କେଉଁଠି ରହିବ ‘ସୁନ୍ଦରୀ’

ଭୁବନେଶ୍ବର : ସାତକୋଶିଆରେ ଉନ୍ମକ୍ତକାଣ୍ଡ ଘଟାଇ ଚାଲିଛି ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ। ଗତକାଲି ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍‌ ଥାନା ଟାଇଁସି ଗାଁରେ ଦ୍ବିତୀୟ ମଣିଷ ଶିକାର କରିବା ପରେ ‘ସୁନ୍ଦରୀ’କୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଆଇନକୁ ହାତକୁ ନେବାକୁ ଲୋକେ ପଛଘୁଞ୍ଚା ଦେଉନାହାନ୍ତି। ଏହାକୁ ନେଇ ଗତ ୩୬ ଘଣ୍ଟା ହେଲା ବନ ବିଭାଗର ନିଦ ହଜିଗଲାଣି। ‘ସୁନ୍ଦରୀ’ ପାଇଁ କ’ଣ ପଦକ୍ଷେପ ନିଆଯିବ ତାହାକୁ ‌େନଇ ଆଜି ଦିନତମାମ ଘନ ଘନ ବୈଠକ ଅନୁଷ୍ଠିତ ହେବା ପ‌ରେ ‘ସୁନ୍ଦରୀ’କୁ ଏବେ କାବୁ କରିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ।

‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ପୁଣିଥରେ ଏନ୍‌କ୍ଲୋଜରରେ ରଖିବାକୁ ଯୋଜନା ହୋଇଛି। ଏଥିପାଇଁ ଅନୁଗୁଳରେ ଡେରା ପକାଇଛନ୍ତି ୪ ଜଣିଆ ବିଶେଷଜ୍ଞ ଟିମ୍‌। ଏଥିରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ବି ରହିଛନ୍ତି। ପିସିସିଏଫ୍‌(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ବାଘୁଣୀକୁ ଧରିବା ଉପରେ ଗୁରୁତ୍ବ ଦିଆଯାଇଛି। ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଦୁଇଟି ଟିମ୍‌ ଏବେ ସାତକୋଶିଆରେ ପହଞ୍ଚି ସାରିଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିଲେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ରାଇଗଡ଼ ଏନ୍‌କ୍ଲୋଜରକୁ ଆଣି ରଖାଯିବ। ସେଠାରେ ତାହାର ଗତିବିଧି ଉପରେ ଅନୁଧ୍ୟାନ ହେବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏନ୍‌ଟିସିଏ) ଓ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲୁଆଇଆଇ)ଙ୍କ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଶ୍ରୀ ତ୍ରିପାଠୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ ‘ସୁନ୍ଦରୀ’କୁ ନର ଖାଦକ ଘୋଷଣା କରାଯିବ ନାହିଁ। ସେ ଗାଁରେ ପଶି ଲୋକଙ୍କୁ ମାରିନି। ବରଂ ସ୍ଥାନୀୟ ଲୋକଙ୍କୁ ସଚେତନତା ପରେ ବି ସେମାନେ ଜଙ୍ଗଲକୁ ଯିବାରୁ ବାଘୁଣୀର ଶିକାର ହୋଇଛନ୍ତି। ବାଘୁଣୀ ମାରିବା ପରେ କୌଣସି ଶରୀରକୁ ସମ୍ପୂର୍ଣ୍ଣ ଭାବେ ଖାଇନି। ତେଣୁ ନର ଖାଦକ ଘୋଷଣା କରାଯାଇ ହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇନି ବୋଲି ସେ କହିଛନ୍ତି।

ବାଘୁଣୀର ଏଭଳି କାଣ୍ଡ ପରେ ଏବେ ସାତକୋଶିଆ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଝଟ୍‌କା ଲାଗିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସାତକୋଶିଆ‌ରେ ଆଉ ବାଘ ଛଡ଼ାଯିବ ‌ନାହିଁ ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପିସିସିଏଫ୍‌(ବନ୍ୟପ୍ରାଣୀ) ଶ୍ରୀ ତ୍ରିପାଠୀ। ସେ କହିଛନ୍ତି ସମ୍ପ୍ରସାରଣ ପ୍ରକଳ୍ପ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ବର୍ତମାନ ସମୟରେ ‘ସୁନ୍ଦରୀ’ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଉଛି। ସାତକୋଶିଆ ଅଭୟାରଣ୍ୟରେ ପୂର୍ବରୁ ୨୦ଟି ପର୍ଯ୍ୟନ୍ତ ବାଘ ରହୁଥିଲେ। ୮ ବର୍ଷ ତଳେ ୧୨ଟି ବାଘ ରହିଥିବା ଗଣନା ସମୟରେ ଜଣାପଡ଼ିଥିଲା। ଏବେ ବାଘ ଛଡ଼ାଯିବା ନୂଆ କଥା ନୁହେଁ। ଆଗକୁ ଖୁସି ଖବର ବି ଆସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ପିସିସିଏଫ୍‌ଙ୍କ ଏଭଳି ମତ ପରେ ସୁନ୍ଦରୀର ବାସସ୍ଥାନ କେଉଁଠି ହେବ ତାହାକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ‘ସୁନ୍ଦରୀ’ ଜଙ୍ଗଲରେ ରହିବ ନା ଖୁଆଡକୁ ଫେରିବ। ନା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ତାର ବାଡ଼ ଭିତରେ ଛଡ଼ାଯିବ। ବନ ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନ ଥିବା ବେଳେ ‘ସୁନ୍ଦରୀ’ ଦିନକୁ ଦିନ ହିଂସ୍ର ହେଉଥିବାରୁ ଅଡ଼ୁଆ ବଢ଼ୁଛି।

ସମ୍ବନ୍ଧିତ ଖବର