ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ, ମେ ୪ ପର୍ଯ୍ୟନ୍ତ ଏଭଳି ରହିବ ପାଣିପାଗ

ଭୁବନେଶ୍ୱର: ଆଣ୍ଡାମାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ହେତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଘରୁ ବହାରିବା ବିପଦପୂର୍ଣ୍ଣ । ତେଣୁ ଝଡ଼ବର୍ଷା ଓ କୁଆପଥର ମାଡ ସମୟରେ ଘରୁ ନ ବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ସେହିପରି ଉପରୋକ୍ତା ଜିଲ୍ଲାମାନଙ୍କରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମଇ ୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଣିପାଗ ରହିବା ସହିତ ଆଗାମୀ ମଇ ୧୫ସୁଦ୍ଦା ମୌସୁମୀ କେରଳ ଛୁଇଁବ । ଜୁନ୍‌ ପ୍ରଥମ ସପ୍ତାହରେ ଓଡ଼ିଶା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଯାହାଫଳରେ ଓଡ଼ିଶା ବାସୀଙ୍କୁ ଖରା ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ତେବେ ଦିନ ବେଳା ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଧ୍ୟରାତିରେ କାଳ ବୈଶାଖୀ ତାର ତାଣ୍ଡବ ଆରମ୍ଭ କରି ଦେଉଛି। ଗତକାଲି ଭୁବନେଶ୍ୱର (୩୨)ମିଲିମିଟର ଓ କଟକରେ ଏକଘଣ୍ଟା ଧରି ବର୍ଷା ହେବା ସହିତ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବା ସହିତ ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିଲା ଓ ପାଣି ଜମି ରହିଥିବା ହେତୁ ଯାତାୟାତାରେ ଅସୁବିଧା ହୋଇଥିଲା । ଝଡ଼ବର୍ଷା ହେତୁ ବିଦ୍ୟୁତ ସଂଯୋଗରେ ବାଧା ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ରାଜଧାନୀ ଅନ୍ଧକାରମୟ ହୋଇପଡ଼ିଥିଲା। ଝଡ଼ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଥିଲା। ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଚାନ୍ଦବାଲି, ଗୋପାଳପୁର,ବାଲେଶ୍ୱର, ଓ ଝାରସୁଗୁଡ଼ାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ସେହିପରି ପୁରୀରେ ସର୍ବାଧିକ ୯୪ମିଲିମିଟର ବର୍ଷା ହୋଇଥିଲା। ଆଜି ମଧ୍ୟ ପାଣିପାଗ ସେଭଳି ରହିଛି। ଆକଶରେ ମେଘଖଣ୍ଡ ବିଛେଇ ହୋଇ ରହିଛି। ଥଣ୍ଡା ପବନ ଅନୁଭୂତ ହେଉଛି। ଦିନର ତାପମାତ୍ର ୪୦ଡିଗ୍ରୀ ଭିତରେ ରହିବ ବୋଲି ଅନୁମାନ କରାଯାଇଛି। ଗତକାଲି ୪ଟି ସ୍ଥାନରେ ତାନମାତ୍ରା ଅଧିକ ରହିଥିଲା।

ସମ୍ବନ୍ଧିତ ଖବର