କଟକ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ମାମଲାର ଶୁଣାଣି କରି ଆଇନଶୃଙ୍ଖଳା ରକ୍ଷା କରିବା ଦିଗରେ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନରେ ଦର୍ଶାଯାଇଛି ଯେ ସମ୍ବଲପୁର ଜିଲ୍ଲା ବାର୍‌ ଆସୋସିଏସନ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏପରି ପରିସ୍ଥିତିରେ ସ˚ପୃକ୍ତ ଅଞ୍ଚଳରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ବିଚାରବିଭାଗୀୟ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ବଭାବିକ ଭାବେ କାର୍ଯ୍ୟ କରୁ ନାହିଁ। ନିକଟରେ ୪୮ ଘଣ୍ଟିଆ ବନ୍ଦ ଡକରା ଦିଆଯାଇଥିଲା। ଏପରି ଆନ୍ଦୋଳନ ଯୋଗୁ ସାଧାରଣ ଲୋକମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ କଳ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ନେଇ ସରକାର ସୁନିଶ୍ଚିତ କରିବା ଉଚିତ। ଏ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ୨୦୦୮, ଏପ୍ରିଲ ୧୫ରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।