ଲଘୁଚାପ ପ୍ରଭାବ: ୪୮ ଘଣ୍ଟା ପର୍ଯ୍ୟନ୍ତ ଜରି ରହିବ ବର୍ଷା

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଗତ ୬ଘଣ୍ଟା ଧରି ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୩୩ କିଲୋମିଟର ବେଗରେ ଗତି କରି ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆଜି ଅପରାହ୍ଣ ୨ଟା ବେଳକୁ ଲଘୁଚାପଟି ଗୋପାଳପୁର ତଟ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି। ଏହା ଆହୁରି ଘନୀଭୂତ ହେବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌)ରେ ରୂପାନ୍ତରିତ ହେବା ପରେ ଦୁର୍ବଳ ହେବାକୁ ଆରମ୍ଭ କରିବ। ପରେ ଏହା ସମୁଦ୍ର ମଧ୍ୟରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ୯ ତାରଖ ସକାଳ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣ ୨ଟାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି।

ତେବେ, ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମାଲକାନ୍‌ଗିରି ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳରେ ଏହି ସମୟ ମଧ୍ୟରେ ଘଡ଼ଘଡ଼ି ଓ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ଣରେ ଜାରି ଏକ ବୁଲେଟିନ୍‌ରେ ସତର୍କ କରାଇ ଦିଆଯାଇଛି। ଏହି ସମୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୬୦ରୁ ୬୫ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ୧୦ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ଲଘୁଚାପକୁ ଦୃଷ୍ଟିରେ ରଖି ପାରାଦୀପ ଓ ଗୋପାଳପୁର ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି।

ସମ୍ବନ୍ଧିତ ଖବର