ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ : ଏକଜୁଟ୍‌ ହେଲେ, ତଥାପି ଫାଟ!

ସମ୍ବଲପୁର/କଳାହାଣ୍ଡି/ବରଗଡ଼ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଚାଲିଥିବା ଲମ୍ବା ଆନ୍ଦୋଳନ ଗୁରୁବାର ଏକ ସକାରାତ୍ମକ ମୋଡ଼ ନେବାର ଦିନକ ପରେ ହିଁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଫେବ୍ରୁଆରି ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରାରେ କଳାହାଣ୍ଡି ସଂଘ ସାମିଲ ନାହିଁ ବୋଲି ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ସେହିପରି ବରଗଡ଼ ଜିଲ୍ଲା ଓକିଲ ସଂଘ ମଧ୍ୟ ବନ୍ଦରେ ସାମିଲ ହେବା ନେଇ କିଛି ନିଷ୍ପତ୍ତି ନେଇ ନଥିବା କହିଛି। କିଛି ଦିନ ପରେ ସଂଘର ବୈଠକ ବସିବ ଓ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଏହି ଦୁଇ ଜିଲ୍ଲା ଓକିଲ ସଂଘ ଗୁରୁବାର ବଲାଙ୍ଗୀରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ନ ଥିଲେ। ରାଉରକେଲା ଓକିଲ ସଂଘ ମଧ୍ୟ ଏହି ବୈଠକରେ ଯୋଗ ଦେଇ ନଥିଲା। ମାତ୍ର ବନ୍ଦକୁ ସଂଘ ସଂପୂର୍ଣ୍ଣ ସମର୍ଥନ କରୁଛି ବୋଲି ମିଳିତ କ୍ରିୟାନୁଷ୍ଠାନ ସମିତି (ସିଏସି) ପକ୍ଷରୁ କୁହାଯାଇଛି।

କଳାହାଣ୍ଡି ବ‌ାର୍‌ ଏସୋସିଏସନର ସଭାପତି ଭବେନ୍ଦ୍ର ପଣ୍ଡା କହିଛନ୍ତି ବଲାଙ୍ଗୀରରେ ଅନୁଷ୍ଠିତ ବୈଠକ ପାଇଁ ତାଙ୍କ ସଂଘକୁ କେହି ଡାକିନଥିଲେ। ଯେଉଁ ୧୭ଟି ବାର୍‌ ଆସୋସିଏସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରହିଛି ସେଥିରେ କଳାହାଣ୍ଡି ବାର୍‌ ଆସୋସିଏସନ୍‌ର ନାମ ନାହିଁ। ତଥାପି ତାଙ୍କ ସଂଘ ଆନ୍ଦୋଳନ ଜାରି ରଖିଛି। କିନ୍ତୁ ବଲାଙ୍ଗୀର ନିଷ୍ପତ୍ତି ନେଇ ସେମାନଙ୍କ ମତାମତ ନିଆଯାଇନାହିଁ। ବନ୍ଦ ଡାକରାରେ ସାମିଲ ହେବା ପାଇଁ ସଂଘ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନାହିଁ। ଚଳିତ ମାସ ଶେଷ ସୁଦ୍ଧା ଏ ନେଇ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ବନ୍ଦରେ ସାମିଲ ନେଇ ବରଗଡ଼ ଜିଲ୍ଲା ଓକିଲ ସଂଘ ମଧ୍ୟ ନିଷ୍ପତ୍ତି ନେଇନାହିଁ। ତେଣୁ ୫ ତ‌ାରିଖରେ ବରଗଡ଼ ବନ୍ଦ ରହିବ କି ଖୋଲା, ତାହା ସଂଘର ଆଗାମୀ ବୈଠକରେ ସ୍ଥିର ହେବ ବୋଲି ଉପସଭାପତି ସରୋଜ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର