ୍ବନ୍ଧିତ ଖବର